ଦେଖରେ ତାରା ଦେଖ ଆକାଶେ
ତୁମରି କବି ଲୋତକେ ଭାସେ
ଏ ଧୂଳି ତଳେ କାଙ୍ଗାଳ ବେଶେ ଭ୍ରମର କିବା ଭିକ୍ଷାର ଆଶେ୤

ମଳିନ କ୍ଷୀଣ ଧୂସର ଦେହ
ଭାଙ୍ଗିଛି ତା’ର ଆକାଶ-ଗେହ
ଭୂତଳେ ପଡ଼ି ପରାଣ ତା’ର ମାଗଇ ସୁଖ ମାଗଇ ସ୍ନେହ୤

ଦେଖରେ ବନ ଦେଖରେ ଗିରି,
ତୁମରି କବି କି ହତଶିରୀ
ଭୁବନ ତାକୁ ବଞ୍ଚିତ କରି ଯାତନା ଦାଗ ଦେଇଛି ଚିରି୤

ଦେଖରେ ଦେଖ ବସନ୍ତ ବାଆ
ବିକଳେ କବି ଭ୍ରମର ଆହା
ତୁମରି ଚିର ଖେଳର ସାଥୀ ନ ଲଭି କାହିଁ ଭରସା ସାହା୤

ଦେଖରେ ପିକ ଦେଖରେ ଶୁକ
ଲଭିଛି କବି କି ଗୁରୁ ଦୁଃଖ
ତୁମରି ସ୍ବର ନୁହେଁ ମଧୁର ଲାଗଇ ଆଜି ବିକଳ ରୂକ୍ଷ୤

ନ ପାରେ ତୁମ ସଙ୍ଗତେ ଉଡ଼ି
ବେଦନା ତଳେ ଯାଇଛି ବୁଡ଼ି
ପବନ ତାକୁ ଠକିଲା ଆଜି ସପନ ଏବେ ଦେଲା ଘଉଡ଼ି୤

ଦେଖ ଗୋଲାପ ଦେଖ ଲୋ ଯୂଇ
କବି ଲଲାଟେ ଅଧର ଛୁଇଁ,
ଜଳଇ ମହା ହୁତାଶ ତହିଁ ଲାଗଇ ପାଦେ ତପତ ଭୂଇଁ୤

ଦେଖ ସାଗର ଦେଖ ଗୋ ନଦୀ
ପୂରୁବ ସ୍ନେହ ରହିଛି ଯଦି
ହତାଶ ଆଜି ତୃଷିତ କବି ଭୁବନ ଗୋଟା ପୃଷ୍ଠରେ ଲଦି୤

ପରାଣପ୍ରିୟ ଦେଖ ହେ ଶଶି
କ୍ଳାନ୍ତ ଏ କବି ନୟନେ ହସି
ଦେଖରେ ଦେଖ କଜଳ ଘନ, ନିରାଶେ ପଥେ ରହିଛି ବସି୤
ଏତିକି ଖାଲି ଅଛି ଆଶ୍ବାସ
ତୁମେ ଯେ ମୋର ଦୁଃଖର ଆଶ
ହତାଶ ଗାଥା ଶୁଣାଇ ତାକୁ ତୁମରିଠାରେ ରଖି ବିଶ୍ବାସ୤

କାଳନ୍ଦୀ ଚରଣ ପାଣିଗ୍ରାହୀ

ଓଡ଼ିଆ ସାହିତ୍ୟର ସବୁଜଗୋଷ୍ଠୀର ଲେଖକ ଭାବେ ପରିଚିତ କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୦୧-୧୯୯୧) ଏକାଧାରରେ ଜଣେ ଗାଳ୍ପିକ, କବି, ଔପନ୍ୟାସିକ, ପ୍ରାବନ୍ଧିକ ଓ ନାଟ୍ୟକାର ଭାବେ ପ୍ରସିଦ୍ଧି ଲାଭ କରିଥିଲେ । ପଦ୍ମ ଭୂଷଣ ସମ୍ମାନ ସହିତ ସାହିତ୍ୟ ଏକାଡ଼େମୀର ଫେଲୋ ଭାବେ ଶ୍ରୀ ପାଣିଗ୍ରାହୀ ସମ୍ମାନିତ ହୋଇଥିଲାବେଳେ ତାଙ୍କର ରଚିତ ‘ମାଟିର ମଣିଷ’ ଉପନ୍ୟାସ ଏକ କାଳଜୟୀ କୃତି । ଏହା ଉପରେ ଏକ ଓଡିଆ ଚଳଚ୍ଚିତ୍ର ନିର୍ମାଣ ହୋଇ ପ୍ରଶଂସିତ ହୋଇଥିଲା । ଏହା ବ୍ୟତୀତ ତାଙ୍କ ରଚିତ ‘ ଲୁହାର ମଣିଷ’, ‘ମୁକ୍ତାଗଡ଼ର କ୍ଷୁଧା’ ଆଦି ବହୁ ଚର୍ଚ୍ଚିତ ସାମାଜିକ ଉପନ୍ୟାସ ଯେଉଁଥିରେ ସେହି ସମୟର ସାମାଜିକ ବ୍ୟବସ୍ଥା ଏବଂ ଲୋକମାନଙ୍କର ଚଳଣୀ ଉପରେ ନିଛକ ଚିତ୍ର ବିଷୟରେ ଜାଣିବାକୁ ମିଳିଥାଏ । ସେହିପରି ପ୍ରବନ୍ଧ ସଙ୍କଳନ ‘ସାହିତ୍ୟ ସମାଚାର ଓ ସାହିତ୍ୟିକ’, ‘ଯାଦୁଘର’, ‘ମହାଦୀପ’ ଆଦି କବିତା ସଙ୍କଳନ, ‘ଦ୍ବାଦଶୀ’, ‘ରାଶିଫଳ’ ଆଦି ଗଳ୍ପ ସଙ୍କଳନ ସହିତ ତାଙ୍କର ଆତ୍ମଜୀବନୀ ‘ଯାହା ଅଙ୍ଗେ ନିଭାଇଛି’ ଇତ୍ୟାଦି ହେଉଛି ଶ୍ରୀ ପାଣିଗ୍ରାହୀଙ୍କ ସାହିତ୍ୟ କୃତି ମଧ୍ୟରେ ଅନ୍ୟତମ ।