ଯେତେବେଳେ ତୁମେ ଆସ
ଏଇ ଭାବନାରେ
ସେତେବେଳେ ଜଣାପଡେନି ରାତି
ଜଣା ପଡେନି ଦିନ
କୁଆଡେ ଉଭେଇ ଯାଏ
ପେଟ ଆଉ ପେଟ ତଳର ଭୋକ
ରଙ୍ଗୀନ ଲାଗେ ମୋ ଗାଁ
ରଙ୍ଗୀନ ଲାଗେ ତୁମରି ସହର ।

ଖରା ରେ ଲୋଡ଼ା ପଡେନି
ପଙ୍ଖାର ପବନ
ବରଷାରେ ଛତା ଅବା
ଶୀତରେ ଚାଦର
କାରଣ ତୁମେତ
କୃଷ୍ନଚୁଡା ହସ
ତୁଠର ଶିଉଳି
ଫୁଲେଇ କାକର ।

ଶୋଷ ଆଉ ନିଦ
ଏ ଦୁହେଁ ତ ମାଡ଼ନ୍ତିନି ପାଖ
ତୁମେ ଥିଲେ ସେମାନେ
ମୋତେ ଛୁଇଁବାକୁ
ଖୋଜନ୍ତି ଅଲଗା ତାରିଖ ।

ଦେହ ସତେଜ ହୋଇଉଠେ
ଆପେ ଆପେ ଲିଭିଯାଏ
ମନର ଦରଜ
ମୁଁ ପ୍ରେମ ମୟ ହୋଇଯାଏ
ତୁମକୁ ସେମିତି ନିରେଖି
ଚାହିଁ ରହିଥାଏ
କିଛିବି ଫରକ ପଡେନି ମୋତେ
ତୁମ ମୁହଁ ହସିଲେ କି
ହେଲେ ଲାଜ ଲାଜ ।


ରଚନା : ସିଦ୍ଧେଶ୍ବର ତ୍ରିପାଠୀ

ଠିକଣା : କୁଣ୍ଡିଲୋ, କେରଙ୍ଗ, ଖୋର୍ଦ୍ଧା,  ଦୂରଭାଷ : 8018646704