ରାଗ : ଚୋଖି

ପୂର୍ବାଳି-ରଞ୍ଜିତ-ପ୍ରଭା ନିହାର-ଗଞ୍ଜିତ-ଶୋଭା
ନିକୁଞ୍ଚନ-ଆଭା ତୁଲେ ଶୋହେ ପ୍ରଭାତ,
ନିମୀଳିତ-ଚକ୍ଷୁ-ସମ ଭ୍ରୂକୁଟୀ-ସଜ୍ଜିତ-ଲୋମ
ରୋମନ୍ଥନ ବକ୍ଷେ ଯେହ୍ନେ ହୁଏ ନିମିତ୍ତ,
ଦେଖ ତୀର୍ଥ ହେଲା ବିକଚ
ରବି ଯେବେ ତାପ-କରେ ବିନ୍ଧେ ନାରାଚ। ୧ ।

ବିରଳ ନଭକୁ ଚାହିଁ ବେଦନା ବିଞ୍ଚିଲେ ବିହି
ସଞ୍ଚିତ-ଅଧର-ବିମ୍ବେ ସୁଖ-ଆସ୍ଵାଦ,
ତଟିନୀ-ଶଙ୍କିତ-ବାମା ପ୍ରଗଲ୍ଭେ ଶୁଭାଙ୍କ-ସୀମା
ବିନିଦ୍ର-ରାଜୀବ ତୁଲେ ଭାଙ୍ଗଇ ଖେଦ,
ସାମରଥା ଶୁଭ-ପଲ୍ଲବ
ଅସୁମାରୀ କୁସୁମରେ ସୁଷମ-ଭବ । ୨ ।

ବୃକ୍ଷଡାଳେ ସୁଖେ ଶୁକ ତଟିନୀର ତଟେ ପିକ
ଉପବେଶି ଗାଉଛନ୍ତି କି କଳରବେ,
"ପଞ୍ଚବଟୀ ନୁହେଁ ଏହା କି ଅର୍ଥେ ଆସିଲା ଯାହା
ସକଳ ସଂସାର ମୋହ ତ୍ୟଜି ବାଡ଼ବେ,
ବରିଲା ଅନନ୍ୟ ବିଭବ
ଜଡ଼ମୁଖେ ସ୍ମିତଦୁଃଖେ ହୁଏ ଉଦ୍ଭବ । ୩ ।

ଚୁମ୍ବୁଅଛି ବନମାଳ ପରସ୍ପରେ ବିମ୍ବ-ଚୁଳ
ମୃଣାଳ-ଅମ୍ବର-ସମ ଗଲେ ନୀଳାଭେ,
ନିରୁକ୍ତ-ଘର୍ମର ବେଳା ଅଗୋଚର ଯେବେ ହେଲା
ପ୍ରସ୍ତରେ ପିଟିଣ କୋପେ ଶିର ସ୍ଵଭାବେ,
ନମନୀୟ-କାନ୍ତି ଝଟକେ
ଦେଖି କିବା ଜନନୀକୁ ପୁତ୍ର ଅଟକେ । ୪ ।

ନିସ୍ପନ୍ଦ-ପ୍ରଭାତ-ବ୍ରୀଡା ମନ୍ଦ୍ରିତ-କପୋଳ-କ୍ରୀଡା
ପୀଡା ଭେଦି କୋହ ଭାଳି ଧୋଇ ପଖାଳେ,
ସବୁଜିମା ଭରା କୋଳେ ଲଙ୍ଘି ଯିବ କୁତୂହଳେ
ବେନି ପୟ-ହୀନ-ରଶ୍ମଗ ଦେବ କୋମଳେ,
ପ୍ରଣୟିନୀ-ଶାଳ୍ମଳୀ-ଗୁଳ୍ମ
ଟଗର-ଶେଫାଳି-ରଣି-କୁସୁମ ସଦ୍ମ। ୫ ।

