ଆନନ୍ଦ ଭବନର ବାଲକୋନୀର ଏକ ପାର୍ଶ୍ଵରେ ଗୋଟେ ଚେୟାରରେ ବସିଛି ସିପ୍ରା ସାମନ୍ତରାୟ ୲ ତା' ଚାରିପାଖରେ କ'ଣ ସବୁ ଘଟୁଛି ବା ନଘଟୁଛି ସେ ପ୍ରତି ତା'ର ଜମା ନିଘା ନାହିଁ ୲ ନିଜ ଭାବନା ରାଜ୍ୟରେ ଡୁବି ଯାଇ, ସମ୍ପୂର୍ଣ୍ଣ ଭାବପ୍ରବଣ ହୋଇପଡିଛି ଆଜି ସେ ୲ ସେ ଭାବୁଛି ତାକୁ ଆଜି କାଲି କାହିଁକି ଏତେ ଭଲ ଲାଗୁଛନ୍ତି ଅମୁ ୲ କାହିଁକି ଅମୁଙ୍କ ପ୍ରତି ତା' ମନରେ ଏତେ ଆତ୍ମୀୟତା .....? ହୃଦୟରେ ଏତେ ଆପଣାପଣ ..... ? 

କାହିଁକି........ ? 
କାହିଁକି ..........? 

କେଇ ପଦ ମାତ୍ର କଥାବାର୍ତ୍ତା ଆଉ ଅଳ୍ପ କିଛି ଦିନର ଚିହ୍ନା ପରିଚୟ ତ, ତାହା ପୁଣି ଏହି ଫେସବୁକରେ ........୲ 

ଦିନେ ଅଚାନକ ଫେସବୁକରେ ଅମୁଙ୍କର ଫ୍ରେଣ୍ଡ ରିକ୍ଵେଷ୍ଟ ଆସେ ସିପ୍ରାକୁ .......୲ 

ଆରେ ଏ କ'ଣ....... ? ଅାଗରୁ ତ' ଇଏ ମୋ' ଫ୍ରେଣ୍ଡ ଲିଷ୍ଟରେ ଥିଲେ ୲ ପୁଣି କ'ଣ ଏ ରିକ୍ଵେଷ୍ଟ ? କେତେବେଳେ କଟି ଯାଇଥିବେ ବୋଧହୁଏ ୲ ଅମୁ ଅାଗରୁ ସିପ୍ରାର ଫ୍ରେଣ୍ଡ ଲିଷ୍ଟରେ ଥିଲେ ମାତ୍ର କାର୍ଯ୍ଯ ବ୍ୟସ୍ତତା ଭିତରେ ସିପ୍ରା ସେତେବେଳେ ଏତେ ଫେସବୁକ୍ ପେଜକୁ ଆସିପାରେନି କି ସବୁ ପୋଷ୍ଟ ଦେଖିପାରେନି ୲ ଯେତେବେଳେ ଟିକେ ଫ୍ରୀ ସମୟ ମିଳେ ଫେସବୁକ୍ ଖୋଲି ପୋଷ୍ଟ ସବୁ ଦେଖେ ୲ ସିପ୍ରାର ଫେସବୁକରେ କିଛି ଜଣ ଭଲ କବି ଆଉ ଲେଖକ ମଧ୍ୟ ଥିଲେ ୲ ସେ ପୋଷ୍ଟଗୁଡ଼ିକୁ ଠିକ୍ ସେ ପଢିସାରି ହିଁ କମେଣ୍ଟ ରଖେ ୲ ଆଖି ବୁଜା କାହାକୁ କମେଣ୍ଟ ଦେବା ତା'ର ଜମା ପସନ୍ଦ ନୁହେଁ ୲ ସେ ମଧ୍ୟ ଏମିତି କିଛି ଲେଖା ପଢି ତା' ନିଜସ୍ଵ କିଛି କବିତାକୁ ଫେସବୁକରେ ଟାଇପ କରି ପୋଷ୍ଟ କରେ ୲ ପାଠକମାନଙ୍କ ଦ୍ଵାରା ବି ତା' କବିତା ଗୁଡିକ ଖୁବ୍ ଆଦୃତି ଲାଭ କରିଛି ଓ କିଛି ସାହିତ୍ୟ ମଞ୍ଚ ଦ୍ଵାରା ବି ତାକୁ ସମ୍ମାନିତ କରାଯାଇଛି ୲ ସେ କିନ୍ତୁ ନିଜକୁ କେବେ ସେସବୁର ଯୋଗ୍ଯ ଭାବିନି ୲ ଅନ୍ୟମାନଙ୍କ ଠାରୁ ବହୁତ କିଛି ଶିଖିବାର ଇଚ୍ଛାଟିଏ ରଖି ସେ ସବୁବେଳେ ଅନ୍ୟକୁ ପଢି ଚାଲିଛି ୲ 

