ଘରଟା ଭିତରେ ଏକାଏକା କେତେ ବା ଆଉ ଏପଟ ସେପଟ ହେବ ଅରୁଣା ? କେତେ ଆଉ ଟିଭି କି ଫେସବୁକ୍ ଦେଖିବ ? ପତ୍ରପତ୍ରିକା ପଢ଼ିବାରେ ଆଜି ଟିକେ ବି ତା'ର ମୁଡ୍ ନାହିଁ ୲ ଏ ନିଦଟା ନା ରାତି ଏଗାର ପୂର୍ବରୁ ଦିନରେ କେବେବି ଆସେନି ତା' ଆଖି ପଲକକୁ ୲ ସମୟ ପ୍ରାୟ ଅପରାହ୍ନ ଦୁଇଟା ହେବ ୲ ପୁଅ ଏବେ ସ୍କୁଲ୍ ରେ ପାଠ ପଢ଼ାରେ ଆଉ ସ୍ଵାମୀ ନିଜ ଅଫିସ କାମରେ ହଜି ଯାଇଥିବେ ୲ ଏତେ ବଡ଼ ଘରଟା ଭିତରେ ବର୍ତ୍ତମାନ ସେ ନିହାତି ଏକୁଟିଆ କମସେକମ୍ ପୁଅ ଅମ୍ରିତ ସ୍କୁଲ୍ ରୁ ଫେରିବାଯାଏ ୲ ଘରର ସବୁ କାମ ତ ସେ ଆଜି ସାରିଦେଇଛି ସକାଳୁ ସକାଳୁ ୲ ଶନିବାର ନା , ତାକୁ ତ ଆଜି ସ୍କୁଲ୍ ରୁ ଫେରିଲା ବେଳକୁ ପ୍ରାୟ ୧୨ଟା ହୋଇଯିବ ୲ ତେଣୁ ଭୋର୍ ୪ଟାରୁ ଉଠି ଟିଫିନ୍ ଆଉ ଲଞ୍ଚ ସବୁ ରେଡ଼ି କରିଦେଇଥିଲା ସେ ୲ ସ୍ଵାମୀ ଅବିନାଶ ଆଉ ପୁଅ ଅମ୍ରିତ୍ ୯ଟାରେ ଟିଫିନ ଖାଇ ପୁଣି ଲଞ୍ଚ ନେଇ ଯିବେନା ସେଥିପାଇଁ ୲  ଏବେ ଅରୁଣା ବେଡ଼ରେ ଟିକେ ଗଡ଼ିପଡ଼ି ଆଖି ବନ୍ଦ କରିବାକୁ ଚେଷ୍ଟାକଲା ୲ ଏ କ'ଣ ଆଖି ବନ୍ଦ କରୁକରୁ ହଠାତ୍ ତା' ମନ ଭିତରକୁ ଧସେଇ ପଶିଆସିଲେ ଶୁଭେନ୍ଦୁ ୲ 


ଠିକ୍ ମନେ ପଡୁଛି ଅରୁଣାର ସେଦିନ ଥିଲା ପୁଅ ଅମ୍ରିତର ଜନ୍ମଦିନ ୲ ସନ୍ଧ୍ୟାରେ ଘରେ ପାର୍ଟୀ , ବନ୍ଧୁବାନ୍ଧବ ଗହଳ ଚହଳ ଲାଗିଥାଏ ୲ ଅବିନାଶ ମଧ୍ୟ ତାଙ୍କ ଅଫିସ ର କିଛି ଜଣ ଷ୍ଟାଫଙ୍କୁ ଇନଭାଇଟ୍ କରିଥିଲେ ୲ ସେଇଠି ହିଁ ତା'ର ପରିଚୟ ହୋଇଥିଲା