
ପ୍ରେମିକାର ଚିଠି ଖୋଲୁ ଖୋଲୁ ଭାସିଆସେ
ସଞ୍ଚିତ ଅଭିଯୋଗ
ବଞ୍ଚିତ ଅଭିମାନ
ଦଲକା ଶିହରଣ
ପାପୁଲିଏ ଆକର୍ଷଣ
ଦି' ଟୋପା ତାଜା ଲୁହ ଆଉ
ପ୍ରେମବୋଳା ଆତ୍ମିୟତାର ସେଇ କଥା
"ଈଶ୍ବର କୃପାରୁ ତୁମେ ଭଲରେ ଥାଅ..!!"
ଯଦିଓ ତା' ବିଶ୍ୱାସରେ ମୋ' ନିଶ୍ୱାସ ବନ୍ଧା ଯେତେଦିନ
ମୁଁ ଭଲରେ ଥିବି ଅବଶ୍ୟ..!!
ଆହୁରି ଲେଖିଛି
ପ୍ରେମ ଯହିଁ ପରିବ୍ୟାପ୍ତ
ମାଟିରୁ ଆକାଶ ପାଣିରୁ ପବନ ତେବେ
ପ୍ରତିପାଦେ ତୁମ ଅନୁପସ୍ଥିତି ଓଗାଳନ୍ତି କାଇଁ ବାଟ
ମୁହୂର୍ତ୍ତେ ବିତେନି ଦିନ
ପୂର୍ବରୁ ପଶ୍ଚିମ କି ବାମରୁ ଦକ୍ଷିଣ..!!
ତୁମ ପ୍ରେମ ଠାରୁ ବେଶି ଯନ୍ତ୍ରଣା ଜର୍ଜରିତ
ତୁମ ଶବ୍ଦର ଜ୍ଜଳନ
ଏ ପୁନେଇଁର ଜହ୍ନ ଆଉ ଶାଣିତ ପ୍ରଶ୍ନବାଣ..!!
ପ୍ରତ୍ୟୁତ୍ତରେ ଲେଖେ
ତୁମେ ଜାଣନା ଗୋ' ପ୍ରିୟା
ଆହତ ଶବ୍ଦ, ବିଦ୍ରୋହୀ ପ୍ରଶ୍ନବାଣ , କଳଙ୍କିତ ଜହ୍ନ
ଏମାନେ ତ ଶତୃପକ୍ଷ
ନିଜପକ୍ଷ ତ କେବଳ ପ୍ରେମ ଆଉ ପ୍ରେମ..!!
ସେମାନେ ପରାସ୍ତ ବୋଲି
ତୁମ ହାତେ ଅପୂର୍ବ ପାରିଜାତ
କମନୀୟ ପ୍ରେମ ତରବାରୀ
ମୋ ହାତେ ତୁମ ନୀଳ ପ୍ରେମଚିଠି..!!
ପ୍ରେମ ଡେଣା ମେଲି ଉଡେ
ଆଖିରୁ ଓଠକୁ ଓଠରୁ ତୁଠକୁ
ତୁଠରୁ ବାଟକୁ ବାଟରୁ ଘାଟକୁ
ବୁଢା ନାଉରୀ ପାରିକରି ନିଏ ଆମ ଗାଁ ଘାଟକୁ..!!
ପ୍ରଜାପତି ତୁମ ଦେହ ରଙ୍ଗ ମାଖି
ସେ ଚିଠିରେ ବସେ
ଇନ୍ଦ୍ରଧନୁ ଝର୍କା ଡେଇଁ ଶବ୍ଦ ପରେ ବସେ
ଆମ ଗାଁ ଘର ଦାଣ୍ଡ କବାଟରେ
ମୃଦୁଘାତ ଦିଏ ପ୍ରେମ
ଆହାଃ.. ସେ କି ଅପୂର୍ବ ସମ୍ମୋହନ..!!?
ଗଛ ପତ୍ର ନିଦା ପଥର
ଟାହି ଟାପରା ଅପନିନ୍ଦା ଆଘାତରେ
ଛିଣ୍ଡିପଡେ ସଞ୍ଜ
କିନ୍ତୁ ପ୍ରତିଥର
ଝିଟିପିଟି ପରି ବଢୁଥାଏ ମୋ ପ୍ରେମ , ବିଶ୍ବାସର ଲାଞ୍ଜ..!!
ବଦନାମ ଏକ ମିଠା ମହୁ
ତା' ସ୍ୱାଦ ନଚାଖିଲେ ପ୍ରେମ କଣ ପରଖି ହୁଏ..!?
ଚିଠିରେ ଲେଖିଛ ଏସନ ଆସିବ
ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣ ଦୋଳ ମେଲଣେ
ଦେଖିବ ମୋତେ ଆଖି ଭରି
ତପ୍ତ ଜ୍ଜଳନ ଯିବାଯାଏଁ ଅପସରି..!!
ଜହ୍ନ ଜାଳିବ..!?
ଦେଖିବା କିଏ ଜଳୁଛି ଆଉ କିଏ ଜାଳୁଛି..!?
(ବି:ଦ୍ର:-ଦେଖା ହେଲା ପରେ କହିବି..😊)
