
ପାଟପୁର ଗାଁ ମୁଣ୍ଡରେ ଗୋଟିଏ ଛୋଟ ପରିବାର ବାସ କରନ୍ତି । ପରିବାରର ମୁଖ୍ୟ ହରିହର ବାବୁ । ହରିହରଙ୍କର ଗୋଟିଏ ମାତ୍ର ପୁତ୍ର ଚିକୁ । ସେ ପଞ୍ଚମ ଶ୍ରେଣୀରେ ଗାଁ ବିଦ୍ୟାଳୟରେ ପଢେ । ମାତ୍ର ପାଠ ପଢାରେ ବହୁତ୍ ଠକ । ପ୍ରତିଦିନ ବିଦ୍ୟାଳୟକୁ ଯାଏ ନାହିଁ । ଅକ୍ଷର ଲେଖା ଶିଖିନାହିଁ ଚିକୁ ଏପରିକି ନିଜର ନାମ ମଧ୍ୟ ଲେଖିପାରେ ନାହିଁ । ତା ସହ ପିଲାଟି ବାହାର ଲୋକମାନଙ୍କୁ ବହୁତ ଖରାପ ବ୍ୟବହାର ଦେଖାଏ । ବାପା ମା ବହୁତ୍ ବ୍ୟସ୍ତ ହୁଅନ୍ତି ତା'ର ବ୍ୟବହାର ଓ ଶିକ୍ଷାକୁ ନେଇ । ପିଲାଟି କିପରି ପାଠ ପଢ଼ିବ ଓ ଭଲ ବ୍ୟବହାର ଶିଖିବ ସେଥିପାଇଁ ସଦା ସର୍ବଦା ଚେଷ୍ଟା କରନ୍ତି ଦୁହେଁ । କିନ୍ତୁ କିଛି ବି ଫଳ ମିଳେ ନାହିଁ । ବିଦ୍ୟାଳୟରେ ସାଙ୍ଗସାଥୀଙ୍କ ସହ ମାଡ଼ଗୋଳ, ବିଦ୍ୟାଳୟର ଆସବାବପତ୍ର ଭଙ୍ଗାରୁଜା, ବହିପତ୍ର ଚିରାଚିରି ଇତ୍ୟାଦି ତା'ର ବିଦ୍ୟାଳୟକୁ ଯିବା ଦିନର ମୁଖ୍ୟ କାର୍ଯ୍ୟ । ସେଥିପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ ବହୁଥର ହରିହର ବାବୁଙ୍କୁ ଡାକି ତାଗିଦ୍ ମଧ୍ୟ କଲେଣି । ପିତା ମାତା ଦୁଇ ଜଣ ନାଚାର । କଣ ବା କରିବେ କିଛି ବି ଜାଣି ପାରୁନଥାନ୍ତି । ବହୁ ମନ୍ଦିର, ବହୁ ଠାକୁର ପୂଜା ପୂଜି କରିଥାନ୍ତି ପୁଅର ସ୍ୱଭାବରେ ପରିବର୍ତ୍ତନ ପାଇଁ ।
ଦିନେ ବାପା, ମା ଓ ଚିକୁ ତିନି ଜଣ ଆର ଗାଁରେ ପାହାଡ ଉପରେ ଥିବା ମନ୍ଦିରକୁ ଯାଇଥାନ୍ତି । ମନ୍ଦିରରୁ ଫେରିବା ବାଟରେ ଜଣେ ସାଧୁ ସନ୍ନ୍ୟାସୀ ଦେଖାହେଲେ । ସାଧୁ ଜଣକ ଦମ୍ପତ୍ତିଙ୍କର ମନ ଦୁଃଖ ଦେଖି କାରଣ ପଚାରିଲେ । ହରିହର ବାବୁ ସବୁ ଘଟଣା ଖୋଲି କହିଲେ ସାଧୁ ବାବାଙ୍କୁ । ସାଧୁ ବାବା ପିଲାଟି ସହ ନିରୋଳାରେ କଥା ହେବେ ବୋଲି