ତୁମେ ଯୁବ ଶକ୍ତି
ମଧ୍ୟାହ୍ନ ସୂର୍ଯ୍ୟର ଆଭା
ସସାଗର ଧରା
ବିକିରିତ କରେ
ତୁମର ପ୍ରଚଣ୍ଡ ପ୍ରଭା
ସବୁ ଅସମ୍ଭବ ସମ୍ଭବ କର
ତୁମେଯେ ଉତ୍ତପ୍ତ ଲାଭା ।

ତୁମେ ତୂର୍ଯ୍ଯ ନାଦ
ନୂତନ କ୍ରାନ୍ତିର
ଦୁନ୍ଦୁଭି ତୋଳପାର
ନବ ଚେତନାର
ଅତିକ୍ରମ କରିପାର
ଯେତେ ସବୁ
ପଥ ଆତଙ୍କର ।

ଆହ୍ବାନ ତୁମେ ତ
ନୂତନ ପ୍ରଜ୍ଞାର
ଅନ୍ତରାତ୍ମା ତଳେ
ବହ୍ନିବଳୟ
ଖିଆଲ ତମର
ଭରିଦିଏ ବଳ
ନର୍କରୁ ବି କେବେ
ତୋଳି ଆଣିପାର
ତୁମେ ପୂଣ୍ୟ ଫଳ ।

ତୁମେ ଯୁବ ଶକ୍ତି
ଉଡେଇ ପାର ଯେ
ନବ ସଂକଳ୍ପର
ଜୈତ୍ର କେତନ
ଫାଙ୍କିଦେଇ ଯେତେ
ବିକ୍ଷିପ୍ତ ଚିନ୍ତନ
ଖୋଲା ପ୍ରାଙ୍ଗଣ ତ
ଜୀବନଟା ତୁମ
ତୋଡିପାର କେବେ
ଅତିନ୍ଦ୍ରୀୟ ସୁଖ
ଗଢି ଦେଇପାର
ସ୍ବର୍ଗର ନନ୍ଦନ ।

ତୁମେ ଯୁବ ଶକ୍ତି
ଏଡିଦିଅ ଯେତେ
ବିପର୍ଯ୍ୟୟ ମୁଖୀ
ଘୃଣ୍ୟ ଚଳନ
ନୂଆ ଦିଶା ତୁମେ
ନୂତନ ସପନ
ଶୋଭା ନୁହେଁ ତୁମ
ବିଷର୍ଣ୍ଣ ବଦନ
ଜିଜ୍ଞାସା ତମର
ଅଟେ ପରିପୂର୍ଣ୍ଣ
ଖେଳାଇଦିଅ ଯେ
ହୃଦୟେ ହୃଦୟେ
ନବ ଦିଗନ୍ତର
ନୂତନ ସ୍ପନ୍ଦନ ।।


ରଚନା : ହାସ୍ୟମୟୀ ରାଜ୍

ଠିକଣା : ଓରାଳି, ହାଟଡିହି, କେନ୍ଦୁଝର । ଦୂରଭାଷ :