ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ
ସୁଦୀର୍ଘ ଯାତ୍ରା ହିଁ ପରୀକ୍ଷା-
ଧୈର୍ଯ୍ୟ, ନିଷ୍ଠା, ବୁଦ୍ଧି ଓ ସାହସର
ଅବଚ୍ଛିନ୍ନ ଭାବେ ନିରନ୍ତର
କ୍ଷଣ ରୁ କ୍ଷଣାନ୍ତର, ଆଦିରୁ ଆଦ୍ୟନ୍ତର ।।

ଶିଶୁରୁ ଯୁବକ ଏବଂ ପ୍ରୌଢ଼
ସଭିଙ୍କୁ ପ୍ରମାଣ ଦେବାକୁ ହୁଏ
ସଫଳତା ଓ ଶ୍ରେଷ୍ଠତ୍ୱର,
ହିସାବ ନିକାଶ ହୁଏ
ହାରିବା ଓ ଜିତିବାର
ବିଫଳତା ଓ ସଫଳତାର,
ସୋପାନ ପରେ ସୋପାନ
ଉଠିବାକୁ ହୁଏ ଗୋଟି ଗୋଟି
ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଉତ୍ତାରୁ ।।

ମୁଣ୍ଡ ଟେକି ଛିଡ଼ା ହେବାକୁ ହେଲେ
ସାବାସୀ ଓ ପ୍ରଶଂସା ସାଉଁଟି ବାକୁ ହେଲେ
ଦେବାକୁ ହୁଏ ପରୀକ୍ଷା,
ଯୋଗ୍ୟ ସନ୍ତାନର ପ୍ରମାଣ ପାଇଁ
ଅଥବା ଯତ୍ନଶୀଳ ପିତା ମାତା ହେବା ପାଇଁ,
ଦାୟିତ୍ବବାନ ସ୍ଵାମିତ୍ୱର ପରିଚୟ
ଅଥବା ପତିବ୍ରତା ସ୍ତ୍ରୀ ଟିଏ ହେବା ପାଇଁ,
ଆଦର୍ଶ ଶୀକ୍ଷକ ଟିଏ ସାଜିବା ପାଇଁ
ଅଥବା ଚରିତ୍ରବାନ୍ ଛାତ୍ରର ବଳିଷ୍ଠ ପ୍ରମାଣ ପାଇଁ
ଉତ୍ତୀର୍ଣ୍ଣ ହେବାକୁ ହୁଏ ଅଗ୍ନି ପରୀକ୍ଷାରେ ।।

ସେ ରାଜା ହୁଅନ୍ତୁ ଅବା ପ୍ରଜା
ଅବତାରୀ ମହା ପୁରୁଷ ଅବା
ସାଧାରଣ ପୁରୁଷ,
ମର୍ଯ୍ୟାଦା ପୁରୁଷ ରାମ ଚନ୍ଦ୍ର
ଅବା ସତୀ ଶ୍ରେଷ୍ଠ ନାରୀ
ଜନକ ନନ୍ଦିନୀ ସୀତା-
ସଭିଙ୍କ ପାଇଁ ଏ ପରୀକ୍ଷା,
ଅଦ୍ୱିତୀୟ, ଅପରାଜେୟ, ଅଦମନୀୟ
ପରାକାଷ୍ଠା, ଶକ୍ତି, ଯଶ ଓ କୀର୍ତ୍ତିର
ପ୍ରାପ୍ତି ପାଇଁ ଏ ପରୀକ୍ଷା-
ସତେ ଅବା ଜୀବନର ସର୍ବନାମ ହିଁ ପରୀକ୍ଷା ।।


ରଚନା : ପ୍ରଦୀପ କୁମାର ପ୍ରଧାନ

ଠିକଣା : ପି.ଜି.ଟି., ଇଂରେଜୀ, ଡି.ଏ.ଭି. ପବ୍ଲିକ ସ୍କୁଲ,
ବ୍ରହ୍ମପୁର ଦୂରଭାଷ : ୮୭୬୩୬୨୯୨୮୨