ଯିଏ ଦଶ ମାସ କଷଣ ସହି ଦୁଇଟି ନୂଆ ଜନ୍ମ ଦିଏ,
ହୁଏ ତ ପୁତ୍ର, ନ ହେଲେ କନ୍ୟାର ଅବୟବ ଧାରଣାରେ ତା'ର ମାତୃତ୍ଵର ଆରମ୍ଭ....
ଫରକ୍ ଥାଏ,
ପୁଅ ହେଲେ ଘରେ ହର୍ଷ ଉଲ୍ଲାସର ବାତାବରଣ,
ଆଉ ଝିଅ ହେଲେ "ବୋଝ" ନାମକ ଶବ୍ଦରେ ପ୍ରଦୂଷଣ....
ସେ ମାଆ ନୀରବରେ ଆଖିର ଲହୁକୁ ପିଇ ଯାଏ,
କାରଣ ସେ ପରା ପାତର ଅନ୍ତର କରି ଶିଖିନି !!!!
ସେ ଲୁହ, ଗୋଟିଏ ମାଆର....
ଯିଏ ଦଶ ମାସ କଷଣ ସହି ଦୁଇଟି ନୂଆ ଜନ୍ମ ଦିଏ,
ଆଉ ଦିନେ ହର୍ଷ ଉଲ୍ଲାସର ବାତାବରଣରେ ଶୁଭେଚ୍ଛା ଜଣାଉଥିବା ଲୋକମାନେ ଛିଃ ଛିଃ କରନ୍ତି,
କାରଣ ସେ କୁଳନନ୍ଦନ ଗୋଟିଏ ନାରୀ ମାଂସ ଲୋଭୀ ରାକ୍ଷସ ପାଲଟିଥିଲା,
ତା'ର ଆଉ ଗୋଟିଏ ରୂପ "ଝିଅ" ର କୋମଳତାକୁ ନିଜ କାମନାର ଅନଳରେ ଭସ୍ମୀଭୂତ କରିଦେଲା....
ସେ ମାଆ ପୁଣି ନୀରବରେ ନିଜ ଆଖିର ଲହୁକୁ ପିଇ ଯାଏ,
କାରଣ ସେ ପରା ଧିକ୍କାର ବି କରି ପାରିବ ନାହିଁ !!!!
ସେ ଲୁହ, ଗୋଟିଏ ମାଆର....
ଯିଏ ଦଶ ମାସ କଷଣ ସହି ଦୁଇଟି ନୂଆ ଜନ୍ମ ଦିଏ,
"ଝିଅର ମାଆ" - ତା କୋଳ ଖାଲି....
"ପୁଅର ମାଆ" - ତା କୋଳ ବି ଖାଲି....
ଏ ନୀରବତାର ଅଭିଶାପ ତାକୁ ଜନ୍ମରୁ ହିଁ ମିଳିଛି,
କାରଣ ସେ ନାରୀ....
ଯୁଗେ ଯୁଗେ ତା'ର ସ୍ୱାଭିମାନକୁ ବଳି ଦେଇ
ଏ ସମାଜ ତାକୁ ହିଁ ଦୋଷୀ କରିଛି !!!!
0 Comments
You can write now your valuable comments here. Off-topic comments may be removed or deleted without prior notice.