ମାଆ ପାଦ ଦେବେ ଧରାରେ

ଶରତ ଶରତ ବାସୁଛି ମରତ
ମାଆ ପାଦ ଦେବେ ଧରାରେ
ମେଘକୁ ଆଡେଇ ସୂରୁଯ ବୁଣୁଛି
କଅଁଳିଆ ସୁନା ଖରାରେ ।

ଧଳାର ଚାନ୍ଦୁଆ ଆକାଶ ଟାଣିଛି
ବଉଦ ହେଇଛି ଫେରାର
ଶାଗୁଆ ଶାଢ଼ୀରେ ଧରଣୀ ଆଜିରେ
ଦିଶୁଅଛି କେଡେ ସୁନ୍ଦର ।

ବାଡ଼ି ପଛପଟେ ଜହ୍ନି ଫୁଲ ଫୁଟି
ହସୁଅଛି କେଡେ ଖୁସିରେ
ସତେକି କିଏସେ ମେଞ୍ଚାଏ ହଳଦୀ
ଦେଇଛି ତା ଦେହେ ଲେସିରେ ।

ପତର ଉପରେ ପାଣିର ଟୋପାଟି
ହୀରା ପରି କରେ ଚମକ
ସବୁଜିମା ଭରା ବିଲ ବଣ ପାଟ
କରିଛି କେ ବୋଧେ କୁହୁକ ।

ମାଟି ମହକୁଛି ମନ ମହକୁଛି
ମହକୁଛି ଧୂପ ଝୁଣାଟି
ଦିନ ଆସି ପୁଣି ରାତି ଚାଲିଯାଏ
ସମୟ ପଡେନି ଜଣାଟି ।

ସିଂହବାହିନୀ ମା,ସିଂହପରେ ବସି
ଦେବେରେ ଆମକୁ ଦର୍ଶନ
ଆସିବେ ବୋଲି ସେ କାଶତଣ୍ଡୀ ହସେ
ମଳୟ ବାସୁଛି ଚନ୍ଦନ ।

ପ୍ରକାଶ କୁମାର ଚାନ୍ଦ
ଜୟପୁର ଶାସନ ପିପିଲି ପୁରୀ
ମୋ-୯୮୫୩୩୫୪୯୩୮ ୭୦୦୮୯୨୫୯୫୪


ରଚନା : ପ୍ରକାଶ କୁମାର ଚାନ୍ଦ

ଠିକଣା : ଜୟପୁର ଶାସନ ପିପିଲି ପୁରୀ ଦୂରଭାଷ : ୯୮୫୩୩୫୪୯୩୮