କୋମଳ ମଧୁର ପ୍ରଭାତ ସମୀର
ପୁଲକ ଜଗାଇ ଅଙ୍ଗେ
କନକ ଖଚିତ କିରଣେ ରଞ୍ଜିତ
ବାଳୁତ ଅରୁଣ ସଙ୍ଗେ,
ପରାଣେ ପରାଣ ଥୋଇ
ସେଫାଳି କୁସୁମେ ତଳପ ବିଛାଇ
ଗଲେ ସୁକାମନା ଦେଇ ll

ପ୍ରତ୍ୟୁଷ ପରଶେ ଲାବଣ୍ୟ ପ୍ରକାଶେ
ଉଦିତ ମୋ ଭାଗ୍ୟ ରେଖା
ଏ ପୁଣ୍ୟ ପାର୍ବଣେ ପରାଣ ପ୍ରାଙ୍ଗଣେ
ଜଳିଲା ଜୀବନ ଶିଖା,
ସକଳ ମହତ ସ୍ମରି
ବିଜୟ ବିଭୁତି ପିନ୍ଧି ନିତି ନିତି
ଚାଲୁଛି ସମୟ ଚିରି ll

ବେଳକେ ଦାରୁଣ ବିପତ୍ତି କଷଣ
ବେଳକେ ସମର ଧୋକା
ଚାଲୁ ଚାଲୁ ବାଟ ହୁଏ ପୁଣି ଭେଟ
ମୋହନ ମୂରତି ସଖା,
ଏଇତ ଜନମ ଯଶ
କାହୁଁ ଲଙ୍କାବୀର ଅମୀର କୁବେର
ସବୁ ଜଣଙ୍କର ଦାସ ll

ପୀଡା କି ଯନ୍ତ୍ରଣା ଅବା ପ୍ରତାରଣା
କିମ୍ବା ଭଗାରିର ଦୁଃଖ
ମହା ଆନନ୍ଦରେ ସହି ଯାଏ ସବୁ
ବେଦନା କୁ ମଣି ସୁଖ,
ସକାଳରୁ ସଞ୍ଜ ହେଲା
ଜୀବନ ଯାକର ବାସି କାମ ସାରି
ଫେରିବାର ବେଳ ହେଲା ll

ରଚନା : ବସନ୍ତ କୁମାର ପଣ୍ଡା

ଠିକଣା : ବଇଞ୍ଚା, ଇରମ, ଭଦ୍ରକ,  ଦୂରଭାଷ : 8979447036