କହିଲେ । ଠିକ୍ ସେହିପରି ହେଲା । ପିଲାଟି ସହ ଏକୁଟିଆ କଥାବାର୍ତ୍ତା ହେଲେ ସାଧୁବାବା । ସାଧୁ ବାବାଙ୍କୁ ଦେଖି ପିଲାଟି ମୁଣ୍ଡିଆ ମାରିଲା ନାହିଁ । ବାବା ବ୍ୟସ୍ତ ନ ହୋଇ ପିଲାଟିକୁ କୋଳେଇ ଧରି ଅନେକ କଥା ବୁଝାଇଲେ ଓ କହିଲେ - "ହେ ବାଳକ, ମୁଁ ତୁମକୁ ଏକ କୁହୁକ କଲମ ଦେବି । ସେହି କଲମଟି ତୁମର ସମସ୍ତ ମନସ୍କାମନା ପୂର୍ଣ୍ଣ କରିବ ।" ତୁମେ ସେହି କଲମଟି ନେବ କି ? ପିଲାଟି କୁହୁକ କଲମର କଥା ଶୁଣି ନେବ ବୋଲି ରାଜି ହେଲା । ଆଗରୁ କୁହୁକ କଲମର ଗପ ସେ ଜେଜେ ବାପାଙ୍କ ପାଖରୁ ଶୁଣିଥିଲା । ସାଧୁ ଜଣଙ୍କ କହିଲେ ଏହି କଲମରେ ତୁମେ ଅନ୍ୟର ମଙ୍ଗଳ ପାଇଁ ଯାହା ଲେଖିବ ତାହା ଅବଶ୍ୟ ପୂରଣ ହେବ । କିନ୍ତୁ ମନେରଖ ଏହି କଲମରେ ତୁମେ ତୁମ ପାଇଁ କିଛି ବି ମାଗି ପାରିବ ନାହିଁ । ଯଦି ତୁମେ ନିଜ ପାଇଁ କିଛି ଲେଖ, କିମ୍ବା ଅନ୍ୟର ଅମଙ୍ଗଳ ଲିପିବଦ୍ଧ କରିବ ତେବେ କୁହୁକ କଲମଟି ଆଉ କେବେ ବି କାର୍ଯ୍ୟ କରିବ ନାହିଁ । ପିଲାଟି ସାଧୁ ବାବାଙ୍କ ଠାରୁ ଯାଦୁ କଲମ ପାଇଁ ବହୁତ୍ ଖୁସି ଥାଏ । ଘରକୁ ଆସି ଚିନ୍ତାକଲା କଣ ଲେଖିବ ସେ ସେହି କଲମରେ । ମାତ୍ର ତାକୁ ତ ଲେଖା ଜଣାନାହିଁ । ସେଥିପାଇଁ ଚିକୁ ଭାବିଲା ସେ ନିୟମିତ ବିଦ୍ୟାଳୟକୁ ଯିବ ଓ ମନଦେଇ ପାଠ ପଢାପଢି କରିବ । ଏମିତି କିଛି ମାସ ପରେ ପିଲାଟି ସବୁ ଲେଖା ଲେଖି ଓ ପଢା ପଢି କରିପାରିଲା । ଏଥର ଭାବିଲା ସେ ସେହି କୁହୁକ କଲମରେ କିଛି ଲେଖିବ । ସେଥିପାଇଁ ତା' ମନ ଭିତରେ ପ୍ରବଳ ଉତ୍ସାହ ଥାଏ ।
