ଦିନେ ତୁମ ସନ୍ଧାନ ମିଳିଥିଲା ମୋତେ
ବୋଧ ହୁଏ ସେଇଠୁ ସୃଷ୍ଟି ହୋଇଥିଲା
ଗୋଟେ ନୂଆ ସମ୍ଭାବନା
ତା'ପରେ ଉଛୁଳି ଉଠିଥିଲି ମୁଁ
ହଁ ତୁମେ ତ ମୋତେ ଜୁଆରିଆ କରିଥିଲ
ଚହଲେଇ ଥିଲ ମନକୁ
ଦେଇଥିଲ ପହିଲି ଇଶାରା
ମୋ ମନରେ ଲାଗିଥିଲା
ଗୋଟେ ନୂଆ ଦାଗ
ଯାହା ସ୍ମୃତି ହୋଇ ରହିଗଲା
ସାରା ଜୀବନକୁ ।
ମୁଁ ଭୋଗିଲି ତୁମ ଲୋଭର ସମୟକୁ
ମୁଁ ସୁଝିଲି ତୁମ ଲାଭର କାମନା
ମୁଁ ସାଜିଲି ତୁମ ମୁହୂର୍ତ୍ତେ ଭାବନା
ସେଇସବୁ କେଇଦିନ ସ୍ମୃତି
ଭାବନାର ଅନ୍ତଃରାଳେ
ସବୁ ହେଲା ଇତି
ବଦଳି ଯାଇଥିଲା ତୁମ ପରିବେଶ
ଆଉ ମୋ ପରିସ୍ଥିତି ।
ସେବେଠୁ ମୁଁ ଅନୁଭବିଛି
ନିର୍ଜନ ପ୍ରହରକୁ
ନିସ୍ତବ୍ଧ ଇଲାକାକୁ
ଆଉ ଆବିଷ୍କାର କରିପାରିଛି
ଦରପୋଡା ଭଙ୍ଗା ଯନ୍ତ୍ରାଂଶକୁ
ଯୋଉଠି ଯୋଡି ହୋଇ ପାରେନି ସଂକେତ
ପହଞ୍ଚେଇ ହୁଏନି ବାର୍ତ୍ତା
ସବୁ କିଛି ଉଭେଇଯାଏ
କୁହୁଡ଼ିରେ ଆଉ କୁହୁଡ଼ିରେ ।
ସିଦ୍ଧେଶ୍ବର ତ୍ରିପାଠୀ

କୁଣ୍ଡିଲୋ, କେରଙ୍ଗ, ଖୋରଧା