ହଁ ଏବେ ଫେରିବା ସିପ୍ରା ପାଖକୁ ୲ ସିପ୍ରା ମେସେଞ୍ଜରରେ ଲେଖେ .......ସାର୍ ପ୍ରଣାମ ୲ ଆପଣଙ୍କ ପରି ଜଣେ ମହାନ୍ ବ୍ଯକ୍ତି ବିଶେଷଙ୍କୁ ବନ୍ଧୁ ଭାବରେ ପାଇ ମୁଁ ବହୁତ ଖୁସି ୲ 

....ପ୍ରତି ନମସ୍କାର ବି ସେପଟୁ ଆସେ ୲ 

....କ'ଣ କରୁଛନ୍ତି ସାର୍ ? 

....ମୁଁ ଏବେ ଟିକେ ଅଫିସ କାମରେ ବ୍ୟସ୍ତ ଅଛି ମାଡାମ ୲ ଆପଣ ଫୋନ ନମ୍ବର ଦିଅନ୍ତୁ , ମୁଁ ଫ୍ରୀ ହେଲେ ନିଶ୍ଚୟ କଲ୍ ବ୍ଯାକ୍ କରିବି ୲

ତା' ପରଦିନ ଅମୁଙ୍କ ଫୋନରୁ କଲ୍ ଆସେ ସିପ୍ରାକୁ ୲ ପାରାସ୍ପରିକ ଭାବ ବିନିମୟ ଓ ବଝାମଣାରୁ ସମ୍ପର୍କରେ ଆସେ ନିବିଡ଼ତା ୲ ଦିନେ ସିପ୍ରା ଅନୁଭବ କରେ, ଅମୁ ଓ ତାଙ୍କ ଦ୍ଵାରା ରଚିତ ଗଳ୍ପ ଉଭୟର ପ୍ରେମରେ ସେ ବୋଧହୁଏ ସମ୍ପୂର୍ଣ୍ଣ ରୂପେ ପଡ଼ିସାରିଲାଣି ୲ ଆଉ ଆଜି ଯେମିତି ଅମୁମୟ ହୋଇ ପଡ଼ିଛି ତା' ଛୋଟ ପୃଥିବୀଟା ୲ 

କେତେ ଅବା ଜାଣିଛି ସେ ଅମୁଙ୍କୁ ......ତାଙ୍କ ବର୍ତ୍ତମାନ ଓ ଅତୀତକୁ ? 

ଏଇ କେଇପଦ ତ ମାତ୍ର କଥା ବାର୍ତ୍ତା .........