ସେଦିନ ବିଦ୍ୟାଳୟରୁ ଫେରୁଥାଏ ଚିକୁ । ବାଟରେ ଜଣେ ଅସହାୟ ବୃଦ୍ଧାଙ୍କୁ ଦେଖିଲା । ପିଲାଟିକୁ ଦେଖି ବୃଦ୍ଧା କିଛି ଖାଦ୍ୟ ଖାଇବା ପାଇଁ ମାଗିଲେ । ଚିକୁ ତା ବ୍ୟାଗ୍ ରେ ଥିବା ଟିଫିନ୍ ବକ୍ସ ଖୋଜିଲା, କିନ୍ତୁ ଚିକୁ ପାଖରେ କିଛି ବି ନଥିଲା । ହଠାତ୍ ତା'ର ମନେ ପଡିଗଲା ସେହି କୁହୁକ କଲମର କଥା । ସେ ତା ବ୍ୟାଗରୁ କଲମଟି ବାହାର କରି ଖାତାରେ କିଛି ଖାଦ୍ୟର ନାମ ଲେଖିଲା । ଲେଖା ସାରିବା କ୍ଷଣି ତା ଟିଫିନ୍ ରେ ସେ ସବୁ ଖାଦ୍ୟ ପହଁଚିଗଲା ଓ ପିଲାଟି ସେହି ଖାଦ୍ୟ ବୃଦ୍ଧାଙ୍କୁ ଦେଇ ଘରକୁ ଫେରିଲା । ଘରେ ତା'ର ମାଆଙ୍କୁ ସବୁକଥା କହିଲା । ପୁଅର ଏଭଳି କାର୍ଯ୍ୟ ଦେଖି ମାଆ ବହୁତ୍ ଖୁସି ହେଲେ ଓ ଏହିପରି କାର୍ଯ୍ୟ କରିବା ପାଇଁ ପ୍ରେରଣା ଦେଲେ । ପିଲାଟି ଧୀରେ ଧୀରେ ଅନ୍ୟ ମାନଙ୍କୁ ସାହାଯ୍ୟ କରିବାକୁ ଲାଗିଲା । ଲେଖା ଲେଖି ଶିଖିଯିବାରୁ କୁହୁକ କଲମରେ ସବୁ କିଛି ଲେଖିପାରିଲା । ଗରିବ ଲୋକଙ୍କୁ ସାହାଯ୍ୟ କଲା । ମନ ଦେଇ ପାଠ ପଢ଼ି ବିଦ୍ୟାଳୟରେ ଭଲ ସ୍ଥାନ ଅଧିକାର କଲା । ତା' ମଧ୍ୟରେ ସ୍ନେହ, ମମତା, ସୁବ୍ୟବହାର, ଈଶ୍ୱର ଭକ୍ତି ଓ ଅନେକ ଭଲ ଗୁଣର ବିକାଶ ହେବାକୁ ଲାଗିଲା ।
କିଛି ଦିନପରେ ସେହି ସାଧୁ ବାବା ଜଣଙ୍କ ସେହି ଗାଁକୁ ଭିକ୍ଷା ବୃତ୍ତିରେ ଆସିଥାନ୍ତି । ପୁଣି ବାଳକ ଚିକୁ ସହ ତାଙ୍କର ଭେଟ ହେଲା । ଏଥର କିନ୍ତୁ ଚିକୁ ବାବାଙ୍କୁ ଦେଖି ମୁଣ୍ଡ ନୁଆଇଁ ପ୍ରଣାମ ଜଣାଇଲା । ପିଲାଟିର ବ୍ୟବହାରରେ ପରିବର୍ତ୍ତନ ଦେଖି ସାଧୁ ବାବା ତାକୁ ଆଶୀର୍ବାଦ ପ୍ରଦାନ କଲେ ଓ ଜୀବନରେ ଭଲ ମଣିଷ ହେବାକୁ ଉପଦେଶ ଦେଲେ । ଆଚରଣଗତ ପରିବର୍ତ୍ତନ ପାଇଁ ଏହା ଏକ ଛୋଟ ଉପଦେଶ, ମାତ୍ର ବଡ ସନ୍ଦେଶ ।
ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ
ପଡ଼ିଆଭଙ୍ଗା, ତାଳଚେର, ଅନୁଗୋଳ
ଦୂରଭାଷ - ୯୫୫୬୯୮୯୭୨୩
VOL.IX, ISSUE.IX, SEPTEMBER-2025
Published By Banamallira Mahak