
ପାହାନ୍ତି ଜାଡକୁ ନେଇ
ଶୀତଳ ପରଶ ଘେନିଣ ହରସ
ଆସିଅଛି ଶୀତ ଧାଇଁ...
ନୀରବି ଯାଇଛି ରାତି
ଚାନ୍ଦନୀ ଅଧରେ ଶଶୀ ସରାଗରେ
ବୁଣୁଛି ଜୋଛନା ପ୍ରୀତି...
ସଲିଳେ ଲାଗିଛି ନିଆଁ
ଛୁଇଁବାକୁ ଦେହ ଲାଗୁଅଛି ଭୟ
ଚାରିଆଡେ ଧୂଆଁ ଧୂଆଁ...
ହସୁଅଛି ଗାଆଁ କ୍ଷେତ
ସୁନାର ଫସଲ ଦିଶେ ଝଲମଲ
ମନ ଲାଖିଯାଏ ମିତ...
କୁହୁଳେ ରଜନୀ ତନୁ
ମୁହଁକୁ ଲୁଚେଇ ଶିଶିରକୁ ଚାହିଁ
ଗୁମାନେ ବସିଛି ଭାନୁ...
ବିହଙ୍ଗର ମିଠା ସୁର
ଶୁଣିବାକୁ ମନ ହୁଏ ଛନଛନ
ଚାହିଁଛି ହୋଇ ଆତୁର...
ଦହଗଞ୍ଜ ଦିନରାତି
କୁହୁଳି ଉଠୁଛି ଜଳି ଜଳାଉଛି
ଯାହା ତ ଯାଇଛି ବିତି...
ଶୀତସ୍ମୃତି ମିଠା ଭାରି
ଲେଖୁଛି ଯେତିକି ଲିଭାଏ ସେତିକି
କିଛି ବି ଦେଉଛି ଚିରି....
