ଦିନ ପରେ ରାତି | ପୁଣି ରାତି ପରେ ଦିନ | ରାତି ଯେତେ ଗଭୀର ହେଉପଛେ ଦିନ ଆସିବ | ସୂର୍ଯ୍ୟ ଉଦୟ ହେଲେ ଧରାରୁ ଅନ୍ଧାର ହଟେ | ଅନ୍ଧାରରେ ଆମେ ଆଲୋକ ପାଇବା ପାଇଁ ଡିବି,ଲଣ୍ଠନ,ଲ୍ୟାମ୍ପ ,ମହମବତୀ,ଟର୍ଚ୍ଚ ଓ ବିଜୁଳିବତୀ ଆଦି ବ୍ୟବହାର କରିଥାଉ | ଯେଉଁମାନଙ୍କ ପାଖେ ଆଲୁଅ ଟିକେ ପାଇବାର କିଛି ସୁବିଧା ନ ଥାଏ ସେମାନେ ଅନ୍ଧାରରେ ରୁହନ୍ତି | ଏବେବି ଅନେକ ଅପହଞ୍ଚ ଇଲାକା ଓ ଅଭାବୀ ଘରେ ଅନ୍ଧାର ଆସିବା ଆଗରୁ କାମ ସାରି ଶୋଇପଡନ୍ତି ଆଲୁଅରେ ଥିବା ବେଳେ କେହି କେବେ ଆଲୋକ ପାଇଁ କୌଣସି ସାମଗ୍ରୀ ଉପରେ ନିର୍ଭର କରେ ନାହିଁ | ଆମ ସମାଜରେ ଗୋଟେ କଥା ଅଛି -ଦିନରେ ମୋତେ ଆଉ ଲଣ୍ଠନ ଦେଖାନି | ଏହି ଲଣ୍ଠନ ଦେଖା ଆଗରୁ ଥିଲା ଏବେବି ଅଛି | ଆମକୁ କିଏ କେତେବେଳେ,କୋଉଠି ଦିନରେ ଲଣ୍ଠନ ଦେଖାଇ ଭୁଆଁ ବୁଲାଉଛି ତାହା ଆମେ ଜାଣି ପାରୁନୁ | ଆଉ ଯେବେ ଜାଣୁଛୁ ସେତେବେଳକୁ ଆମ ନେଡି ଗୁଡ କହୁଣିକି ବୋହି ଯାଉଛି |

ଆମ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ଦିନେ ଚିଟଫଣ୍ଡ କମ୍ପାନୀ ମାନଙ୍କ ରାଜୁତି ଚାଲୁଥିଲା | ଏହି କମ୍ପାନୀ ଗୁଡିକ ସହ ଆମ ଦେଶର ଅନେକ ନେତା,ମନ୍ତ୍ରୀ,ରାଜନେତା ଓ ଅଭିନେତା ପ୍ରତେକ୍ଷ ଓ ପରୋକ୍ଷ ଭାବେ ଜଡିତ ଥିଲେ | ଏହି ସବୁ କମ୍ପାନୀ ଗୁଡିକ ସହ ଦାମୀ ,ନାମୀ ଲୋକମାନଙ୍କ ସମ୍ପର୍କ ଦେଖି ଆମର ବି ସେଗୁଡିକ ଉପରେ ଅଧିକ ଭରସା ଆସିଥିଲା | ତେଣୁ ଆମେ ଆଗ ପଛ କିଛି ବିଚାର ନକରି ଅଧିକ ଲାଭ ପାଇବା ଆଶାରେ କମ୍ପାନୀ ଗୁଡିକର ଅଡୁଆ ଜାଲ ଭିତରେ ଫସିଗଲେ | ଯେତେବେଳେ କମ୍ପାନୀ ଗୁଡିକ ଆମକୁ ଦିନରେ ଲଣ୍ଠନ ଦେଖାଇ ଚାଲିଗଲେ ଆମ ଚେତା ପଶିଲା | ଦେଶରେ ଗୋଟିଏ ପରେ ଗୋଟିଏ ଦୁର୍ନୀତି ପଦାକୁ ଆସୁଛି | କିନ୍ତୁ ଦୁର୍ନୀତିରେ ଜଡିତ ଥିବା ଲୋକଙ୍କୁ ଆମେ ଶାସନ ଗାଦିରେ ବସାଇ ସେମାନଙ୍କୁ ମହାମାନ୍ୟ ବନାଉଛେ | ଆଉ ସେହି ମହାମାନ୍ୟ ମାନଙ୍କ ଭିତରୁ ଅନେକ ଦିନରେ ଲଣ୍ଠନ ଦେଖାଇ ଦେଶକୁ ଲୁଟିବାରେ ଲାଗିଛନ୍ତି | ତଥାପି ଆମେ ଚେତି ପାରୁନେ ,ସେହି ଭଳି ଲୋକଙ୍କୁ ଶାସନ ଗାଦିରେ ବସାଇ ଆମେ ଶୋଷିତ ହେଉଛେ | ସାଧାରଣ ଜନତାଙ୍କ ପାଇଁ ହେଉଥିବା ଯୋଜନାକୁ ବିଭିନ୍ନ ବାଟରେ ହଡପ କରିବା ଏ ଦେଶରେ କମିବାର ନା ଧରୁନି | କିନ୍ତୁ ଆମ ଭଳି ସାଧାରଣ ଜନତାକୁ ଦିନରେ ଲଣ୍ଠନ ଦେଖାଉଥିବା ଲୋକକୁ ଆମେ ଜାଣି ପାରୁନୁ | ଦିନକୁ ଦିନ ଆମେ ଅନ୍ଧାରରେ ଭିତରେ ବୁଡି ରହୁଛୁ ଆଉ ଆମକୁ ଶୋଷଣ କରୁଥିବା ଲୋକ ଅତି ଚତୁରତାର ସହ ଆମକୁ ଶୋଷଣ କରିଚାଲିଛି |

ଭାରତରେ ସାଧୁ ,ସନ୍ଥଙ୍କ ସଂଖ୍ୟା କିଛି କମ ନୁହେଁ | ଦିନକୁ ଦିନ ନକଲି ସାଧୁଙ୍କ ସଂଖ୍ୟାବି ବଢି ଚାଲିଛି | ଅସାଧୁଙ୍କ ଗହଳି ଭିତରେ କିଏ ପ୍ରକୃତ ସାଧୁ ତାହା ଜାଣିବା ଏବେ କାଠିକର ପାଠ ହେଇପଡୁଛି | ଆପଣଙ୍କୁ ଈଶ୍ୱରଙ୍କ ପାଖରେ ପହଂଚାଇବା ପାଇଁ ଅନେକ ଲୋକ ଏଠି ଠିକା ନେଇଛନ୍ତି | ଅନେକ ବାବା ,ମାତା ଏଠି ଆମକୁ ଏମିତି ଭେଳିକି ଦେଖାଉଛନ୍ତି ଯେ ଆମେ ସେମାନଙ୍କ ମାୟାଜାଲ ଭିତରେ ଫଶି ଯାଉଛେ | ଆମେ ନ ଫସିବା ବା କେମିତି ? କାରଣ ସେମାନଙ୍କ ସହ ଆମ ସମାଜର ବହୁ ଦାମୀନାମୀ ନେତା ,ନେତ୍ରୀ,ଅଭିନେତା ଓ ଅଭିନେତ୍ରୀ ମାନେ ଜଡିତ ହୋଇ ବାବା ଓ ମାତାମାନଙ୍କ ଏମିତି ଗୁଣ ଗାନ କରୁଛନ୍ତି ଆମେ ଭଳି ଯାଉଛେ | ଯେତେବେଳେ ସେହି ଠକ ବାବା ଓ ମାତା ମାନଙ୍କ ନାମ ଅପରାଧ ତାଲିକାରେ ଯୋଡି ହେଇଯାଉଛି ଆମେ ସେମାନଙ୍କ ଅସଲ ଚେହେରା ଜାଣି ପାରୁଛେ | ଆମକୁ ଦିନରେ ଲଣ୍ଠନ ଦେଖାଇ ଠକ ବାବା ,ମାତା ମାନଙ୍କ ଅନୁଗତଙ୍କ ସହ ସେମାନଙ୍କ ସହ ରାଜନୀତି ଠାରୁ ଅଭିନୟ ଜଗତ ସହ ଜଡିତ ଥିବା ଲୋକମାନେ ଅତି ଚତୁରତାର ସହ ଖସି ଯାଉଛନ୍ତି ଆଉ ଆମେ ବୋକା ବନି ଯାଉଛେ |

