ମୋ ଜୀବନ ରୂପା ଜହ୍ନ
ଯା' ଘର ନୀଳ ଗଗନ
ପଥରେ ତା' ଯେତେ ଯେତେ ସାଧନା
ପ୍ରୀତି ଅନୁରାଗୀ ବୁକୁ
ପୀରତି ଅରପିବାକୁ
ମରମେ ସରମ କେବେ କରେନା ll

ଆଖି ତଳେ ତଳେ ଆଜି
ଅତୀତ ଗଲାଣି ହଜି
ଫୁଟିଉଠେ ଜୋଛନାର ଲହରୀ
ନିରିଜନ ଏ ସରଣୀ
କିମ୍ପା ଏଠି ଏ ତରୁଣୀ
କୁମୁଦବତୀ ସେ ରୂପ ମାଧୁରୀ ll

ଭାବାବେଶେ ଥରହର
ଯଉବନ ବ୍ୟଥାଭାର
ନିଶୀଥିନୀ ପୋଛିଦିଏ କପାଳ
ଶତ ସଖୀ ଆଶ୍ୱାସନା
ଦେଇ ସକଳ ସାନ୍ତ୍ୱନା
ବିରହୀ ସମିପେ ସବୁ ବିଫଳ ll

ଛୁଇଁଲା ଚନ୍ଦ୍ରିକା ରେଣୁ
ବଜାଇ ପ୍ରଣୟ ବେଣୁ
ପ୍ରେୟସୀ ଅନ୍ତର ଖେଳେ ସନ୍ତୋଷ
ନୟନ ମେଲାଇ ଗୋରୀ
ଲାଜରେ ହାତକୁ ଠାରି
ଜଣାଇଲା କୃତଜ୍ଞତା ଅଶେଷ ll

ପାହାନ୍ତାର ଆଗମନେ
ବିଦାୟ ନେବି ଯତନେ
ମିଳନ ପରର ଯେଉଁ ବିଯୋଗ
ଏଇତ ଜୀବନ ରେଖା
ସବୁରି କପାଳେ ଲେଖା
ଦିନେ ତ ସୁଯୋଗ ଦିନେ ଦୁର୍ଯୋଗ ll

ରଚନା : ବସନ୍ତ କୁମାର ପଣ୍ଡା

ଠିକଣା : ବଇଞ୍ଚା, ଇରମ, ଭଦ୍ରକ,   ଦୂରଭାଷ : 8979447036