ରାଜା ବିଜୟସେନ ନିଜ ସଭାରେ ଦମ୍ଭପୂର୍ଣ୍ଣ ସ୍ବରରେ କହିଲେ, କେବଳ ଭୀରୁ,ଅଳସୁଆ ଏବଂ ଶକ୍ତିହୀନ ବ୍ଯକ୍ତି ଈଶ୍ବରଙ୍କ ଆଶ୍ରୟ ନେଇଥାନ୍ତି । ମୁଁ ଭଗବାନଙ୍କୁ ବିଶ୍ଵାସ କରେ ନାହିଁ । କ୍ଷମତାର ବିସ୍ତାର ସହିତ ମୋର ଶକ୍ତି ସର୍ବତ୍ର ବ୍ଯାପିଯାଇଛି । ରାଜାଙ୍କ କଥାରେ ଚାଟୁକାରମାନେ ସମ୍ମତି ପ୍ରକାଶ କଲେ । ରାଜସଭାରେ ସେ ସମୟରେ ରାଜକବି ସୌମିତ୍ର ମଧ୍ୟ ବସିଥିଲେ । ସେ କିନ୍ତୁ ମୌନ ଥିଲେ । ତାଙ୍କୁ ନୀରବ ରହିବା ଦେଖି ରାଜା କହିଲେ, ଆପଣ କ'ଣ ମୋର ଏ ବିଜୟର ପ୍ରଶଂସା କରି କବିତା ବୋଲିବେ ନାହିଁ । ମହାକବି ବିନମ୍ର ସ୍ବରରେ କହିଲେ, କ୍ଷମା କରନ୍ତୁ ମହାରାଜ ! ମୁଁ କେବଳ ଈଶ୍ବରଙ୍କ ଶକ୍ତିର  ପ୍ରଶଂସା କରିଥାଏ । ତାଙ୍କରି କୃପାରୁ ଆପଣ ବିଜୟୀ ହୋଇଛନ୍ତି ବୋଲି ମୁଁ ଭାବୁଛି । ଏହା ଶୁଣିବା ପରେ ରାଜା କ୍ରୋଧିତ ହୋଇପଡିଲେ । ସେ କହିଲେ--ଗୋଟିଏ ସପ୍ତାହ ମଧ୍ୟରେ ମୋ ପ୍ରଶଂସାରେ ଏକ କାବ୍ୟ ରଚନା କର,ଅନ୍ଯଥା ତୁମକୁ ମୃତ୍ୟୁ ଦଣ୍ଡ ଦିଆଯିବ । ସଭା ସମାପ୍ତ ହେବା ପରେ କବି ସୌମିତ୍ର ନିଜ ଗୁରୁ ମହର୍ଷି କୃଷ୍ଣପାଦଙ୍କ ନିକଟରେ ପହଞ୍ଚିଲେ ଏବଂ ସବୁକଥା କହିଲେ । ଗୁରୁ କହିଲେ--ଧୈର୍ଯ୍ୟ ରଖ ସୌମିତ୍ର ! ତୁମେ ଯେଉଁ ଈଶ୍ବରଙ୍କୁ ସ୍ତୁତି କରୁଛ,ତାଙ୍କ ଉପରେ ଭରସା ରଖ । ଦୈବ ଯୋଗକୁ ଏହି ଘଟଣାର ୩ ଦିନ ପରେ ସାପ କାମୁଡାରେ ରାଜାଙ୍କ ଏକମାତ୍ର ପୁତ୍ର ଗୁରୁତର ହୋଇପଡିଲା । ଝଡାଫୁଙ୍କା ଉପଚାର ଆଦି ବ୍ଯର୍ଥ ହେଲା । ରାଜା ହତାଶ ହୋଇପଡିଲେ । ଏହି ସମୟରେ ଜଣାପଡିଲା ଯେ କିଛି ମନ୍ତ୍ରୀ ଏବଂ ପାରିଷଦବର୍ଗ ଷଡଯନ୍ତ୍ର ପୂର୍ଵକ ରାଜାଙ୍କୁ ଗାଦିଚ୍ଯୁତ କରିବାକୁ ଚାହୁଁଛନ୍ତି । 
