ଗ୍ରୀଷ୍ମ ଋତୁ ପ୍ରକୃତିର ବାଲ୍ୟ କାଳ ବରଷା ଚୀର ଯୌବନ
ଶୀତ ଋତୁ ପରା ବାର୍ଦ୍ଧକ୍ୟ ଅବସ୍ଥା ପତ୍ର ଝଡା ତା'ର ଚିହ୍ନ ।
ବାଳ ଠାରୁ ବୃଦ୍ଧ ସଭିଏଁ ସମାନ ଘୋଡାଇ ହୁଅନ୍ତି ବସ୍ତ୍ର
ରେଜେଇ କମ୍ବଳ ସୁଏଟର୍ ମଫଲର୍ ଜାକେଟ୍ ଟୋପିର ଅସ୍ତ୍ର ।
ନିଆଁ ପୋଇଁବାର ମଜା ପରିବାର ନିଆଁ ଚାରିପଟେ ଘେରି
ଗପ ସପ ସାଥେ ଆମୋଦ ପ୍ରମୋଦ ଚା ସୁଡୁସୁଡୁ କରି ।
ଶୀତ ଆସୁ ଆସୁ ଧାନ କଟାହୁଏ ଆଳୁ ମଂଜି ହୁଏ ପୋତା
ପନି ପରିବାର ଶାଗ ସବଜିର ଭଜା ତରକାରି ଭର୍ତ୍ତା ।
ବଣ ଭୋଜି ପାଇଁ ଉଛନ୍ନ ସଭିଏଁ ଭ୍ରମଣର ମଜା ଲୁଟି
ସୁଆଦିଆ ଖାଇ ଜଂଗଲରେ ରହି ଛୁଟିଟି ଦିଅନ୍ତି କାଟି ।
ବାହାଘର ପାଇଁ ବରକନ୍ଯା ପିତା ଖୋଜୁଥାନ୍ତି ଶୀତ ଦିନ
ଭୋଜିର ମଜାଟି ଦ୍ୱିଗୁଣିତ ହୁଏ ସୁପ୍ କଫିର ମାନ ।
ଚାଷୀ ପରିବାର ଖଳାରେ ବସିକି ଲେଉଟାଣି ଖରା ବେଳେ
ଖରା ପିଠି କରି ପଖାଳ ଶାଗରେ ଫସଲ ଅମଳ ଭାଳେ ।
ଧାନ କଟା ଛୁଟି ହୁଏ ବିଦ୍ୟାଳୟେ ମେରୀ ଖ୍ରୀଷ୍ଟ ମାସ ନାମେ
ଦର୍ଶନୀୟ ସ୍ଥାନ ଭ୍ରମଣ ଯୋଜନା ବିଦ୍ୟାର୍ଥୀଙ୍କ ଲାଗେ କାମେ ।
ଅଗ୍ନି ଉତ୍ସବ ପୂର୍ଣ୍ଣିମାରେ ଗାଆଁ ଗାଆଁରେ ଅଗି ଜଳିବ
ବିଶ୍ୱାସ ଆମର ଶୀତର ପ୍ରକୋପ ସେହି ଦିନ ଠାରୁ ଟଳିବ ।
ପରିବେଶ ଆମ ବିଗିଡି ଗଲାଣି ଶୀତ ଭୁଲିଲାଣି ବାଟ
ମୌସୁମୀ ବରଷା ନହେଲେ ଶୀତର ଫିଟୁନାହିଁ ବାଟ ଘାଟ ।
ଶୀତ ନିମନ୍ତ୍ରଣ ଦିଏ ବସନ୍ତକୁ ପ୍ରକୃତିର ନବୋନ୍ମେଶ
ନବ କିଶଳୟ ବୃକ୍ଷରେ ଶୋଭନ ପଳାଶ ଫୁଲର ଦୃଶ୍ୟ ।


ରଚନା : Bisweswar Majhi

ଠିକଣା : 366/1, Alakapuri, Damana, CsPur, Bhubneswar,  ଦୂରଭାଷ : 9437697161