
ଆଗୋ ନିରିମାଖି ପ୍ରାଣପ୍ରିୟା ମୋର
ଚାହଁ ଟିକେ ମୁଖ ତୋଳି
ଅଭିମାନ ଆଉ ବଡ଼ କରି ଏତେ
ଦିଅନାହିଁ ମନେ ଗାଳି !
କଥା ରଖି ଦିନେ ଆସିଲିନି ବୋଲି
ସେଥିଲାଗି ଭୁଲ ହସ
କବରୀକୁ ଧୀରେ ଦେଖାଅଗୋ ଖୁସି
ଖୋସିଦେବି ଫୁଲ ବାସ,
ମିଛଟାରେ ଆଉ ପ୍ରାଣପକ୍ଷୀ ଏତେ
ଫୁଟାଅନି ମାନ ଗୁଳି !
ଆଗୋ ନିରିମାଖି ପ୍ରାଣପ୍ରିୟା ମୋର
ଚାହଁ ଟିକେ ମୁଖ ତୋଳି........
ସହଜରେ ଏବେ ତୁମ ସୁଖ କୋଳେ
ପଡ଼ିବାକୁ ଚାହେଁ ଲୋଟି
ତୁମ ଆଙ୍ଗୁଳିକୁ ମଥା ପରେ ଚାଳି
ବ୍ୟଥା ମୋର ଦିଅ କାଟି,
ମୋହ ଲୁହ ଆଉ ଝରାଅନି ତୁମେ
କବାଟକୁ ପାଶେ କିଳି !
ଆଗୋ ନିରିମାଖି ପ୍ରାଣପ୍ରିୟା ମୋର
ଚାହଁ ଟିକେ ମୁଖ ତୋଳି........
ସମୟର ଚିଠି କେତେ ଭାବ ଥିଲା
ପୁଣି ଥରେ ଯାଅ ପଢ଼ି
ପ୍ରେମଛଡ଼ା ମତେ ଦୋଷୀ କରନାହିଁ
ଅଯଥାରେ ତୁମେ ଲଢ଼ି,
ଭାବ ବନିଶୀରେ ପ୍ରେମ ଥୋପ ମୁଁଯେ
ବାରେ ଏବେ ନିଅ କଳି !
ଆଗୋ ନିରିମାଖି ପ୍ରାଣପ୍ରିୟା ମୋର
ଚାହଁ ଟିକେ ମୁଖ ତୋଳି........
