ଜୀବନଟା ଏକ    ଜଟିଳ ଗଣିତ
        ପାରିଲିନି ଜମା ବୁଝି
ବୁଝିବାରେ ସାରା   ଜୀବନ ହଜିଲା
      ପାଉ ନାହିଁ ଆଉ ଖୋଜି  ।

ବୃଥା ଭାଳିବାରେ   ଲାଭ କିବା ଆଉ
       ଯାହା ଥରେ ଗଲା ଚାଲି
ଫେରିବନି ଆଉ   ଅପେକ୍ଷା କରିବା
        ଆଶାରେ ଆସନ୍ତା କାଲି  ।

ଗତର ଶୋଚନା   ଆଗାମୀ ଭାବନା
        ବୃଥା ସତ୍ଯ ବର୍ତ୍ତମାନ
ଯେତେ କହିଲେ ବି  କିଛି ତ ବୁଝେନା
        ବଡ଼ ଅବୁଝା ଏ ମନ  ।

ମନ ଭିଆଉଛି   ଜୀବନ ଜଗତ
      ଯୁଦ୍ଧ, ଶାନ୍ତି ଆଉ କ୍ରାନ୍ତି
ମନ କରିପାରେ   ସଭିଙ୍କୁ ଆୟତ
        ମନରେ ସବୁରି ସ୍ଥିତି  ।

ଶ୍ରୀକ୍ଷେତ୍ରେ ସାଗର  ପାଖେ ସ୍ବର୍ଗ ଦ୍ବାର
       କିବା ଦିନ କିବା ରାତି
ମରଣ ଉତ୍ସବ  ଲାଗିଥାଏ ଏଠି
     ସୃଷ୍ଟିର ଏ ମହା ରୀତି   ।

ଜୀବନେ ଜୀବନ  ମିଶିଲେ ଜୀବନ
        ହୁଏ ସଦା ମଧୁମୟ
ମଧୁରେ ମଧୁରେ   ଭରା ଏ ସଂସାର 
       ସୃଷ୍ଟି ତ ମଙ୍ଗଳ ମୟ  ।

ମିଳନରେ ଭେଦ  ଭେଦରେ ବିଭେଦ
       ଜୀବନର ପଶା ପାଲି
ଭେଦା ଭେଦ ଭୁଲି   ଭାବରେ ଭେଟିଲେ
        ମଧୁ ଶାଳା ଯାଏ ଖୋଲି  ।

ବିଶ୍ଵାସରେ ଗଢା    ନିଖିଳ ଏ ବିଶ୍ଵ
         କି ସୁନ୍ଦର ଏ ମଧୁମୟ
ଇର୍ଷା ସନ୍ଦେହର   ବିଷ ବୀଜ ବୁଣି
       କରନାହିଁ ସୃଷ୍ଟି କ୍ଷୟ  ।

କାହାରି ହୃଦୟ   ଦେଖନ୍ତିନି କେହି
       ସବୁ ବିଶ୍ଵାସର କଥା
ବିଶ୍ଵାସ ତୁଟିଲେ   ହୃଦୟ ବି ହଜେ
     ଜୀବନରେ ବଢେ ଵ୍ଯଥା  ।

ମଥା ବିକି ଦେଲେ   କଥା ସରିଗଲା
         ଜୀବନ ମହତ ଶେଷ
ଆପଣା ବୁଦ୍ଧିରେ   ବାଟ ଚାଲୁ ଥିବି
       ମିଳୁ ବା ନ ମିଳୁ ଯଶ  ।।


ଶ୍ରୀ ନୃସିଂହାନନ୍ଦ ମହାପାତ୍ର, ଅଧ୍ଯାପକ,
ସରକାରୀ ଆଇଟି ଆଇ, ଫୁଲବାଣୀ, ମୋ-୯୪୩୭୧୧୨୩୫୪