ମାଆ ଗୋ ପଦୁଆଁବତୀ
             ବି.ନିରୁପମା

ଶହେ ଆଠ ପଦ୍ମ ରଖିଅଛି ତୋଳି
ମାଆ ଗୋ ପଦୁଆଁବତୀ ,
ନାନା ବରନର ମୁରୁଜ ପାରିଛି 
ଶରଧାରେ ମୁହିଁ ଅତି ।

କେତେ ରକମର ପିଠା ତିଆରିଛି
ଆରିସା ,କାକରା ,ମଣ୍ଡା ,
ଚିତୋଉ, ଚକୁଳି ,ଏଣ୍ଡୁରି ସଜାଡ଼ି
ରଖିଲିଣି କେଇ ଗଣ୍ଡା ।

କଦଳୀ ,କାକୁଡି ,ଡାଳିମ୍ବ ,ପିଜୁଳି,
ଶ୍ରୀଫଳ ରଖିଛି ଆଣି ,
ଆମ୍ବଡାଳ ତହିଁ ଦେଇଅଛି ଥୋଇ
କଳସୀରେ ଭରି ପାଣି ।

ଚନ୍ଦନ ,କର୍ପୂର ,ଦୂବ ,ବରକୋଳି-
ପତର ଯତନେ ରଖି ,
ଘିଅବତି ଜାଳି ପୂଜା ଆରମ୍ଭିଲି
'ମାଆ ମହାଲକ୍ଷ୍ମୀ ଡାକି'।

ଭକତିରେ ମୋର ତୋଷ ହୋଇ ମାଆ
ଗୁହାରି କର ଗୋ ଘେନା ,
ତୁମ୍ଭ କୃପା ହେଲେ ସୁଖ ,ସଉଭାଗ୍ୟ
ଅଚିରେ ମିଳିବ ସିନା ।

ଅନ୍ନ ,ବସ୍ତ୍ର ଆଉ ଗୃହର ଚିନ୍ତାଟି
ସଦା ହୋଇଯିବ ଦୂର ,
ମୋଅରି ଉପରେ ଅନୁଗ୍ରହ କରି
ବିରାଜ କର ମୋ ପୁର ।

ମାମୁରିଆ ,ଛେଣ୍ଡିପଦା ,ଅନୁଗୋଳ ।