ନିର୍ବାଚନ ଆସିଲେ ଆମେ ଖୁସି ହେଉ | ଭୋଟ ପୂର୍ବରୁ ନେତା ଓ ସେମାନଙ୍କ ଅନୁଗତ ମାନେ ଆମକୁ ଅନେକ ପ୍ରତିଶୁତି ଦିଅନ୍ତି | ଆମର ଦୁଃଖ ଯିବ ବୋଲି ଭାବୁ | ହାତୀ ଦେବୁ ଘୋଡା ଦେବୁ କହି ନେତାମାନେ ନିର୍ଵାଚନ ବୈତରଣୀ ପାରି ହେଇଯାନ୍ତି | କିନ୍ତୁ ନିର୍ଵାଚନ ପରେ ଆମ ପେଁକାଳୀ ବାଜେ ନାହିଁ | ଦୁଃଖ ସରେ ନାହିଁ | ଯେଉଁମାନେ ଭୋଟ ପୂର୍ବରୁ ଆମକୁ ଗୁହାରି କରୁଥିଲେ ସେମାନେ ଜିତିଯିବା ପରେ ଆମ ସମସ୍ୟା ଓ ଦୁଃଖ ଜଣାଇବା ପାଇଁ ସେମାନଙ୍କ ନିକଟରେ ବହୁବାର ହାତ ଯୋଡିବାକୁ ପଡୁଛି | ସ୍ୱାଧୀନତା ପରେ ଏମିତି ଦିନରେ ଆମକୁ ଲଣ୍ଠନ ଦେଖାଇ ଅନେକ ନେତା ଓ ସେମାନଙ୍କ ଜ୍ଞାତି ଜନମାନେ ଆମକୁ ଶାସନ କରି ଶୋଷଣ କରି ଚାଲିଛନ୍ତି କିନ୍ତୁ ଆମ ଜ୍ଞାନ ଉଦୟ ହେଉନି | ଯଦିବା ଉଦୟ ହେଉଛି ପୁଣି ଠାରେ ସେମାନଙ୍କ ଲଣ୍ଠନ ଦେଖାରେ ଆମେ ବାଟ ହୁଡ଼ି ଯାଉଛେ |

ଆମକୁ ଶାସନ କରୁଥିବା ସରକାର ଆମ ପାଇଁ ମାଳ ମାଳ ଯୋଜନା ତିଆରି କରୁଛନ୍ତି | କିନ୍ତୁ ଅନେକ ଯୋଜନାର ସୁଫଳ ପ୍ରକୃତ ହିତାଧିକାରୀ ମାନଙ୍କ ପାଖରେ ପହଞ୍ଚିପାରୁନି | ସରକାରଙ୍କ ତରଫରୁ ମିଳୁଥିବା ମାଗଣା ସାମଗ୍ରୀ ଗୁଡିକ ପାଇ ଆମେ ଏତେ ଖୁସି ଯେ ଆମ ସମାଜର ବୃହତ୍ତର ଗୋଷ୍ଠୀର ସ୍ଥିତି, ସ୍ୱାଭିମାନ ଓ ସମ୍ମାନ କୁଆଡେ ସବୁ ଗଲାଣି ଆମେ ବୁଝି ପାରୁନେ | ମାଗଣା ଯୋଜନା ଭିତରେ ଆମକୁ ବୁଡାଇ ଆଜିର ଅନେକ ଶାସକମାନେ ଆମକୁ ଦିନରେ ଲଣ୍ଠନ ଦେଖାଇ ଚାଲିଛନ୍ତି ଏଇଟା କିଛି ଲୋକ ବୁଝି ପାରୁଛନ୍ତି |ଆଉ କିଛି ଲୋକ ବୁଝି ବି ଅବୁଝା ହେଇ ରହି ଯାଇଛନ୍ତି | ଆଉ କିଛି ଶାସକ ମାନଙ୍କ ଚାଲାକକୁ ନ ବୁଝି ନିଜେ ଦିନର ଆଲୁଅରେ ଥାଇ ମଧ୍ୟ ଅନ୍ଧାର ଆଡକୁ ଗତି କରୁଛନ୍ତି ତାହା ବୁଝିବାର ସ୍ଥିତିରେ ନାହାନ୍ତି | ଏଇଟା ବିଜ୍ଞାପନର ଯୁଗ | ବିଜ୍ଞାପନର ଭେଳିକି ଭିତରେ କୋଉ ସାମଗ୍ରୀ ଭଲ ଆଉ କେଉଁଟା ଖରାପ ଜାଣି ହେଉନି | ଏହା ଭିତରେ ବଜାରରେ ଦାମୀ ନାମୀ କମ୍ପାନୀ ମାନଙ୍କ ସାମଗ୍ରୀକୁ ଅବିକଳ ନକଲ କରି କିଛି କମ୍ପାନୀ ସେହି ଭଳି ଉତ୍ପାଦ ବାହାର କରୁଛନ୍ତି | ଦିନର ଆଲୁଅରେ ଆମକୁ ଲଣ୍ଠନ ଦେଖାଇ ନକଲି କମ୍ପାନୀ ମାନେ ଆମକୁ ଲୁଟି ଚାଲିଛନ୍ତି | କିଛି ନକଲି କମ୍ପାନୀ ଧରା ପଡିଲା ବେଳକୁ ଆମେ ସେହି ସବୁ କମ୍ପାନୀର ସାମଗ୍ରୀକୁ ଉପଯୋଗ କରି ରୋଗର ଶିକାର ହେଉଚ୍ଛେ |

ଅଜ୍ଞାନର ଅନ୍ଧକାରକୁ ଦୂରେଇବା ପାଇଁ ଆମେ ଅନେକ ଶିକ୍ଷା ଅନୁଷ୍ଠାନ ଗଢ଼ିଛେ | ପ୍ରତିବର୍ଷ ଅନେକ ପାଠୁଆ ଲୋକ ସେଥିରୁ ବାହାରୁଛନ୍ତି | କିନ୍ତୁ ଏବେ ଦେଖାଉ ଯାଉଛି ଶିକ୍ଷିତ ଲୋକମାନେ ବେଶୀ ହିଁ ସମାଜକୁ ଦିନବେଳେ ଲଣ୍ଠନ ଦେଖାଉଛନ୍ତି | କାରଣ ଆଜି ବିଶ୍ୱରେ ଯେତେ ବଡ଼ ବଡ ଦୁର୍ନୀତି ,ଠକାମୀ ଓ ଅପରାଧ ସବୁ ହେଉଛି ଅଧିକାଂଶ ଶିକ୍ଷିତ ଲୋକମାନେ ଅତି ଚତୁରତାର ସହ ସେସବୁ ଷଡଯନ୍ତ୍ର ରଚୁଛନ୍ତି | ଆମେ ସମସ୍ତେ ଜାଣିଛେ ଶିକ୍ଷା ସମାଜରେ ସୁଧାର ଆଣେ | କିନ୍ତୁ ଆଜି ସମାଜରେ ଘଟୁଥିବା ଅନେକ ଘଟଣାକୁ ଦେଖିଲେ ବୁଝା ପଡୁଛି ଶିକ୍ଷା ଦ୍ୱାରା ଆମ ସମାଜର ସ୍ଥିତି ଆଉ ବଦଳୁ ନାହିଁ | ବିଶ୍ୱରେ ଅନେକ ଡିଗ୍ରିଧାରୀ ଲୋକ ବାହାରିଛନ୍ତି ସତ କିନ୍ତୁ ତାହା ଭିତରେ ପ୍ରକୃତ ଶିକ୍ଷିତଙ୍କ ସଂଖ୍ୟା ଯେ ନଗଣ୍ୟ ଏଇଟା ଆଉ କାହାକୁ ଅଛପା ନାହିଁ | ସମାଜ ସେବା ପାଇଁ ଅନେକ ଅନୁଷ୍ଠାନ ଚାରିଆଡେ କାମ କରୁଛନ୍ତି | ହାତ ଗଣତି କିଛି ଅନୁଷ୍ଠାନ ଲୋକଙ୍କ ପାଇଁ ପ୍ରକୃତ ସେବା କରୁଛନ୍ତି | ଆଉ କିଛି ଅନୁଷ୍ଠାନ ସରକାରୀ ଓ ବେସରକାରୀ ଅନୁଦାନ ସବୁ ଆଣି ନିଜେ ଅୟସରେ ରହୁଛନ୍ତି | ଯୋଉ ଦୀନ ,ଦୁଖୀଙ୍କ କଥା ବଖାଣି ସେମାନେ ଅର୍ଥ ଆଣୁଛନ୍ତି ସେମାନଙ୍କୁ ଦିନରେ ଲଣ୍ଠନ ଦେଖାଇ କୋଟିପତି ହେଉଛନ୍ତି | କିନ୍ତୁ ସେମାନେ କାମ କରୁଥିବା ଅଞ୍ଚଳର ଲୋକମାନଙ୍କ ଭାଗ୍ୟ ବଦଳି ପାରୁନି | ତଥାପି