ଧୂସର ବଉଦ ପରି
ସଂପର୍କ ଗୁଡା
ଘୁରିବୁଲୁଥାଏ କେବେ କେବେ
ଆକାଶର ଅସରନ୍ତି ଶୋଷ ଭିତରେ,
ନା କେବେ ବର୍ଷି ପାରନ୍ତି
ନା କେବେ ଭିଜେଇ ପାରନ୍ତି
ମାଟିର ପଣତ
ମମତାର ପଞ୍ଚଜୈନ୍ୟ ନାଦରେ।
ଆଉ କେବେ କେବେ
ଲୁହର ଟପ୍ ଟାପ୍ ଶବ୍ଦ ଭିତରେ
ସଂପର୍କ ସବୁ
ସ୍ବର ତୋଳୁଥାନ୍ତି
ଖୁବ୍ ଗୋଟାଏ ଭିଜେଇବାର
ଅଭିନୟ ଭିତରେ,
ଆଉ କେବେ କେବେ
ସଂପର୍କ ସବୁ
ମଥା ପିଟୁଥାନ୍ତି
ଅବରୁଦ୍ଧ ହୃଦୟର
କୁଟିଳ କାନ୍ଥରେ ।
ହେଲେ
ନିରାଶାର ବହଳ ଅନ୍ଧାର ଭିତରେ
ଶୋଇଯାନ୍ତି ଚିର ନିଦ୍ରାରେ,
କେବେ କେବେ ସଂପର୍କ
ଏକ ଆପେକ୍ଷିକ ତତ୍ତ୍ବ ଭଳି
ବାସ୍ତବତା ଠାରୁ ଥାଏ
ବହୁତ୍ ଦୂରରେ ।
ତଥାପି
ସଂପର୍କର ବୁଢିଆଣୀ ଜାଲରେ
ମଣିଷ ଛନ୍ଦି ହୋଇ
ପୁଲକିତ ହୁଏ
କାହିଁକି ନା
ସଂପର୍କର ଶ୍ରଦ୍ଧା ଫୁଲରେ
ସେ ବିଶ୍ବାସର ମାଳା ଗୁନ୍ଥିବାକୁ
ଖୁବ୍ ଭଲପାଏ ।


ରଚନା : ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)

ଠିକଣା : ଓରାଳି, ହାଟଡିହି, କେନ୍ଦୁଝର । ଦୂରଭାଷ : 9438191850