ଶୁଭେନ୍ଦୁଙ୍କ ସହ ୲ ଶୁଭେନ୍ଦୁ ଅବିନାଶଙ୍କ ଅଫିସ ଷ୍ଟାଫ ୲ ଗୌରବର୍ଣ୍ଣ , ସୁନ୍ଦର ଗଢ଼ଣ , ଅାକର୍ଷଣୀୟ ବ୍ୟକ୍ତିତ୍ବ ୲ ଓଠରେ ସର୍ବଦା ଲାଖି ରହିଥାଏ ସ୍ମିତ ହସ ୲ ପ୍ରଥମ ଦେଖାରୁ ହିଁ ଶୁଭେନ୍ଦୁ ଅତି ଆପଣାର ଲାଗିଥିଲେ ଅରୁଣାକୁ ୲ ସତେ ଯେପରି ଅରୁଣାକୁ ଲାଗୁଥିଲା ଆଜି ନୁହେଁ ବହୁ ଅାଗରୁ ସେ ଖୁବ୍ ଭଲଭାବେ ଜାଣିଛି ଶୁଭେନ୍ଦୁଙ୍କୁ ୲ କାହିଁକି କେଜାଣି ତାକୁ ଯେମିତି ପ୍ରତୀୟ ହେଉଥିଲା କି ଶୁଭେନ୍ଦୁ ହିଁ କେବଳ ଜଣେ ମାତ୍ର ସେହି ଲୋକ ଯିଏ କି ତାକୁ ତା' ଲକ୍ଷ୍ୟସ୍ଥଳରେ ପହଞ୍ଚାଇ ପାରିବେ ୲ ଶୁଭେନ୍ଦୁଙ୍କର ସମସ୍ତଙ୍କ ସହ ବନ୍ଧୁତ୍ବପୂର୍ଣ୍ଣ ବ୍ୟବହାର , ବିନା ସଙ୍କୋଚରେ ହସିହସି ସମସ୍ତଙ୍କ ସହ ସହଜରେ ମିଶିଯିବାର ଗୁଣ ,ପରିଚୟ କିଛି ଥାଉ ବା ନ ଥାଉ ଅନ୍ୟର ଭଲମନ୍ଦ ପଚାରି ବୁଝିବାର ଆତ୍ମୀୟତା ଆଉ ସମସ୍ତଙ୍କ ସହ ମନ ଖୋଲା କଥା ହେବାର ଚମତ୍କାରିତାରେ ମନ୍ତ୍ରମୁଗ୍ଧ ହୋଇ ଅରୁଣା ସମସ୍ତଙ୍କ ଅଲକ୍ଷ୍ୟରେ କେବଳ ଦେଖୁଥିଲା ଶୁଭେନ୍ଦୁଙ୍କୁ ୲ ଏଇ ପ୍ରଥମ ଦେଖାରୁ ହିଁ ସେ ଖୁବ୍ ଆକୃଷ୍ଟ ହୋଇ ପଡିଥିଲା ଶୁଭେନ୍ଦୁଙ୍କ ବଳିଷ୍ଠ ବ୍ୟକ୍ତିତ୍ବ ଆଉ ଅମାୟିକ ବ୍ୟବହାର ପ୍ରତି ୲ ମନରେ ଗର୍ବ କି ଅହଂକାର ନାହିଁ ୲ ଏ ସଂସାରରେ ଏତେ ସୁନ୍ଦର ବ୍ୟକ୍ତିତ୍ବଧାରୀ ପୁରୁଷ ଥାଇ ପାରନ୍ତି , ଏହା ଅରୁଣାକୁ ଖୁବ୍ ଆଶ୍ଚର୍ଯ୍ୟାନ୍ବିତ କରୁଥିଲା ୲ କାହିଁ ତାଙ୍କ ସ୍ଵାମୀ ଅବିନାଶ ଜମା ବି ତ ସେମିତି ନୁହଁନ୍ତି ? 



