
ସକାଳ ଖବରକାଗଜ ଖୋଲୁଖୋଲୁ ପୁଣି ଏକ ଲୋମଟାଙ୍କୁରା ବିଭତ୍ସ ନାରକୀୟ କାଣ୍ଡ । ହାଇଦ୍ରାବାଦ ପରେ ଏବେ ଉତ୍ତରପ୍ରଦେଶରେ ନ୍ୟାୟ ପାଇବାକୁ ଯାଉଥିବା ନାରୀଟିକୁ ବେଲ୍ ରେ ଆସିଥିବା ଅପରାଧି କିରୋସିନି ଢାଳି ଜାଳିଦେଲେ..। ଏହାର କଣ ଅନ୍ତ ନାହିଁ..? ତେବେ ଆଉ କେତେଦିନ...?
କେତେଦିନ ଆଉ ଝାରୁଥିବ କୁହ
ତପ୍ତ ଶୋଣିତ ଲୁହ
କେତେଦିନ ଆଉ ଗୋପନେ ଚାପିବ
ଅସହ୍ୟ ବେଦନା କୋହ..!?
କେତେଦିନ ଆଉ ପ୍ରସ୍ତର ପରାୟ
ସହୁଥିବ ଅଗ୍ନି ଜ୍ୱାଳା
କେତେଦିନ ଆଉ ନୀରବେ ଦେଖିବ
ନାରକୀୟ ହିଂସ୍ର ଲୀଳା..!?
କେତେଦିନ ଆଉ ଶୋଭାଯାତ୍ରା ନେଇ
କରୁଥିବ ହରତାଳ
ନୀଳକଣ୍ଠ ସାଜି ପିଉଥିବ ନିତି
ଦୁଷ୍କର୍ମ ଘନ ଗରଳ..!?
ଅନ୍ଧାରେ ଏବେ ନ୍ୟାୟିକ ବ୍ୟବସ୍ଥା
ସରକାର ଅନ୍ଧ ମୁକ
ଜନତା ବାପୁଡା କେତେ ଶୋଇବୁ'ରେ
ଆଖି ଖୋଲି ବାରେ ଦେଖ..!!
ସମ୍ବିଧାନ ଫର୍ଦ୍ଦ ଢାଲ କରି ଦୋଷୀ
କୋହଳ କରୁଛି ଦଣ୍ଡ
କିଏ ଜାଣେ କେତେ ନିର୍ଭୟା ପ୍ରିୟଙ୍କା
ଗଡାଇବେ ଆଉ ମୁଣ୍ଡ..!!
ଜାଗ ଜାଗ ଏବେ କ୍ରାନ୍ତିକାରୀ ଜନ
ଜାଗି ଉଠୁ ଐକ୍ଯ ବାଣ
ଜାଗ୍ରତ କରି ଚିନ୍ତା ଚେତନା
ଲେଖ ନୂଆ ସମ୍ବିଧାନ..!!
ତୋ' ହାତେ ସକଳ ଶକତି ଗଚ୍ଛିତ
ଉପଯୋଗ କର ଏବେ
ବେଳ ହୁଁ ବାନ୍ଧ ତୋ' ସୁରକ୍ଷା ବଳୟ
ସଂସାରେ ରହିବୁ ଯେବେ..!!