
ଯେମିତି ପୂଜିଲେ ତତେରେ କାଳିଆ
ଋଷି ତ ଯାଉଛୁ ତୁହି,
ଅଟୁ ନିରାକାର ନାହିଁ ତ ଆକାର
ତୋ ବିନା ଆଶା ନାହି.
ବନ୍ଧୁ ହେବା ପାଇଁ ନୁହେଁ ମୁଁ ସୁଦାମା
ଖାଇବାକୁ ଦେବି ଭୂଜା,
ତୁହି ତ ଅନନ୍ତ ନାହିଁ ଆଦି ଅନ୍ତ
ଏ ମହୀରେ ଅଟୁ ରାଜା.
କଣ୍ଠ ମୋର ନାହିଁ ଗାଇବାକୁ ଗୀତ
ହେଇ ପାରିବିନି ସାଲବେଗ,
ଦାସିଆ ବାଉରୀ ନୁହଁ ପୁଣି ମୁହିଁ
ଛଡାଇ ଖାଇବୁ ହାତୁ ଭୋଗ.
ଗୀତ ଗୋବିନ୍ଦ ମୁଁ ଲେଖି ପାରିବିନି
ହେଇ ପାରିବିନି ଜୟଦେବ,
ତଥାପି ଝୁରୁଛି ତତେରେ କାଳିଆ
ବିପଦରେ ଟିକେ ସାହା ହେବ.
ଡାକୁଛି ନିରତେ ନେଏ ତୋ ପରତେ
ଜାଣେ ନାଁ ମରିବି କେମିତି,
ହେଉଛି ଅଥୟ ଦେଏ ତୁ ଆଶ୍ରୟ
ଆରତେ କରୁଛି ମିନତି.