ଅନେକ ଦିନରୁ ଏମିତି ଜଣେ ବନ୍ଧୁଟିଏ ପାଇବା ପାଇଁ ଖୁବ୍ ବ୍ୟାକୁଳିତ ଥିଲା ଅରୁଣାର ମନ ଆଉ ହୃଦୟ ୲ ସମାଜରେ ପ୍ରଚଳିତ ଗତାନୁଗତିକ ଜୀବନଧାରା ଜମା ପସନ୍ଦ ନଥିଲା ଅରୁଣାର ୲ ସେ ଭାବେ , ଖାଇ ପିଇ ମଉଜ ମସ୍ତି କରି କେବଳ ନିଜ ପାଇଁ ନିଜ ପରିବାରର ଭରଣପୋଷଣ ପାଇଁ ବଞ୍ଚିବାଟା ଗୋଟେ କି ଜୀବନ ? ଏପରି ସାଧାରଣ ଜୀବନଟି ବଞ୍ଚିବାକୁ କେବେ ଚାହିଁନଥିଲା ଅରୁଣା ୲ ସାନବେଳୁ ତା'ର ସ୍ଵପ୍ନ ଥିଲା ନୂଆ କିଛି କରିବାର ୲ ରାସ୍ତା କଡ଼ର ଅନାଥ ପିଲାଟି ପଇସାଟେ ପାଇଁ ଅନ୍ୟ ଆଗରେ ହାତ ପତାଇବା ଦେଖିଲେ ତା' ହୃଦୟ ଦୁଃଖରେ ବିଗଳିତ ହୋଇ ଉଠୁଥିଲା , ଝରି ପଡୁଥିଲେ ତା' ଆଖିରୁ ଦୁଇ ଟୋପା ତତଲା ଲୁହ ୲ ନିଜେ ପାଠ ପଢି ଚାକିରୀଟିଏ କଲେ ଗୋଟେ ଅନାଥ ଆଶ୍ରମ କରିବାର ସ୍ଵପ୍ନ ଛୋଟ ବେଳୁ ଦେଖିଥିଲା ସେ ୲ ଗତାନୁଗତିକ ଭାବରେ ନୁହେଁ ନିଜ ପସନ୍ଦ ମୁତାବକ ଗୋଟିଏ ସୁନ୍ଦର ସୁନାର ସଂସାରଟି ନିଜ ହାତରେ ଗଢ଼ି ତୋଳିବାର ସୁନେଲୀ ସ୍ଵପ୍ନଟିଏ ମଧ୍ୟ ଥିଲା ତା'ର ୲ ଯେଉଁଠି ଥିବ ପରସ୍ପର ବୁଝାମଣା , ଢେର୍ ସାରା ଭଲ ପାଇବା , ସମସ୍ତଙ୍କର ଥିବ ସ୍ଵାଧୀନ ମତ ପୋଷଣର ଅଧିକାର ୲ ଆଉ ଯେଉଁଠି ନିଜ ଇଚ୍ଛା ଅନୁସାରେ ବଞ୍ଚି ହେଉଥିବ , ଜୀବନର ମୋଡକୁ ଆବଶ୍ୟକତା ଅନୁସାରେ ବଦଳା ଯାଇ ପାରୁଥିବ ୲ ଯେଉଁଠି ପ୍ରତିଟି ସକାଳର ନୂତନ ସୂର୍ଯ୍ୟ ବୁଣି ଦେଉଥିବ କିଛି ନୂଆ ଆଶାର ସୁନେଲୀ କିରଣ ଆଉ ଜୀବନରେ ଭରି ଦେଉଥିବ ଢେର୍ ସାରା ରୋମାଞ୍ଚ ୲



କିନ୍ତୁ ସେମିତି କିଛି ଘଟିଲାନି ଅରୁଣାର ଜୀବନରେ ୲ ସୁନେଲି ସ୍ଵପ୍ନସବୁ ଭାଙ୍ଗିରୁଜି ଚୁରମାର୍ ହୋଇଯାଇଥିଲା ତା'ର ୲ ବିବାହର କିଛି ଦିନ ପରେ ସେ ଜାଣିପାରିଲା ଯେ ଅବିନାଶ ଘରେ କେବେ କାହା କଥା ଶୁଣନ୍ତିନି ୲ ସେ ସବୁବେଳେ ହିଁ ସେମିତି , ନିଜେ ଯାହା ଠିକ୍ ଭାବନ୍ତି ତାହା ହିଁ କରନ୍ତି ଆଉ ନିଜ ଇଚ୍ଛାକୁ ଜୋର୍ ଜବରଦସ୍ତ ଲଦିଦିଅନ୍ତି ଅନ୍ୟମାନଙ୍କ ଉପରେ ୲ କେବେବି ଦିନେ ଅରୁଣାର ମନ କଥା ବୁଝିବାକୁ ଚେଷ୍ଟା କରିନାହାଁନ୍ତି ସେ ୲ ଗତାନୁଗତିକ ଭାବରେ ସ୍ଵାମୀ ଆଉ ସ୍ତ୍ରୀ ମଧ୍ୟରେ ସେତିକି ସମ୍ପର୍କ ରହିବା କଥା , ଠିକ୍ ସେତିକି ହିଁ ତାଙ୍କ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ୲ ଦିନେ ଦିନେ ପେଟେ ମଦ ପିଇ ବିଳମ୍ବିତ ରାତିରେ ଘରକୁ ଫେରନ୍ତି ଆଉ କିଛି ନ ଖାଇ ହିଁ ଶୋଇପଡନ୍ତି ଅବିନାଶ ୲ ଯାହା କି ଅରୁଣା ପାଇଁ ଖୁବ୍ ଅସହ୍ୟ ୲ 



ଅବିନାଶ ହେଉଛନ୍ତି ତା' ସ୍ଵାମୀ, ଇହକାଳ ପରକାଳର ଦେବତା ୲ ତାଙ୍କୁ ଖୁସିକରିବା ପାଇଁ ନିଃସଙ୍କୋଚରେ ବିନା ପ୍ରତିବାଦରେ ନିଜର ସବୁ କିଛିକୁ ତ ସେ ଅଜାଡି ଦେଇଛି ତାଙ୍କ ପାଦ ତଳେ ୲ ପସନ୍ଦ ମୁତାବକ ଖାଇବା ତିଆରି କରିଦେଇଛି ସବୁଦିନ ୲ ତାଙ୍କ ପସନ୍ଦର ଶାଢ଼ୀ ଆଉ ଗହଣାରେ ନିଜକୁ ସଜାଇଛି ସେ ୲ ଏତେ ସବୁ ପରେ ବି ,ସେ କ'ଣ ଅବିନାଶଙ୍କୁ ପ୍ରକୃତରେ ଖୁସି କି ଶାନ୍ତି ଟିକେ ଦେଇ ପାରିଛି କି ଆଜି ଯାଏ ? ଯଦି ହଁ , ତେବେ ଅବିନାଶ କାହିଁକି ପିଉଛନ୍ତି ମଦ ? ଯାହା ତା' ର ଜମା ପସନ୍ଦ ନୁହେଁ ୲ କାଣିଚାଏ ଯଦି ସେ ବୁଝିପାରି ଥା'ନ୍ତେ ତାକୁ ତେବେ ନିଶ୍ଚୟ ଟିକେ ତ' ସମ୍ମାନ ଦେଇଥାନ୍ତେ ତା'ର କୌଣସି ବି ଇଚ୍ଛାକୁ ୲ ଅରୁଣା ଅନୁଭବ କରିଥିଲା , ଚାରି କାନ୍ଥ ମଧ୍ୟରେ ଆବଦ୍ଧ ଥିବା ଦୁଇଟି ଶରୀର ଆଉ ମନ ମଧ୍ୟରେ ସତେ ଯେପରି ଥିଲା ଯୋଜନ ଯୋଜନ ଦୂରତାର ବ୍ୟବଧାନ ୲ ଅରୁଣା ଅନେକ ଚେଷ୍ଟା କରିଛି ଦାମ୍ପତ୍ୟଜୀବନର ଅଡୁଆ ସୂତାକୁ ସଜାଡ଼ିବାକୁ ୲ ବହୁବାର ଚେଷ୍ଟା କରିଛି ଅବିନାଶଙ୍କୁ କହିବାକୁ ତା' ମନତଳର ଅକୁହା କଥା ସବୁକୁ ୲ ଅବିନାଶଙ୍କୁ ସୁଧାରିବାର ଢେର୍ ସାରା ପ୍ରୟାସ ବି କରିଛି , ହେଲେ କିଛିର ବି ପ୍ରଭାବ କେବେ ପଡ଼ିନି ଅବିନାଶଙ୍କ ଉପରେ ୲ ଆଜି ଯାଏ କାଣିଚାଏ ବି ସଫଳତା ପାଇ ପାରିଲାନି ତାର କୌଣସିବି ସ୍ଵପ୍ନ ୲ ସବୁ ସ୍ଵପ୍ନ , କେବଳ ଦିବା ସ୍ଵପ୍ନ ରୂପେ କବର ନେଇଛି ତା' ମନ ତଳର ଅଦେଖା ଗହ୍ଵର ଭିତରେ ୲ ହାରିଯାଇଛି ଅରୁଣା ନିଜ ପାଖରେ ଆଉ ଅବିନାଶଙ୍କ ଜିଦ୍ଖୋର ମନୋଭାବ ପାଖରେ ୲ 



ଏମିତି ନିତି ଦିନିଆ ଜୀବନ ପ୍ରବାହରେ ଖୁବ୍ ଅଣନିଶ୍ଵାସୀ ଅନୁଭବ କଲାଣି ଅରୁଣା ୲ ସ୍କୁଲ୍ ରେ ଥିବା ବେଳତକ ଯେମିତି ସେମିତି କଟିଯାଏ ତା'ର ୲ କିନ୍ତୁ ଘରେ ଏକୁଟିଆ ଥିବା ବେଳେ ବହୁତ କଷ୍ଟ ପାଏ ସେ ୲ ସବୁ କଥା ମନେ ପକାଇ ବହୁତ କାନ୍ଦେ ମଧ୍ୟ ୲ ସ୍ଵାମୀ ସ୍ତ୍ରୀର ଦାମ୍ପତ୍ୟ ଅସନ୍ତୋଷକୁ ଲଜ୍ୟାରେ କାହା ଆଗରେ ସେ ପ୍ରକାଶ କରି ପାରେନି କେବେ ୲ କ'ଣ କହିବ ସେ କାହାକୁ ? କିଏ ବା କାହିଁକି ବୁଝିବ ତାକୁ , ଯଦି ବୁଝିବା ଲୋକଟା ସବୁ ବୁଝି ବି ଅବୁଝା ରହିଗଲା ? ତେବେ ଏସବୁ ଅନ୍ୟ ଆଗରେ କହି ଲୋକ ହସା ହେବାଟା ହିଁ ସାର ହେବ ସିନା ତା' ଛଡ଼ା ଆଉ କିଛି ନୁହେଁ ୲ କିଛି ଲୋକ ସମ ବେଦନା ଜଣାଇ ପାରନ୍ତି ସତ କିନ୍ତୁ ପଛରେ ତା'ର ଖୁଣ କାଢ଼ି ତାତ୍ସଲ୍ୟ ହିଁ କରିବେ କେବଳ ୲ ତେଣୁ ସେ ମନର କଷ୍ଟକୁ ମନରେ ମାରି ଚୁପ୍ ରହିବା ଶ୍ରେୟସ୍କର ମନେକରେ ୲ ଘରଦ୍ଵାର , ଗାଡ଼ିଘୋଡ଼ା କି ଗହଣାଗାଣ୍ଠି କେଉଁଥିରେ ଅଭାବ ନାହିଁ ଅରୁଣାର ୲ ସେସବୁର କିଛି ଦରକାର ବି ନାହିଁ ତା' ଏ ରଙ୍ଗହୀନ ଜୀବନରେ ୲ ସେ ଏସବୁ କେବେ ଚାହିଁ ନଥିଲା ୲ ତା' ମତରେ ଜୀବନ ଯେଉଁଠି ନିରସ , ସେଠି ଏ ବାହ୍ୟ ଚାକଚକ୍ୟର କି ବା ପ୍ରୟୋଜନ ? ତାକୁ କେବଳ ଦରକାର ଥିଲା ମନ ବୁଝିଲା ପରି ସୁନ୍ଦର ମନଟିଏ ୲ ଯାହା ସେ ପାଇ ପାରିଲାନି ଅବିନାଶଙ୍କ ପାଖରେ ୲ ତା' ଅନ୍ତରାତ୍ମା ତାକୁ ବହୁ ଥର କହିଲାଣି , ଏମିତି ଭିତରେ ଭିତରେ ଜଳିଜଳି ମରିମରି ବଞ୍ଚିବା ଅପେକ୍ଷା କିଛି ଗୋଟେ ଅଘଟଣ ଘଟାଇବାରେ ଅସୁବିଧା କୋଉଁଠି ? କିଛି ନ ହେଲେ ବି ତ ଟିକେ ଶାନ୍ତିରେ ମରି ପାରିବୁନା ତୁ ? ଏ ସ୍ଵାଧୀନ ଅଧିକାର ଟିକକ କ'ଣ ତୋର ତୋ' ନିଜ ଉପରେ ନାହିଁ ? ଅରୁଣା ଅନେକ ବାର ସ୍ଥିର କରିଛି ସୁଇସାଇଡ଼ କରିଦେବାକୁ , ମାତ୍ର ପାରିନି ୲ ବାଟ ଓଗାଳେ ଅମ୍ରିତର ନିରୀହ , ସରଳ ମୁହଁ ୲ ତା' ଭିତରେ ବିଳାପ କରି ଉଠେ ମାତୃତ୍ଵ ୲ ବିନା ଦୋଷରେ ଆଉ କି ଅଧିକାରରେ କାହିଁକିବା ସେ ମାତୃ ହରା କରିବ ନିରୀହ ଅମ୍ରିତକୁ ? ତାକୁ ତ ସେ ହିଁ ଆଣିଛି ଏ ସଂସାରକୁ ୲ ତେଣୁ ଅମ୍ରିତକୁ ମଣିଷ ପରି ମଣିଷଟିଏ କରିବାର ଗୁରୁ ଦାୟିତ୍ଵ କେବଳ ତା'ର ନା ୲ ଅମ୍ରିତର ନିରୀହ ମୁହଁକୁ ଚାହିଁ ସବୁ ଦୁଃଖ ଭୁଲିବାକୁ ଚେଷ୍ଟାକରେ ଅରୁଣା ୲ 



ଏବେ ଏବେ ତା'ର କାହିଁ ଅନୁଭବ ହେଉଛି ସତେ ଯେପରି ତାକୁ ଚିହ୍ନିଲା ପରି , ତା' ମନକୁ ବୁଝିଲା ପରି , ବନ୍ଧୁଟିଏ ତାକୁ ମିଳିଯାଇଛି ୲ ଏଥର ନିଶ୍ଚୟ ତା' ଜୀବନରେ କିଛି ନୂଆ ମୋଡ଼ ଆସିବ ହିଁ ଆସିବ ୲ ଶୁଭେନ୍ଦୁଙ୍କୁ ଦେଖିଲା ପରେ ତା' ଭିତରର ଆତ୍ମ ବିଶ୍ଵାସ ହଠାତ୍ ଆଗ ଠାରୁ ଅପେକ୍ଷାକୃତ ବଢିଯାଇଛି ଯେମିତି ୲ ତାକୁ ଲାଗୁଛି ସତେ ଯେପରି ତା' କାନ ପାଖରେ ଶୁଭେନ୍ଦୁ କହୁଛନ୍ତି - ତୁମେ କ'ଣ ଜାଣିନ ଅରୁଣା , ଏ ଜୀବନଟା ପରା ସାପ , ସିଡିର ଖେଳ ପରି ୲ କେବେ ସିଡ଼ିରେ ଚଢ଼ି ଯାଇଁ ସାଙ୍ଗେ ସାଙ୍ଗେ ସଫଳତାର ଶୀର୍ଷରେ ପହଞ୍ଚି ହୁଏ ତ କେବେ ପୁଣି ସଫଳତା ପାଉ ପାଉ ସାପ ମୁହଁରେ ପଡ଼ି ପୁଣି ମୂଳକୁ ଫେରି ଆସିବାଟା ସାର ହୁଏ ୲ ହାରିବା ଜିତିବା , ହାରୁ ହାରୁ ଜିତିବା ଆଉ ଜିତୁ ଜିତୁ ହାରିବା , ଏ ଜୀବନରେ କିଛି ନୂଆ କଥା ନୁହେଁ ୲ କିନ୍ତୁ କଥା କ'ଣ ଜାଣ ଅରୁଣା , କେହି ଜଣେ ଯଦି ହାରିଯାଉଥିବା ମଣିଷଟିର ପିଠି ଥାପୁଡ଼ାଇ ଆଗକୁ ବଢ଼ିବାର ରାସ୍ତାଟିଏ ଦେଖେଇ ଦିଏ ନା , ଜୀବନର ସର୍ପିଳ ରାସ୍ତାରେ ଚାଲିବାଟା ଆଉ ଏକାଏକା ଲାଗେନି କି କଷ୍ଟକର ମନେ ହୁଏନି ଜମା ୲ ଆପଣାଛାଏଁ ସବୁ କିଛି ସହଜ ଆଉ ସୁନ୍ଦର ହୋଇଯାଏ ୲ ତୁମେ ଏତିକିରେ ଏମିତି ଭାଙ୍ଗି ପଡ଼ିଲେ ହେବ ? ଆଜି ବି ବେଶି କିଛି ଡେରି ହୋଇଯାଇନି , ନିଜ ମନବଳକୁ ଦୃଢ଼କର , ନିଜ ଆତ୍ମ ବିଶ୍ଵାସକୁ ବଢ଼ାଅ ୲ ତୁମେ ଜମା ବି ନିଜକୁ ଏତେ ଦୁର୍ବଳ ଭାବନି ଆଉ ୲ ତୁମେ ପରା ନାରୀ , ସୃଷ୍ଟି କାରିଣୀ ଆଦିଶକ୍ତି , ସଂହାରକାରୀ ମାଆ ଦୁର୍ଗା ୲ ପତିପ୍ରାଣା ସତୀ ଅନୁସୟା ୲ ସବୁକିଛି କରି ପାରିବ ତୁମେ ୲ କାହିଁକି ଅନ୍ତର୍ଦାହରେ ଏମିତି ଜଳିଜଳି ନିଜକୁ ନିଃଶେଷ କରି ଦେଉଛ ଭିତରେ ଭିତରେ ? ନିଜ ଉପରେ ବିଶ୍ଵାସ ରଖ ଯେ ମୁଁ , ନିଶ୍ଚୟ ପାରିବି ୲ ତୁମେ ଏବେ ଆଉ ଏକା ନୁହେଁ ଅରୁଣା ମୁଁ ପରା ତୁମ ସାଥିରେ ଅଛି ୲ ଆମେ ଦୁହେଁ ମିଶି କ'ଣ ଅବିନାଶକୁ ବଦଳାଇ ବାଟକୁ ଆଣିପାରିବାନି ? 



ଅରୁଣାର ଏତେ ସବୁ ଭାବନାରେ ପୂର୍ଣ୍ଣଚ୍ଛେଦ ପକାଇ କଲିଂ ବେଲ୍ ଟା ହଠାତ୍ ବାଜି ଉଠିଲା ୲ ସେ ଚମକି ପଡ଼ି ବେଡ଼ରୁ ସୁଧା ଉଠି ଚାଲି ଆସିଲା ଦାଣ୍ଡ ଘରକୁ ୲ ପୁଅର ସ୍କୁଲ୍ ରୁ ଫେରିବାର ବେଳ ହୋଇଗଲାଣି ୲ ତେଣୁ ତରତର ହୋଇ ଅରୁଣା ଯେତେବେଳେ କବାଟ ଖୋଲିଦେଲା, ସେ ନିଜ ଆଖିକୁ ଜମା ବି ବିଶ୍ଵାସ କରି ପାରିଲାନି ୲ ବାହାରେ କବାଟ ପାଖରେ ଅମ୍ରିତ ସହ ଅବିନାଶ ଆଉ ଶୁଭେନ୍ଦୁ ମଧ୍ୟ ଠିଆ ହୋଇଥିଲେ ୲ ଶୁଭେନ୍ଦୁ ହସି ହସି ଘର ଭିତରକୁ ପଶି ଆସୁଆସୁ କହିଲେ, ଜାଣିଛ ଭାଉଜ ଆଜି ଠାରୁ ନିତି ସନ୍ଧ୍ୟାରେ ମୋର ଆପଣଙ୍କ ଘରେ ହିଁ ଡେରା ପଡ଼ିଲା ଜାଣ ୲ ଆପଣଙ୍କୁ ଟିକେ ରିଲାକ୍ସସେସନ ଦେବା ପାଇଁ ପରା ଅବିନାଶ ଅମ୍ରିତର ଟ୍ୟୁସନ୍ ଦାୟିତ୍ବ କିଛି ଦିନ ପାଇଁ ମୋ' ଉପରେ ହିଁ ନ୍ୟସ୍ତ କରିଛି ୲ ମୁଁ ବି ଆପଣଙ୍କୁ ଜମା ବେଶି କଷ୍ଟ ଦେବାକୁ ଚାହିଁବିନି ମ ଭାଉଜ ୲ ମାତ୍ର ଗୋଟେ କପ୍ ଗରମାଗରମ୍ ଚା' ଦେବାର ସାମାନ୍ୟତମ କଷ୍ଟ ଅବଶ୍ୟ ଦେବି ସବୁଦିନ ୲ 



ହା ହା ହା .....ହସି ଉଠିଲେ ଅବିନାଶ ଶୁଭେନ୍ଦୁଙ୍କ କଥାରେ ୲ ଆଉ କହିଲେ ଜାଣିଛ ଅରୁଣା , ଶୁଭେନ୍ଦୁ ଆମର ଖୁବ୍ ମଜାଳିଆ ମିଜାଜର, ତା' କଥା ଚାତୁରୀରେ ହସେଇ ହସେଇ ଆମ ଅଫିସରେ ସମସ୍ତଙ୍କୁ ବେଦମ କରିଦିଏ ପରା ୲ ଅବିନାଶଙ୍କ ଏପରି ମନ ଖୋଲା ହସ ଆଜି ପ୍ରଥମ କରି ଯେମିତି ଦେଖୁଛି ଅରୁଣା ୲ ଅବିନାଶ ହସିଲେ ସତରେ କେତେ ସୁନ୍ଦର ଦେଖା ନ ଯା'ନ୍ତି ? ଅବିନାଶଙ୍କ ସ୍ଵଭାବରେ ଅଚାନକ ଏପରି ପରିବର୍ତ୍ତନରେ ହତବାକ୍ ହୋଇ ଯାଇଥିଲା ଅରୁଣା ୲ କ'ଣ ସବୁ ଯେ ଆଜି ତା' ଆଖି ସାମ୍ନାରେ ଘଟିଯାଉଛି କାଠ କଣ୍ଢେଇଟି ପରି କେବଳ ଠିଆ ହୋଇ ଦେଖୁଥିଲା ସେ ୲ ଅବିନାଶଙ୍କ ଡାକରେ ତା ଦେହରେ ଟିକେ ଚେତା ପଶିଲା ଯେପରି ୲ ଆରେ ଅରୁଣା , ତୁମେ ସେଠି କାଠଟି ପରି କ'ଣ ଛିଡ଼ା ହୋଇଛ ? ଏଠିକି ଆସୁନ ୲ ଶୁଭେନ୍ଦୁ ସହ ବସି ଖୁସି ଗପ କରୁଥାଅ ୲ ତୁମକୁ ଆଜି କିଛି ରୋଷେଇ କରବା ଦରକାର ନାହିଁ ୲ ମୁଁ ଯାଉଛି ରାତି ପାଇଁ ହୋଟେଲରୁ କିଛି ଖାଇବା ଧରି ଆସିବି ୲ ଏଇ ଗଲି ଆଉ ଆସିଲି ୲ ଶୁଭେନ୍ଦୁ ଏଠି ଆଜି ରାତ୍ରି ଭୋଜନ କରିକି ହିଁ ଯିବ ୲ ଅରୁଣା କିଛି କହିବା ପୂର୍ବରୁ ଅବିନାଶ ଗାଡ଼ି ଛୁଟାଇ ଦେଇଥିଲେ ହୋଟେଲ ଅଭିମୁଖେ ୲ ଆଉ ଅରୁଣା ପଛରୁ ଚାହିଁ ରହିଥିଲା କେବଳ ୲ ଅରୁଣାର ଓଠ ରୁ ଝରି ପଡୁଥିଲା ସୁଲଳିତ ହସର ଚେନାଏ ଧାର ୲



ରଚନା : ସଂଯୁକ୍ତା ରାଉତ

ଠିକଣା : ଜୟପୁର, କୋରାପୁଟ,   ଦୂରଭାଷ :