
କରିବିନି ବୋଲି ଭାବିଥିଲି ପ୍ରେମ
ହେଲେ ହୋଇଗଲା ଅକାରଣେ,
କିପରି ମୁକୁଳିବି ଏ ପ୍ରେମ ବନ୍ଧନୁ
ଯେତେହେଲେ ସେ ରହିଯିବ
ମନର ଗୋଟିଏ କୋଣେ । ॥୧॥
ଜାତିଭେଦ କଥା ଜାଣିଥିଲି ମୁହିଁ
ଜାଣିଶୁଣି ଭୁଲ୍ କରି ବସିଲି ,
ଗ୍ରହଣ କରୁନି ସମାଜ ମୋ ପ୍ରେମ
ସତ କହିବାକୁ ଗଲେ ସମାଜକୁ ପଚାରି
ମୁଁ ପ୍ରେମ କରିନଥିଲି । ॥୨॥
ବିବାହ ପାଇଁ ସମାଜର ଆପତ୍ତି
ମୋ ପରିବାର କାଇଁ ଶୁଣୁଛି,
ମୋ ଖୁସିଠାରୁ ଇଜ୍ଜତ ଜରୁରି
ଭୁଲ୍ ନୁହଁ ତ ଜାଣିଶୁଣି ଅଜାତିରେ
ମୁଁ ପ୍ରେମ କରିବସିଛି । ॥୩॥
ଜାତିଆଣ ପ୍ରେମ ପଡ଼ିଲା ମହଙ୍ଗା
ଦୁଇ ଜୀବନ ଆମ ନଷ୍ଟ ହୋଇଲା ,
ପରିବାରକୁ ମନାଇ ନପାରି
ଏକା ରହିବାର ନିଷ୍ପତ୍ତି ଆଜି
ମତେ ନେବେକୁ ପଡ଼ିଲା । ॥୪॥
ମନର କୋହକୁ ଆଖିର ଲୁହକୁ
ଆଉ ଲୁଚାଇ ତ ପାରୁନାହିଁ,
କାହାକୁ କହିବି କିଏ ବା ଶୁଣିବ
କାହାକୁ ପଚାରି ତ ମୁଁ ତାକୁ
ପ୍ରେମ କରିନାହିଁ । ॥୫॥
ଆପଣେଇବି ଯଦି ପ୍ରେମକୁ
ପରିବାରଠାରୁ ଯିବି ଦୂରେଇ,
କାହାକୁ ରଖିବି କାହାକୁ ଛାଡ଼ିବି
କିପରି ବଞ୍ଚିବି କଳଙ୍କିନି ହୋଇ
ଏତେ ଦୋଷ ମୁଣ୍ଡାଇ ? ॥୬॥
ସବୁ ଦୋଷ ତ ନୁହଁ ଭାଗ୍ୟର
ଜାଣି ଜାଣି ଭୁଲ୍ କରିଛି ମୁହିଁ,
କେବଳ ଶୂନ୍ୟତା ବିନା ମୋ ହୃଦୟେ
ତୋ ସ୍ଥାନ ମୁଁ କାହାକୁ ଆଉ
ଦେଇପାରିବି ନାହିଁ । ॥୭॥
ବଖାଣପୁର, ଜାହାନପୁର, ଯାଜପୁର
VOL.IX, ISSUE.VI, JUNE-2025
Published By Banamallira Mahak
