
ସକଳ ସୁଷମା ଖେଳା
ମଳୟ ପବନ ସ୍ପର୍ଶରେ କାନନ
ସଜାଏ ମଧୁର ଲୀଳା ll
କୋକିଳ କୂଜନେ ନିକୁଞ୍ଜ ବିପିନେ
ପରାଣ ସ୍ପନ୍ଦନ ବେଣୁ
ମଧୁର ଲହରୀ ଖେଳାଇ ମାଧୁରୀ
ଝରାଏ ପୀୟୂଷ ରେଣୁ ll
ଜୀବନ ନାଟିକା ମଞ୍ଜୁଳ ବାଟୀକା
ଚହଟାଇ ଚଉଦିଗ
ଫୁଟି କୃଷ୍ଣଚୁଡା ମେଲାଇ ପାଖୁଡା
ତୋଳୁଥାଏ ପଦ୍ମରାଗ ll
ନିଖିଳ ସାଧନା ଅନନ୍ତ କଳ୍ପନା
ନୁହଁଇ କ୍ଷଣିକ ରେଖା
ମମତା ବନ୍ଧନ ପ୍ରଣୟ ମିଳନ
ବିଧାତା ବିଧାନ ଲେଖା ll
ଅମା ଅନ୍ଧକାର ନୁହେଁ ଏ ସଂସାର
ଅବା ନିରୀମମ ଘାତ
ନଈ ହୁଏ ପାରି ଦିନାନ୍ତେ ନାଉରୀ
ମାରି ଚାଲୁଥିଲେ କାତ ll
କେବେ ଅସହାୟ ମଣିଛି ହୃଦୟ
କେବେ ହୁଏ କଲବଲ
ତଥାପି ପରାଣ ଖୋଜେନି ମରଣ
ଜୀବନଟା କେତେ ଭଲ ll