ଆମ ସମ୍ବିଧାନ ନାରୀକୁ ସମାନ ଅଧୀକାର ଦେଲେ ବା ଲାଭ କଣ ? ଆମେ ଆମ ପରିବାରରେ ଝିଅକୁ ପୁଅ ସହିତ ସମାନ ଅଧୀକାର ଦେବା ଏଯାଏ ଶିଖି ପାରିଲୁନି । ଗଳ୍ପରେ ପ୍ରେମକୁ ଏକ ଉଦାହରଣ ଭାବେ ନିଆ ଯାଇଛି, କିନ୍ତୁ ଝିଅଙ୍କୁ ଚାଲିବା, କଥା କହିବା, ପୋଷାକ ପିନ୍ଧିବା, ଖେଳକୁଦ୍ କରିବା ବା ପାଠ ପଢିବା ପାଇଁ ପୁଅଙ୍କ ସହିତ ସମାନ ଅଧୀକାର ଦେଇ ପାରିଛୁ କି ?

ବୋଉ ବାପାଙ୍କୁ ଚୁପ କରି କହିଲା, ଜାଣିଚ, ତମ ପୁଅ ବଡପିଲା ହୋଇଗଲାଣି, ସେ ଆଜିକାଲି କୋଉ ଗୋଟେ ଝିଅକୁ ଭଲ ପାଉଛି, ପୁଅ ଆମର ପ୍ରେମ କଲାଣି । ବାପା ହୋ ହୋ ହୋଇ ହସି ଉଠିଲେ ଆଉ କହିଲେ, ହା, ହା, ହା ପୁଅ କାହାର?? ପୁଅ ମୋର ଯୁବକ ହୋଇ ଗଲାଣି କଲେଜରେ ପାଠ ପଢୁଛି ଏ ବୟସରେ ପ୍ରେମ କରିବନି ତ ଆଉ କଣ ବୁଢା ହେଲେ କରିବ? ଜାଣିଛ ମୁଁ କଲେଜ ପଢିଲା ବେଳେ ଦି ଦିଟା ଝିଅଙ୍କୁ ଏକା ସାଙ୍ଗରେ ଫସେଇ ରଖିଥିଲି । ବୋଉ ଟିକିଏ ଲାଜେଇ ଗଲା । ମୋତେ ଖୁସି ଲାଗିଲା, ମୋର ମନେହେଲା, ଯାହାହେଉ ବାପା ମୋର ଓପନ ମାଇଣ୍ଡେଡ ମଡର୍ଣ୍ଣ ବାପା ।

ଦିଦି ବି କଲେଜରେ ପଢେ, ବୋଉ ଦିନେ ପଢା ଟେବୁଲ ଝାଡୁ ଝାଡୁ ଦିଦିର କେମିଷ୍ଟ୍ରି ବହିରୁ କହାର ଲଭଲେଟର ଦେଖିଦେଲା । ପୁରା ଘରକୁ କମ୍ପେଇ ମୁଣ୍ଡରେ ଉଠେଇ ନେଲା, ଦିଦିକୁ ଦି ଚାପୁଡା ମାରି ପଚାରିଲା କହ, କିଏ ସିଏ ଟୋକା? ତୋତେ କଲେଜ ପଠେଇ ଭୂଲ ହେଇଗଲା । ବାପାଙ୍କର ଇଜ୍ଜତ ମହତ ପଦାରେ ପକେଇଲଭଦେଲୁ ତୁ ଅଲାଜୁକି । ବାପା ଶୁଣିଲେ, ମୁଣ୍ଡରେ ହାତ ବାଡେଇ ଭାଗ୍ୟକୁ ବହେ ନିନ୍ଦିଲେ, କପାଳକୁ ଦୋଷ ଦେଲେ, ଯୁଗ କୁଆଡେ ଗଲା ବୋଲି ନିଜକୁ ନିଜେ ପଚାରି ହେଲେ । ଘରର ଇଜ୍ଜତ ଚାଲିଗଲା ବୋଲି କହିଲେ । ଝିଅ ଜନ୍ମ କରି ମନସ୍ତାପ କରୁଥିଲେ ।

ମନେ ମନେ ଭାବୁଥିଲି, କୁଆଡେ ଗଲେ ମୋର ସେଇ ଓପନ ମାଇଣ୍ଡେଡ୍ ମଡର୍ଣ୍ଣ ବାପା ? ମଣିଷ ଏପରି ଦୋହରା ମାନସିକତା କେମିତି ଦେଖାଇ ପାରନ୍ତି, ନିଜର ଜନ୍ମକଲା ପିଲାଙ୍କ ଭିତରେ ପ୍ରଭେଦ କରିପାରତି ? ପୁଅ ପ୍ରେମ କଲେ ଘରର ଇଜ୍ଜତ ବଢେ, ଆଉ ଝିଅ ପ୍ରେମ କଲେ ଘରର ଇଜ୍ଜତ ଚାଲିଯାଏ ???

ରଚନା : ବିନୟ ମହାପାତ୍ର

ଠିକଣା : ଭୂବନେଶ୍ୱର,  ଦୂରଭାଷ :