ଅମୁଙ୍କ ରଚିତ କେତୋଟି ମାତ୍ର ଗଳ୍ପ ପଢିଛି ସିପ୍ରା, କିଛି ଦିନର ସମ୍ପର୍କ ଭିତରେ ଅମୁଙ୍କ ବଳିଷ୍ଠ ବ୍ୟକ୍ତିତ୍ବରେ ଖୁବ୍ ପ୍ରଭାବିତ ହୋଇପଡ଼ିଛି ୲ ଅମୁଙ୍କ ଖୋଲାପଣ , ନିର୍ଭୀକତା ଓ ଖାମ ଖିଆଲି ବେପରୁଆ ଭାବ ସବୁ ଯେମିତି ଆପଣା ଛାଏଁ ଛୁଇଁ ଯାଉଛି ସିପ୍ରାକୁ ୲ ନିଜ ହୃଦୟରେ ତୀବ୍ର ଆକର୍ଷଣଟିଏ ଅନୁଭବ କରୁଛି ସେ ଅମୁ ପାଇଁ । ଭିତରେ ଭିତରେ କେମିତି ତା' ମନରେ ଅମୁଙ୍କ ପ୍ରତି ଗୋଟେ ଦୁର୍ବଳତା ଆସିଯାଉଛି କେଜାଣି । ତେବେ ଏଇଟା କ'ଣ ପ୍ରକୃତରେ ପ୍ରେମ ନା ତା' ମନରେ ଅମୁଙ୍କ ପ୍ରତି ଥିବା ଆକର୍ଷଣର ପ୍ରତିଫଳନ ମାତ୍ର ? କିଛି ବୁଝି ପାରୁନି ସିପ୍ରା । 

ସେଦିନ ହଠାତ ବସ୍ ଷ୍ଟାଣ୍ଡରେ ଦେଖା ହୋଇଗଲା ଅମୁଙ୍କ ସହିତ । ଅମୁ ମୁରୁକି ହସି ତା ମୁହଁକୁ ଚାହିଁଲେ । ଲାଜରେ ପୁରାପୁରି ଲାଲ ପଡ଼ିଗଲା ସେ । ଉପରକୁ ମୁହଁ ଉଠାଇ ଅମୁଙ୍କ ମୁହଁକୁ ଚାହିଁବାର ସାହାସ କରିପାରୁ ନଥିଲା । ଉଭୟଙ୍କ ଗନ୍ତବ୍ୟସ୍ଥଳ ଥିଲା ଏକ । ବସରେ ଦୁହେଁ ଏକାଠି ଚଢିଲେ । ଗୋଟିଏ ମାତ୍ର ଦୁଇଜଣିଆ ସିଟ୍ ଖାଲି ଥିଲା ବସରେ । ପରସ୍ପର ପରସ୍ପରକୁ ଚାହିଁଲେ । ଉଭୟଙ୍କ ଇଚ୍ଛା ଥିଲା ଯେ ଉଭୟେ ଏକାଠି ପାଖାପାଖି ବସନ୍ତେ କି , ମାତ୍ର କେହି କାହାକୁ ଏ ବିଷୟରେ କିଛି ମୁହଁ ଖୋଲି କହିପାରୁନଥାନ୍ତି । 

