କି କରିବି ବୁଦ୍ଧି ଦେଖା ଗୋ ସଜନୀ
କି କରିବି ବୁଦ୍ଧି ଦେଖା ,
କେଉଁ ପରକାରେ ଶ୍ୟାମଙ୍କୁ ତୋଷିବି
ସେ ମୋର ପରାଣ ସଖା ।

କେତେଦିନ ହେଲା ପାଇନାହିଁ ଭେଟ
ମରମ ହେଲାଣି ଦହି ,
ମନ ତଳରେ ମୋ ଅକୁହା ଭାବନା
ଚାପି ହୋଇ ଅଛି ରହି ।

ଯମୁନା କୂଳକୁ ଗଲାବେଳେ ସଖି
ନଜର ରହୁଛି ମୋଠି ,
ବୃନ୍ଦାବନ ଅବା କଦମ୍ବ ମୂଳରେ
ପାରୁନାହିଁ ତେଣୁ ଭେଟି ।

ଧୈର୍ଯ୍ୟ ଧରିବାକୁ ଶକତି ନାହିଁ ମୋ
ହଂସା ଯାଉଅଛି ଉଡ଼ି ,
କିଏ ଯାଇ ମୋର ପରାଣ ବନ୍ଧୁଙ୍କୁ
ଆଣ ଯାଇ ପାଶେ ଲୋଡ଼ି ।

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ ।