ମଥୁରା ରାଜା କଂସର ଗୁପ୍ତଚର ଥିଲା ବ୍ଯୋମାସୁର । ବ୍ରଜମଣ୍ଡଳର ଦ୍ବାଦଶବନ ମଧ୍ୟରୁ ଚତୁର୍ଥ ବନ, ' କାମ୍ଯବନ ' ଅନ୍ତର୍ଗତ ଏକ ପାହାଡ ଭଧ୍ଯବର୍ତ୍ତୀ ଇଲାକାରେ ଗୁମ୍ଫାଟିଏ ରହିଛି । ଏହା ବ୍ଯୋମାସୁର ଗୁମ୍ଫା ନାମରେ ପରିଚିତ । ଏହି ଠାରେ ଭଗବାନ ଶ୍ରୀକୃଷ୍ଣ ବ୍ଯୋମାସୁରକୁ ବଧ କରିଥିଲେ । ଥରେ ଭଗବାନ କୃଷ୍ଣ ନିଜ ସଖାମାନଙ୍କ ସହ ଗାଈ ଚରାଉଥିଲେ । ଚାରିପାଖରେ ସବୁଜ ଘାସବୁଦା ରହିଥିଲା । ଗାଈମାନେ ସେଠାରେ ଆନନ୍ଦରେ ଚରୁଥିଲେ । ଶ୍ରୀକୃଷ୍ଣ ନିଶ୍ଚିତ ହୋଇ ସଖାଙ୍କ ସହିତ ମେଷ ଚୋରି ଲୀଳା ଖେଳିବାକୁ ଆରମ୍ଭ କଲେ । କେତେଜଣ ସଖା ମେଣ୍ଢା ହୋଇଥାନ୍ତି, ଆଉ କେତେଜଣ ପାଳକ । କିଛି ସଖା ଚୋର ହୋଇ ମେଣ୍ଢା ଚୋରି କରିବାର କ୍ରୀଡାକୌଶଳ ଆରମ୍ଭ କରିଦେଲେ । କୃଷ୍ଣ ବିଚାରକ ହୋଇଥାନ୍ତି । ମେଷ ପାଳକମାନେ ବିଚାରକଙ୍କ ନିକଟରେ ମେଣ୍ଢା ଚୋରି ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ କଲେ । ଶ୍ରୀକୃଷ୍ଣ ଦୁଇ ପକ୍ଷକୁ ଡାକି ବିଚାର କରିବାକୁ ଆରମ୍ଭ କଲେ । ଏହା ପରେ ଗୋପ ବାଳକମାନେ କ୍ରୀଡା ପ୍ରତି ଆସକ୍ତ ହୋଇଗଲେ । ଏହି ସମୟରେ ବ୍ଯୋମାସୁର ନାମକ  କଂସର ଗୁପ୍ତଚର ଶ୍ରୀକୃଷ୍ଣଙ୍କୁ ମାରିବା ଲାଗି ସଖାଙ୍କ ଭଳି ବେଶ ଧାରଣ କରି ସଖାମଣ୍ଡଳୀରେ ପ୍ରବେଶ କଲା । ସେ ମେଣ୍ଢା ଚୋର ସାଜିଲା ଏବଂ ମେଣ୍ଢା ସାଜିଥିବା ସଖାଙ୍କୁ କ୍ରମଶଃ ଆଣି ନିଜ ଗୁମ୍ଫାରେ ଲୁଚାଇଦେଲା । ଶ୍ରୀକୃଷ୍ଣ ଦେଖିଲେ ଯେ ସଖାମାନେ ଗଲେ କୁଆଡେ ? ସେ ବ୍ଯୋମାସୁରକୁ ଚିହ୍ନିଦେଲେ । ଏହାପରେ ସେ ବ୍ଯୋମାସୁରକୁ ଜାବୁଡି ଧରି ବଧ କଲେ । ତା' ପରେ ସେ ଗୁମ୍ଫା ଭିତରୁ ସଖାଙ୍କୁ ବାହାର କରିଥିଲେ । 

ସଂଗ୍ରହକାରୀ-ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ବର, ମୋ-୯୮୫୩୧୪୨୫୧୦