କଣ୍ଡକ୍ଟର ଆସି ସିପ୍ରାକୁ କହିଲା - " ଖାଲି ଥିବା ସିଟରେ ଅନ୍ୟ କେହି ବସିବା ପୂର୍ବରୁ ଆପଣ ମାଡାମ ସାର୍ ଙ୍କ ସହ ସେଠି ବସିଯାଆନ୍ତୁ " । ସିପ୍ରା ଚାହିଁଲା ଅମୁଙ୍କ ମୁହଁକୁ । ତାଙ୍କର ମୁହଁରେ ସମ୍ମତି ସୂଚକ ଇଙ୍ଗିତ ପାଇ ଆଗେ ବସିପଡିଲା ଝରକା ସାଇଡର ସିଟ୍ ରେ । ତା'ପରେ ଅମୁ । ଗାଡ଼ିର ହଲଚଲରେ ଉଭୟଙ୍କ ଶରୀର ଉଭୟଙ୍କୁ ସ୍ପର୍ଶ କରୁଥିଲା କିଛି କିଛି । ଖୁବ୍ ରୋମାଞ୍ଚିତ ହୋଇ ଉଠୁଥିଲା ସିପ୍ରାର ଶରୀର ଆଉ ମନ । ଅମୁଙ୍କ ଶରୀରର ନିମିତ୍ତ ମାତ୍ର ସ୍ପର୍ଶ ଇଲେକ୍ଟ୍ରିକାଲ ସକ୍ ପରି ତା' ସର୍ବାଙ୍ଗ ଶରୀରରେ ଶତ ପୁଲକର ଶିହରଣ ଖେଳାଉଥିଲା ଯେପରି । ସହସ୍ର କଦମ୍ବର ରୋମାଞ୍ଚ ଅନୁଭବ କରୁଥିଲା ନିଜର ପ୍ରତ୍ୟେକଟି ଲୋମମୂଳରେ । ଏକ ଅଦମ୍ୟ ପିପାସା ତା' ମନରେ ବଳବତ୍ତର ହେଉଥିଲା ସେତେବେଳେ । ଅମୁ କିନ୍ତୁ ଥିଲେ ସମ୍ପୂର୍ଣ୍ଣ ନିର୍ବିକାର । ତାଙ୍କ ମନ ଆଉ ଶରୀର ମଧ୍ୟରେ ଉଠୁଥିବା ରୋମାଞ୍ଚକ ଜୁଆର ଭଟ୍ଟାକୁ ସେ ଯେପରି ବାହାରକୁ ଆସିବାକୁ ସୁଯୋଗ ଦେଉନଥିଲେ । ବସ୍ ନିର୍ଦ୍ଧିଷ୍ଟ ଷ୍ଟପେଜରେ ରହିଲା ପରେ , ଉଭୟେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯିବାକୁ ଉଦ୍ୟତ ହେଲେ । ଯିବା ପୂର୍ବରୁ ଉଭୟେ ଉଭୟଙ୍କୁ ଚାହିଁଲେ । ମନରେ ଅସରନ୍ତି କଥା , ମାତ୍ର ସଂକୋଚରେ ତାଲା ପଡିଥିଲା ଉଭୟଙ୍କ ଓଠରେ । ଦୁହିଁଙ୍କର ନୀରବ ଚାହଁଣୀ ବହୁତ କିଛି କହୁଥିଲା ମାତ୍ର । 

କିଛି ଦିନ ଅନ୍ତେ ଯୁବ ଶିଳ୍ପପତି ଅବିନାଶ ଚୌଧୁରୀଙ୍କ ସହିତ ସିପ୍ରାର ବିବାହ ଏକରକମ୍ ଠିକ୍ ହୋଇଯାଏ । ଆତ୍ମା ତା'ର ଚିତ୍କାର କରିଉଠେ ଭିତରେ ଭିତରେ । ସେ ତ' କାୟମନୋବାକ୍ୟରେ ଅମୁଙ୍କର ହୋଇଯାଇଛି । କେମିତି ଏ ମନ ଆଉ ଶରୀର ଅନ୍ୟ କାହାକୁ ଦେଇ ପାରିବ ? ଅମୁଙ୍କ ସହିତ କଣ୍ଟାକ୍ଟ କରିବାକୁ ବହୁତ ଚେଷ୍ଟା କଲା , ମାତ୍ର ନା ତାଙ୍କର ଫୋନ ଲାଗେ ନା ସେ ଫେସବୁକ୍ କି ମେସେଞ୍ଜରରେ ଉପଲବ୍ଧ ହୁଅନ୍ତି ? ଅନେକ ଦିନ ଅପେକ୍ଷା କଲା ଆଉ ବହୁତ ଖୋଜିଲା ବି ସିପ୍ରା । ମାତ୍ର କିଛି ଫଳ ହୁଏନି । କୋଉଁଠି ହେଲେ ବି ଅମୁଙ୍କର ଦର୍ଶନ ପାଇଲାନି ସେ । ଇଆଡ଼େ ବାହାଘର ସମୟ ପାଖେଇ ପାଖେଇ ଆସୁଥାଏ । ବିକଳ ହୋଇ ଉଠିଲା ସିପ୍ରା । ଅଚାନକ ଅମୁଙ୍କ ଏପରି ଅନ୍ତର୍ଦ୍ଧାନରେ ହୃଦୟ ତା'ର ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଲା ୲ ଅମୁଙ୍କ ସେହି ସ୍ଵଳ୍ପ ସମୟର ସ୍ପର୍ଶ ଏବେବି ସେ ଅନୁଭବ କରୁଛି , ନିଜର ସର୍ବାଙ୍ଗରେ ,ମନରେ , ପ୍ରାଣରେ ଆଉ ଆତ୍ମାରେ । ପ୍ରକୃତିସ୍ଥ ହେଲା ସିପ୍ରା । ଆଉ ଡେରି କଲେ ସବୁ ଗଡ଼ବଡ ହୋଇଯିବ ୲ ତାକୁ ହିଁ ଅମୁଙ୍କୁ ଖୋଜି ବାହାର କରିବାକୁ ହେବ ଆଉ ଆଜି ଭିତରେ ।

