ପ୍ରେମ ବୋଲି ଯେଉଁ ଦୁଇଟି ଅକ୍ଷର
ସରଗ ଠାରୁ ବି ବଡ
ପ୍ରେମ ଶାସ୍ଵତ ଚିରନ୍ତନ ସୁନ୍ଦର
ପ୍ରେମ ଅଟେ ଫୁଲ କଢ l
ପ୍ରେମର ବନ୍ଧନ ପ୍ରେମର ମମତା
ପ୍ରେମରେ ସେ ଆତ ଯାତ
ପ୍ରେମ ପ୍ରସ୍ଫୁଟିତ ପୁଷ୍ପର ମହକ
ବାସନାରେ ଉଲ୍ଲସିତ l
ପ୍ରେମର ବନ୍ଧନ ସ୍ବପ୍ନ ପାରିଜାତ
ସୁଗନ୍ଧ ତାର ରସିଲା
ବାସ୍ନା ମହକିଲା ଅସ୍ତିତ୍ୱ ହାରିଲା
ସ୍ବପ୍ନ ତାର ମଉଳିଲା l
ସମୟ ସ୍ରୋତରେ ଅତୀତର ସ୍ମୃତି
ଚିର ସହଚର ହେଲା
ସ୍ବପ୍ନ ଭାଙ୍ଗିଗଲା ଆଶା ତୁଟି ଗଲା
ଲୁହ ତ ଶ୍ରାବଣ ହେଲା l
ଆତୁଟା ସପନ ପ୍ରେମର ବନ୍ଧନ
ମାୟା ଖାଲି ଚୁରା ବାଲି
ଗନ୍ତାଘର ସାଜେ ସ୍ମୃତି ରାଜି ଖାଲି
ଭବିଷ୍ୟତ ଲୁଚକାଳି l
ଭାସି ଭାସି ଯାଏ ନଉକା ତାହାର
ଆଖି ଲୁହ ନଦୀ ଧାରେ
ଥଳ ପାଏ ନାହିଁ କୂଳ ପାଏ ନାହିଁ
ଚିନ୍ତାରେ ସେ ଘାରି ମରେ l
ତଥାପି ହାରେନା ଯୁଦ୍ଧା ସମପରି
ଲଢ଼ିଥାଏ ଅସ୍ତ୍ର ଧରି
ପ୍ରେମର ଦିପାଳୀ ଆଶାରେ ଜଳାଏ
ଆଖି ଲୁହ ତେଲ ଭରି l
ସମୟର ଗତି ସ୍ଥିର ରହେ ନାହିଁ
ଛିଣ୍ଡା ସୂତା ଯାଏ ଯୋଡି
ପ୍ରେମର ବନ୍ଧନ ସୁରଭି ଖେଳାଏ
ଶୁଖେ ନାହିଁ ଫୁଲ କଢି l
ଘାତ ପ୍ରତିଘାତ ବାଧାବିଘ୍ନ ଯେତେ
ସବୁ ଶେଷ ହୋଇ ଯାଏ
ଧୈର୍ଯ୍ୟର ଫଳ ସବୁଠୁ ମଧୁର
ସୁଆଦିଆ ହୋଇ ଥାଏ
0 Comments
You can write now your valuable comments here. Off-topic comments may be removed or deleted without prior notice.