            ରାଜକବି ଏହି ଖବର ପାଇବା ମାତ୍ରେ ତୁରନ୍ତ ଗୁରୁ କୃଷ୍ଣପାଦଙ୍କୁ ଧରି ରାଜଭବନରେ ପହଞ୍ଚିଲେ । ରାଜକବି ଦେଖିଲେ ରାଜା ବିଳାପ କରିବାରେ ଲାଗିଛନ୍ତି । ସେ କାନ୍ଦି କାନ୍ଦି କହୁଛନ୍ତି, ଆପଣ ମୋର ଆଖି ଖୋଲି ଦେଇଛନ୍ତି । ଈଶ୍ବରଙ୍କ ଇଚ୍ଛାରେ ସବୁକିଛି ହୋଇଥାଏ । ମୁଁ ଏପର୍ଯ୍ୟନ୍ତ ବ୍ଯର୍ଥ ଅହଂକାରରେ ବୁଡି ରହିଥିଲି । ଯାହାର ଦଣ୍ଡ ମୋତେ ମିଳିଛି । ରାଜ କବିଙ୍କ ପଛରେ ଛିଡା ହୋଇଥିବା କୃଷ୍ଣପାଦ କହିଲେ-ରାଜନ୍ ! ଈଶ୍ୱର କେଵଳ ଦଣ୍ଡିତ କରନ୍ତି ନାହିଁ । ସେ ଅତ୍ଯନ୍ତ କରୁଣାମୟ । ଏହାକହି ସେ ତୁରନ୍ତ ରାଜକୁମାରଙ୍କ ନିକଟକୁ ଗଲେ । ତାଙ୍କ ମଥାରେ ହାତ ରଖି ଗଭୀର ଧ୍ଯାନରେ ବୁଡିଗଲେ । ଏହାର ପ୍ରାୟ ଏକ ଘଣ୍ଟା ପରେ ରାଜକୁମାର ଆଖି ଖୋଲିଲେ । ମହର୍ଷି ଧୀରେ ଧୀରେ ଉଠିଲେ ଏବଂ ରାଜକବିଙ୍କ କାନରେ କିଛି କହି ବାହାରକୁ ଚାଲିଗଲେ । ଗୋଟିଏ ପଟେ ରାଜକୁମାର ସୁସ୍ଥ ହେଲେ ଅନ୍ଯପଟେ ରାଜକବିଙ୍କ ସହାୟତାରେ ରାଜାଙ୍କୁ ଗାଦିଚ୍ଯୁତ କରିବା ଷଡଯନ୍ତ୍ରର ପର୍ଦ୍ଦାଫାଶ ହେଲା । ଷଡଯନ୍ତ୍ରକାରୀମାନେ ଅଧିକାଂଶ ସେହି ଲୋକ ଥିଲେ,ଯେଉଁମାନେ ନିଜ ଚାଟୁକାରିତା ବଳରେ ସବୁବେଳେ ରାଜାଙ୍କୁ ପ୍ରଶଂସା କରୁଥିଲେ ।
          ଏହାପରେ ରାଜା କବିଙ୍କ ସହିତ ମହର୍ଷି କୃଷ୍ଣପାଦଙ୍କ ଆଶ୍ରମରେ ପହଞ୍ଚିଲେ । ମହର୍ଷି କହିଲେ-ରାଜନ୍ ! ସର୍ବପ୍ରଥମେ ପରମାତ୍ମାଙ୍କୁ ସ୍ମରଣ କରିବା ଆବଶ୍ୟକ । ଏ ସୃଷ୍ଟିର ସମସ୍ତ ପ୍ରାଣୀ ତାଙ୍କରି ଶକ୍ତିର ମାତ୍ର ଛୋଟିଆ ଅଂଶ ପ୍ରାପ୍ତ କରି ଶକ୍ତିମାନ ହୋଇପାରନ୍ତି । ଯେଉଁମାନେ କାହାର ଅତିଶୟ ପ୍ରଶଂସା କରିଥାନ୍ତି,ସେମାନେ ନିଶ୍ଚିତ ଭାବେ ସ୍ବାର୍ଥନ୍ବେଷୀ ହୋଇଥାନ୍ତି । ଏଭଳି ଲୋକଙ୍କ ଠାରୁ ସାବଧାନ ରହିବା ଜରୁରୀ । ଏଥର ରାଜାଙ୍କର ଜ୍ଞାନ ଉଦୟ ହେଲା ।

ସଂଗ୍ରହକାରୀ-ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ବର, ମୋ-୯୮୫୩୧୪୨୫୧୦