ସିପ୍ରା ଏବେ ଚାଲିଲା ଅମୁଙ୍କ ଅଫିସକୁ । ପହଞ୍ଚି ଦେଖିଲା ଅମୁଙ୍କ ନାମଫଳକ ତ' ଅଛି ମାତ୍ର ଅମୁ ନାହାଁନ୍ତି ସେଠି । ବୁଢା ପିଅନଙ୍କୁ ପଚାରି ବୁଝିଲା ଅମୁଙ୍କ ବିଷୟରେ । ଆଖିରେ ଲୁହ ଟଳମଳ ହୋଇ ଉଠିଲା ପିଅନଟିର । ରୁମାଲରେ ଆଖି ପୋଛି କୋହଭରା କଣ୍ଠରେ କହିଲା " ଆପଣ ଜାଣି ନାହାଁନ୍ତି କି ମାଡାମ , ବାବୁଙ୍କୁ ବ୍ଲଡ଼ କ୍ୟାନ୍ସର ୲ ଲାଷ୍ଟ ଷ୍ଟେଜ୍ । ଟାଟା ମେମୋରିଆଲ ହସ୍ପିଟାଲରେ ଆଡମିସନ ହୋଇଛନ୍ତି ଦୁଇ ସପ୍ତାହ ହେଲା । ଏ ଅଲକ୍ଷଣା ରୋଗରୁ ସେ କ'ଣ ଆଉ ବଞ୍ଚି ଫେରିବେ ? " ଏତକ କହି ପିଅନ ଚାଲିଗଲା ତା ବାଟରେ ରୁମାଲରେ ଆଖି ପୋଛି । ସିପ୍ରା ସେଠି ଠିଆ ହୋଇଥିଲା ନିର୍ବାକ ,ନିଶ୍ଚଳ କାଠ କଣ୍ଢେଇଟି ପରି । ନିଜ କାନକୁ ଜମା ସେ ବିଶ୍ବାସ କରିପାରୁନଥିଲା ଏ କଥା ଗୁଡାକ । ମନ ତା'ର ଗ୍ରହଣ କରିପାରୁନଥିଲା ଏ ନିର୍ମମ ନିଷ୍ଠୁର ସତ୍ୟଟିକୁ । ସେ ଅନୁଭବ କରୁଥିଲା ସତେ ଯେମିତି ତା' ଶରୀର ଧିରେଧିରେ ଆତ୍ମା ଶୂନ୍ୟ ହୋଇଯାଉଛି । 

ସିପ୍ରାର ବାହାଘର ତ ହୋଇଗଲା ଯୁବ ଶିଳ୍ପପତି ଅବିନାଶ ଚୌଧୁରୀଙ୍କ ସହ ବଡ଼ ଧୁମଧାମରେ । ସେ ଥିଲା ଯେମିତି ଆତ୍ମା ରହିତ , ଏକ ଚଳନ୍ତା ଫେରନ୍ତା ଚାବିଦିଆ କଣ୍ଢେଇଟିଏ ମାତ୍ର । ଆଜି ଚାତୁର୍ଥୀ । ବାସର ରାତି । ନାରୀ ଜୀବନର ଦୁର୍ଲଭ ଇପ୍ସିତ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତଟିଏ । ମାତ୍ର ସିପ୍ରାର କୌଣସି ପ୍ରତିକ୍ରିୟା କି ଭାବ ପ୍ରବଣତା ବା କିଛିରେ ଭାବାନ୍ତର ନଥିଲା । ସେ ଥିଲା ସମ୍ପୂର୍ଣ୍ଣ ସ୍ଥିର , ସ୍ଥବିର ଆଉ ନିର୍ବିକାର । ମେଞ୍ଚାଏ ଗହଣାରେ ଲଦିହୋଇ ବାସର ଶେଯରେ ଅନାକାଂକ୍ଷିତ ପୁରୁଷଟିକୁ ଅପେକ୍ଷା କରିଛି ଆଜି ସେ କେବଳ ଯନ୍ତ୍ରବତ୍ । 

ରାତ୍ରିର ବିଳମ୍ବିତ ପ୍ରହରରେ , ଅବିନାଶ ଆସିଲେ ସ୍ଖଳିତ ପଦକ୍ଷେପରେ । ବିଦେଶୀ ପାନୀୟର ମୃଦୁ ଗନ୍ଧ ବାଜୁଥାଏ ସିପ୍ରାର ନାକରେ । ମାତ୍ର ସିପ୍ରା ଥିଲା ସମ୍ପୂର୍ଣ୍ଣ ସମ୍ବେଦନହୀନ । ଧମ୍ କରି ପଲଙ୍କ ଉପରେ ବସିପଡିଲେ ଅବିନାଶ । ସିପ୍ରାର ଓଢଣା ଖୋଲି ଅସଲଗ୍ନ କଣ୍ଠରେ କହିଲେ, ୟୁ ଆର ଭେରୀ ଭେରୀ ବିଉଟିଫୁଲ୍ ମାଇଁ ଡାର୍ଲିଂଗ୍ । ବଟ୍ ସରି । ଆଇ କ୍ୟାଣ୍ଟ ଡୁ ଏନିଥିଙ୍ଗ ଟୁଡେ । ମାଇଁ ବେଷ୍ଟ ଫ୍ରେଣ୍ଡ ଅମୂଲ୍ଯ ଇଜ ନୋ ମୋର୍ । ଏକ୍ସକ୍ୟୁଜ୍ ମି । ଅବିନାଶଙ୍କ ନିଶାସକ୍ତ ଶରୀରଟି ଭାରସ୍ୟାମ ହରାଇ ଗଡିପଡିଲା ସୁସଜ୍ଜିତ ପଲଙ୍କ ଉପରେ । ସିପ୍ରା ବସିଛି ସେମିତି ନିର୍ବିକାରରେ । ଅପଲକ ନେତ୍ରରେ ଚାହିଁଛି କେବଳ ଆଗକୁ, ହାତ ଦୁଇଟି ଆଣ୍ଠୁରେ ଛନ୍ଦି । ସକାଳୁ ସକାଳୁ ସାରା ଗାଆଁଟାରେ ହଲ୍ଲା ପଡିଗଲା , ଚୌଧୁରୀ ଘରର ନବବଧୂ ସିପ୍ରା ସାମନ୍ତରାୟର ହୃଦଘାତରେ ଗତକାଲି ରାତିରେ ଘଟିଛି ମୃତ୍ୟୁ । 



ରଚନା : ସଂଯୁକ୍ତା ରାଉତ

ଠିକଣା : ଜୟପୁର , କୋରାପୁଟ,   ଦୂରଭାଷ :