ହେ ନୂଆ ବରଷ ଖୁସିରେ ଯେ ଆସ
ସ୍ୱାଗତ କରିବା ପାଇଁ...
ଆମେ କୁନା କୁନି ତୁମରି ବାଟକୁ
ହରଷେ ରହିଛୁ ଚାହିଁ...।୧।
ପକ୍ଷୀ ପରି ଆମ ମନ ଉଡି଼ଯାଏ
ଦେହ ଯାଏ ଶୀତେ ଥରି....
ଲାଗୁଛି ସତରେ ଯେମିତି ଆମକୁ
ମନ୍ତର ଦେଇଛି କରି....।୨।
ଘର ଅଗଣାରେ ତୁମ ପାଇଁ ପରା
ଝଟକି ଉଠଇ ଝୋଟି....
କ୍ଷେତରେ କ୍ଷେତରେ ସୁନାରଙ୍ଗୀ ଧାନ
ଭୂଇଁରେ ପଡ଼ଇ ଲୋଟି...।୩।
ବଗିଚାରେ ଫୁଲ ପାଖୁଡା଼ ମେଲାଇ
ପବନ ଦୋଳିରେ ଝୁଲେ....
ଫୁଲେ ଫୁଲେ ଉଡି଼ ତୁମରି ଗୀତକୁ
ଭଅଁରଟି ଗାଇ ବୁଲେ...।୪।
ଘରେ ଘରେ ତୁମେ ପାଦ ଥାପିଦିଅ
ନୂଆ କୁଣିଆଟେ ହୋଇ....
ସାଥୀଟିଏ ହୋଇ ଆମ ସଭିଙ୍କର
ମନ ନିଅ ତୁମେ ମୋହି...।୫।
ନୂଆ ଆଶା ନୂଆ ସପନରେ ଆମେ
ଲାଗିଯିବୁ ଭଲ କାମେ....
ହେ ନୂଆ ବରଷ ହେ ନୂଆ ବରଷ
ଆଶୀଷ ମାଗୁଛୁ ଆମେ....।୬।

କବି-ରବି ପ୍ରଧାନ, ବାଣପୁର, ଖୋରଧା, 9078007640