କିଛି ଅନୁଷ୍ଠାନ ଅଛନ୍ତି ଲୋକମାନଙ୍କ ସହ ଅଙ୍ଗାଙ୍ଗୀ ଭାବେ ଜଡିତ ହେଇ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣୁଛନ୍ତି | ସେହି ଭଳି ଅନୁଷ୍ଠାନ ଗୁଡିକ କିନ୍ତୁ ଲୋକଲୋଚନକୁ ଆସି ପାରନ୍ତି ନାହିଁ କି ନିଜର ବିଜ୍ଞାପନ ଏତେ କରନ୍ତି ନାହିଁ | ସେବାରେ ସେମାନେ ଆନନ୍ଦ ପାଆନ୍ତି ଆଉ ସମାଜରେ ସେମାନେ ଆନଂଦ ବାଣ୍ଟି ଚାଲିଛନ୍ତି |

ଆମ ରାଜ୍ୟ ସମେତ ଦେଶର ଅନେକ ଅନୁଷ୍ଠାନ ଅଛନ୍ତି ଯୋଉମାନେ ଆପଣଂକ ପ୍ରତିଭା ପାଇଁ ଆପଣଙ୍କୁ ସମ୍ମାନିତ କରନ୍ତି | କିଛି ବିକଳିଆ ପ୍ରତିଭାଧର ମାନଙ୍କୁ ସେମାନେ ଦିନରେ ଲଣ୍ଠନ ଦେଖାଇ ସେମାନଙ୍କ ମୁଣ୍ଡରେ ଶିରିପା ଭିଡନ୍ତି | ମୋଟା ଅଙ୍କର ଅର୍ଥ ନେଇ ଶୁଖିଲା ମାନପତ୍ର ଖଣ୍ଡେ ଧରେଇ ଦିଅନ୍ତି | ଚତୁର ଅନୁଷ୍ଠାନ ଗୁଡିକ ସଂଖ୍ୟା ଏବେ ବଢି ଚାଲିଛି ପଛେ କମିବାର ନାମ ଧରୁନି | ଆଉ ସେହି ଅନୁଷ୍ଠାନ ଗୁଡିକର କାମକୁ ଆମ ସମାଜର କିଛି ଅତି ଚତୁର ଲୋକମାନେ ପ୍ରଶୟ ଦେଉଛନ୍ତି | ଠକମାନେ ନିଜ ମାୟାଜାଲ ବିଛାଇ ଏଠି ଏମିତି ବସିଛନ୍ତି ଆମେ ଯେତେ ସଚେତନ ହେଲେ ବି ଠକାମୀର ଶିକାର ହେବେ | ଥରେ ଦୁଇଥର ଠକିଗଲେ ଚଳିବ | ଆମେ ଜାଣି ପାରିଲେ ନାହିଁ | କିନ୍ତୁ ବହୁବାର ଠକିବାପରେ ଆମେ ଯଦି ଚେତି ପାରୁନେ ତେବେ ଦୁନିଆରେ ଏମିତି ଆମକୁ ଦିନରେ ଲଣ୍ଠନ ଦେଖାଉଥିବା ଲୋକଙ୍କ ସଂଖ୍ୟା ବଢିଚାଲୁଥିବ ପଛେ କମିବାର ନାମ ଧରିବନି | ଆଉ ଆମେ ଏଠି ସେହି ଚତୁର ଲୋକ ମାନଙ୍କ ମାୟା ଭିତରେ ଛନ୍ଦି ହେଇ ଶୋଷିତ ହେଉଥିବା ଏଥିରେ କିଛି ସନ୍ଦେହ ନାହିଁ | ଏବେ ଦେଖିବାକୁ ଖାଲି ବାକି ରହିଲା ସମାଜକୁ ଦିନରେ ଲଣ୍ଠନ ଦେଖାଉଥିବା ଲୋକମାନଙ୍କୁ ଆମେ କେବେ ଜାଣିପାରିବା ଓ ସେମାନଙ୍କ ଠାରୁ ମୁକ୍ତି ପାଇପାରିବା | 

ରଚନା : ସନ୍ତୋଷ କୁମାର ମହାନ୍ତି

ଠିକଣା : ନବଜୀବନ ସମାଜ, ସଫା, କଟକ