ବୋଳିଦେବେ କି ଅଞ୍ଜନ ଧବଳ-ବିତାନ-ବର୍ଣ୍ଣ
କଞ୍ଜନାକ୍ଷୀ ପ୍ରାୟ ଯେବେ ମଣ୍ଡିବ ମୁଖେ,
ଦୁଃଖଦ-ଶୃଙ୍ଗାର-ତ୍ୟକ୍ତ ହେବ ପୁନଃ ଧରାଭକ୍ତ
ଆସକ୍ତ-ହୃଦୟ-ଶୋଭା ଦେବେ ସମ୍ମୁଖେ
କି କଳାପ ଦେବ ନିୟତି
କରି ବରି ଧରାପୁରୀ ବନ୍ଦେ ଭାରତୀ । ୬ ।

ପ୍ରତାପୀ-ଆତପ-ଭୂପ ପ୍ରଭୂତ-ପ୍ରବାଳ-ନୂପ
ସଙ୍ଗତେ ରମଣୀ ହୋଇ ବସିବ ତପେ,
ପ୍ରଣୟ-ଚାରୁ-କୁଙ୍କୁମ ଆଦ୍ୟ ଅଭିସାର ରମ୍ୟ
ପୂଜା କରି ଦେବୀ-ତାନେ ପ୍ରେମ-ଆଟୋପେ,
କଳ୍ପନାର ସ୍ରୋତ ବହୁଛି
ବିସ୍ମୟ ଯେ କୁମୁଦରେ ଝଟକୁଅଛି। ୭ ।

ଦିବସେ ରଜନୀ-କାନ୍ତ ହୁଅନ୍ତିନି ପ୍ରତିଭାତ
କଳ୍ପନା ବେଦନା ସବୁ ବିସ୍ମରି ନୋହେ,
ଭଗ୍ନାର୍ହ-ଶ୍ମଶାନ-ଶାଳା ଜଡକୁ ଜୀବନ ଦେଲା
ବିସ୍ମୟରେ ଏ କି ବୋଲି ନଥିଲା କୋହେ,
ବେଦନା-ତଟିନୀ ପ୍ରବାହେ
କାହିଁ ତେଣୁ ରେଣୁ ସୁଖେ ରହୁଛି ଆହେ। ୮ ।

ବିଜନ-ନିଶୀଥ-ସ୍ମୃତି ଲହରୀ ସଙ୍ଗତେ ଭ୍ରାନ୍ତି
ପ୍ରଶାନ୍ତ-କୁମୁଦ-ବେଳା ସୁଢ଼ଳ ଭବେ,
ଊର୍ଜ୍ଜ୍ଵସଳ-ଦମ୍ଭ-ପ୍ରାଣ ହେଲା କି ଦୁର୍ବଳ ଯୌନ
ଫେନାବଳୀ-ଧୌତ-ପଦେ ବିଲୀନ ଏବେ,
ଅବୋଧ୍ୟ ଯାମିନୀ ଅଶାନ୍ତ
ପ୍ରଶ୍ନିଳ-ତୁଙ୍ଗିମା-ରାଶି ଭେଦେ ଦିଗନ୍ତ। ୯ ।

ଗୁଳ୍ମରାଶି ପାଶେ ମିଳି କରୁଛି ଊର୍ମିଳା ଅଳି
ଏ କି ବ୍ୟତିକ୍ରମେ ମୁହିଁ ବ୍ୟସ୍ତବିବ୍ରତ,
ରତ୍ନାକର-ଅଭିହିତ ଯେବେ ତଟିନୀ ଅକ୍ଳାନ୍ତ
ଅନ୍ତଃସ୍ରୋତ ଧରି ଅଙ୍କେ ଆଶ୍ଵାସରତ,
ବିଚିତ୍ର-କାଳିମା-ସଘନ
ହଜାଇଛି ମୋର ସ୍ଥାନ ଭବ ଅରଣ୍ୟ । ୧୦ ।


ରଚନା : ଅମ୍ରିତେଶ ଖଟୁଆ

ଠିକଣା : ୨୩୭, ଫେଜ୍ - ୨, କାନନ ବିହାର, ପଟିଆ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର - ୭୫୧୦୨୪ ଦୂରଭାଷ : ୮୪୫୫୦୪୦୧୬୫