ମାଆ ମାଆ ବୋଲି କେତେ ମୁଁ ଖୋଜିଲି
ମାଆକୁ ପାଇଲି ନାହିଁ,
ଭାଇ ଭାଇ ବୋଲି କେତେ ମୁଁ ଡାକିଲି
ନଦେଲେ ଉତ୍ତର କେହି ।

ଖୋଜିଲି ଅରଣ୍ୟେ ଜନସମାଜରେ
ଖୋଜିଲି ବାରିଧି ତଟ,
ସର୍ବତ୍ର ଦେଖିଲି ମାତା ପଦଚିହ୍ନ
ନ ହେଲା ମାତାର ଭେଟ ।

ଭୁବନେଶ୍ବରରେ ପଦଚିହ୍ନ ପରେ
ଲେଖା ଅଛି ରାଜରାଣୀ
ନୀଳାଚଳ ଧାମେ ପୂଜା ହେଉଅଛି
ହିନ୍ଦୁ ଜାତି ମଥା-ମଣି ।

ଶୁଣିଅଛି ଶାସ୍ତ୍ରେ ସତୀ-ଅପମାନେ
ଧରା ହୁଏ ବିଦାରଣ,
ଅପମାନ ହେତୁ ସୀତା ଦେବୀଙ୍କର
ମହୀହୃଦେ ବାସସ୍ଥାନ ।

ଅପମାନ ହେତୁ ଜନନୀ ମୋହର
ଉତ୍କଳ ଭୂମଧ୍ୟବାସୀ
ଉତ୍କଳର ମାଟି ପବିତ୍ର ହୋଇଛି
ସ୍ବର୍ଗାଦପି ଗରୀୟସୀ ।

ଜନନୀର ଦେଖା କରିବାରେ ଇଚ୍ଛା
ଯଦି ହୋଇଥାଏ ମନେ,
ଉତ୍କଳର ମାଟି ଆଲିଙ୍ଗନ କରି
ତା ଧୂଳି ଲେପ ବଦନେ ।

ବୀରପ୍ରସବିନୀ କୋଟି ସୂତ ମାତା
ପାଇବ କି ଦରଶନ ?
ମୋ ଭଳି ନିର୍ଗୁଣ ଧନ-ମାନ-ହୀନ
ସନ୍ତାନ କଲେ ରୋଦନ ।

କୋଟିଏ ସନ୍ତାନ ଗୋଟିଏ ସ୍ବରରେ
ଜନନୀ ଜନନୀ ଡାକ,
ତୃଷ୍ଣାରେ କାତର ଗଗନକୁ ଚାହିଁ
ଯେସନେ ଡାକେ ଚାତକ ।

ଧନ ମାନ ଜନ ଯାହା ଉପାର୍ଜନ
କରିଅଛ ଧରାତଳେ,
ହରଷିତ ମନେ କରତବ୍ୟ ଜ୍ଞାନେ
ଆଣିଦିଅ ଯଜ୍ଞେସ୍ଥଳେ ।

ଜାତି-ପ୍ରେମ-ବହ୍ନି ପ୍ରଜ୍ବଳିତ କର
ସ୍ବାର୍ଥକୁ ଦିଅ ଆହୁତି
ସ୍ବାର୍ଥମେଧ ଯଜ୍ଞେ ଚାରିଆଡ଼େ ନାଚ
ଛାତିକୁ ମିଶାଇ ଛାତି ।

ଭୁମିକମ୍ପ ହେବ ଧରଣି ଫାଟିବ
ଉଠିବେ ସହସ୍ରଭୁଜା,
ସେହି ତୋର ମାତା ସେହି ତୋର ତ୍ରାତା
କର ସେହି ପଦପୂଜା ।