କାଳୀ ଗୋରୀ ଦୁହେଁ ସାଙ୍ଗ ସାଥୀ ହୋଇ
ନଈ କୂଳକୁ ଯେ ଗଲେ
ଗପସପ ହେଲେ ନଈ କୂଳେ ବସି
ଶୀତଳ ପଵନ ଖାଇଲେ ।
ଗୋରୀ ହସୁଥାଏ କାଳୀ ମୁଖ ଚାହିଁ
କାହିଁକି ଆଜି ବିମୁଖ
ନାଗର ରାଜା ତୋ ଛଡାଇ ନେଲାକି
ମୁଖରୁ ତୁମର ସୁଖ ।
କି କହିବି ସାଙ୍ଗ ମୁଖେ ଲାଗେ ଲାଜ
କହି ପାରୁନାହିଁ କିଛି
ଦୁନିଆ ଦାଣ୍ଡରେ ଧିକ୍କାରି କହିଲେ
ଆତ୍ମାକୁ ଭାରି ବାଧୁଛି ।
କାଳୀ ବୋଲି ମୋତେ ଘୃଣା ସେ କରନ୍ତି
ଦିଅନ୍ତି କେତେ ସେ ବାଧା
ଧନ୍ଯ ମୋ କପାଳ ଧନ୍ଯ ମୋ ଜନମ
କାହିଁକି ନହେଲି ରାଧା ।
ମାଡବି ଦେଉଛି ଗାଳିବି ଦେଉଛି
କହୁଛି ମୋ ଘରୁ ତୁ ଯା'
ମନ ଅଛି ମୋର କରିଅଛି ଇଛା
ଆଣିବି ଗୋରୀ ଭାରିଜା ।
ଗୋରୀ କହେ କାଳୀ ଶୁଣ ମୋର ଗିର
କହୁଛି ଦୁନିଆ କଥା
ଗୋରୀ ବୋଲି ଯେଉଁ ଦୁଇଟି ଅକ୍ଷର
ଦିଅଇ ସଭିଙ୍କୁ ବ୍ଯଥା ।
ସୁନ୍ଦର ରୂପକୁ ଆଦରି ନିଅନ୍ତି
ଭାବନ୍ତିନି ଆଗପଛ
ଗର୍ବ ଅହଂକାର ମନେ ଭରି ଥାଏ
ଏକଥା ନୁହଁଇ ମିଛ ।
ରୂପ ଯୌବନକୁ ଦେଖାଇ ଜନକୁ
କରିଥାଉଁ ବିମୋହିତ
ମୋହିନୀ ମନ୍ତ୍ରରେ ନ ଫସନ୍ତି ଯିଏ
ମାରିଥାଉଁ ପଛୁ ନାତ ।
ଡରି ନ ଥାଉଁ ଯେ ସ୍ବାମୀ ପଣିଆକୁ
କରି ଥାଉଁ ତିରସ୍କାର
ଛାଡି ଦେଲେ ମୋତେ ନେଇଯିବେ କେତେ
ବସନ୍ତି ଜଗି ଦାଣ୍ଡର ।
କଥା କଥାରେ ତ ରାଗି ଯାଇଥାଉ
ନବୁଝିଣ କିଛି ମର୍ମ
ବୁଝିଲା ବେଳକୁ ଯାଇଥାଏ ସରି
ଆହା ! କରିଲି କାହିଁ ଏକର୍ମ
ସୁନ୍ଦରୀ ମାନଙ୍କୁ ଶିଖାଇ ବୁଝାଇ
କରିଥାଉଁ ଏକଜୁଟ
ସମାଜ ଆଗରେ ନିଜକୁ ବୋଲାଉ
ଆମେ ତ ଏକା ସଚ୍ଚୋଟ ।
ନିଜ ଗୁଣ ଅଟେ ମହାକାଳ ଫଳ
ପରଗୁଣ କରୁ ଚୋରି
ନିନ୍ଦା ଅପବାଦ ସହି ନପାରିଲେ
ସବୁଠୁ ଯାଉ ବାହାରି ।
ମହାକାଳ ଫଳ ଦେଖିବା ସୁନ୍ଦର
ଭିତରେ ବଡ଼ ଅଳିଆ
ଆମ୍ଭେ ସେହି ଗୋରୀ ନାରୀ ସୁନ୍ଦୁରୀଆ
କର୍ମ ତ ଗୋଳମାଳିଆ ।
ହୋଇଗଲେ ଧକ୍କା ପଡିଗଲେ ଏକା
ଦଉଡିବେ ଶହେ ଟୋକା
କାଳୀ ପଡିଗଲେ ଚାହିଁବେନି କେହି
ମାରିବେ ଆହୁରି ଟେକା ।
(ଅଗୁଣ)ସୁନ୍ଦରୀକୁ କେବେ ହେବନାହିଁ ବାହା
ପାଇବ ଅନେକ ଦୁଃଖ
ଗୁଣଗ୍ରାହୀ ଯଦି କାଳୀ ହୋଇଥାଏ
ଲଭିବ ଅନେକ ସୁଖ ।
ରସିକ ରାଜାକୁ ବୁଝାଇ କହିବୁ
ଶୁଣିଲୁ ଯାହା ମୋଠାରୁ
ରୂପସିନା କଳା ଗୁଣତ ଅସୀମ
କାହିଁକି ଯିବି ଏ ଘରୁ ।
ମନର ଵେଦନା କହିଦେଲି ଖୋଲି
ଯିବୁନି ଘରୁ ପଳାଇ
ନାଗର ରାଜାର ଘୁରିଯିବ ମଥା
ମାଡିବନି ଗୋରୀ ଛାଇ ।।
0 Comments
You can write now your valuable comments here. Off-topic comments may be removed or deleted without prior notice.