
ଯାହାତ ଦେଖୁଛି ସବୁତ ତୁମର
ମିଛରେ କହୁଛି ମୋର
କି ଦେଇ ପୂଜିବି କଳା ଠାକୁର ହେ
ଘେନ ପୂଜା ଉପହାର ll
ଭକ୍ତି ଫୁଲଟିଏ ଅର୍ପୂ ଛି ଠାକୁରେ
ମନ ପ୍ରାଣ ଢାଳି ଦେଇ
ନୟନରୁ ଅଶ୍ରୁ ବହେ ଧାର ହୋଇ
ତୋ କରୁଣା ଟିକେ ପାଇଁ ll
ଅନ୍ତର ବେଦନା ଅନ୍ତରେ ମରୁଛି
କହିବାକୁ ରାହା ନାହିଁ
ତୁମେ ଅନ୍ତର୍ଯ୍ୟାମୀ ଜାଣିକି ନ ପାର
କି ପାଇଁ ବ୍ୟଥିତ ମୁହିଁ ll
ସଭିଙ୍କର ଦୁଃଖ ଦୂର କର ବୋଲି
ନାମ ଅଟେ ଦୀନ ବନ୍ଧୁ
ମୋ ପାଇଁ କରୁଣା ହୋଇଲାକି ଉଣା
ଆହେ ପ୍ରଭୁ କୃପା ସିନ୍ଧୁ ll
ଦୁଃଖ ଯଦି ଲେଖା କପାଳରେ ମୋର
କି ପାଇଁ ମାଗିବି ସୁଖ
ତୁମ ନାମ ଜପି ଭବୁ ତରି ଯିବି
ନ କରିବି ଟିକେ ଦୁଃଖ ll
ସହିବାର ଶକ୍ତି ଭରି ଦିଅ ପ୍ରଭୁ
ଦୁଃଖ ଯାତନାର ସୁଅ
କଳା ମୁଖ ଚାହିଁ ସବୁ ଭୁଲି ଯିବି
ସୁଖ ଶାନ୍ତି ହରି ନିଅ ll
ଦୁଃଖ ପଡ଼ିଲେତ ତୁମକୁ ଡାକିବି
ସୁଖେ କାଳେ ଭୁଲି ଯିଵି
ତୋ କରୁଣା ଭିକ୍ଷା ନିତି ମାଗୁଥିବି
ସିଂହ ଦ୍ୱାରେ ବସି ଥିବି ll
ଭଜନ ଜଣାଣ ନିତି ଗାଉଥିବି
ତୋ ବଡ ଦେଉଳେ ବସି
ସୁଖ ଦୁଃଖ ସବୁ ଅରପି ଦେଇଛି
ହୃଦୟେ ମୋର ତ ଖୁସି ll