କବିତା - ବଳଭଦ୍ର ଚରଣେ ବଳିଛି ମାନସ - ସନ୍ତୋଷ ପଟ୍ଟନାୟକ

0
ଜଗତ ଠାକୁର ଭ୍ରାତା ବଳଭଦ୍ର 
     ଧବଳକାନ୍ତି ଶୋଭିତା
ରୋହିଣି ନନ୍ଦନ ଲଙ୍ଗଳ ଧାରଣ 
      ରେବତୀ ପ୍ରାଣ ବଲ୍ଲଭା....

ଅନାଦି ଯୁଗରୁ ଅନନ୍ତ ଶୟନେ 
     ଶେଷନାଗ ଅବତାରୀ
ତ୍ରେତୟାରେ ତୁମେ ଶ୍ରୀରାମ ଅନୁଜ 
     ତ୍ୟାଗର ଅଟ ପୂଜାରୀ....
ଦ୍ୱାପରେ ଶ୍ରୀକୃଷ୍ଣ ଜ୍ୟେଷ୍ଠଭ୍ରାତା ତୁମେ
    ରେବତ ରାଜା ଜାମାତା
କଳିଯୁଗେ ପ୍ରଭୁ ବ୍ରହ୍ମ ରୂପି ଦାରୁ
     ତୁମେ ନିଳାଦ୍ରୀ ଶୋଭିତା

ପିତା ବସୁଦେବ ରୋହିଣୀ ତ ମାତ
     ଶ୍ରାବଣ ପୁନେଇଁ ଜନ୍ମ 
ଉତ୍କଳେ ପାଳିତ ସେଇ ଶୁଭଦିନ
     ବୋଲନ୍ତି ରାକ୍ଷୀବନ୍ଧନ....

ନିଶଠ, ଉଲ୍ଲୁକ ତୁମ ଦୁଇପୁତ୍ର 
    ରେବତୀ ଗର୍ଭୁ ଜନମ 
ପୁରାଣ ଗାଉଛି ତୁମରି ଗାଥାକୁ 
     ବର୍ଣ୍ଣିକି ପାରିବ ଅଧମ... !

କ୍ଷମିବ ହେ ନାଥ ପ୍ରଭୁ ବଳଭଦ୍ର 
    ପରାକ୍ରମୀ ହଳଧାରୀ
ଆଶାର ସାଗରେ ଭାସୁଚି ଏ ମନ
    ଶରଣ ଘେନ ମୋହରି....

ଦି ଘଡିର ଏହି ମୋ ମନ ହୃଦୟ 
    ନିଶ୍ବାସେ ନାହିଁ ବିଶ୍ୱାସ 
କ୍ଷମାର ସାଗର ଶ୍ରୀଚରଣେ  ଆଶ 
    ବଳିଲା ଆଜି ମାନସ....


ସନ୍ତୋଷ ପଟ୍ଟନାୟକ
ବେଗୁନିଆପଡା ବ୍ଳକ୍ ,ତିରିଡା, ଗଞ୍ଜାମ, ଦୂରଭାଷ - 8866369211

Post a Comment

0Comments
Post a Comment (0)