ଶୁକରେ ତୁ ଯାଇ ବାରତା କହିବୁ
ମନମୋହନଙ୍କ ପାଶେ ,
ଗୋପର ତରୁଣୀ ପରାଣ ଧରିଛୁ
ତାଙ୍କରି ଦର୍ଶନ ଆଶେ ।

କହି ଯାଇଥିଲେ ସଅଳ ଫେରିବେ
ହେଲାଣି ବହୁତ ଦିନ ,
ଆମ ସାଥେ ପରା ଝୁରୁଛି ଯମୁନା
ଝୁରୁଛି ବି କୁଞ୍ଜବନ ।

ଯଶୋଦା ମାଆଙ୍କୁ ଅନ୍ନ ରୁଚୁନାହିଁ
କ୍ଷୀଣ ହୋଇଲାଣି ତନୁ ,
ତାଙ୍କ ବଂଶୀଧ୍ୱନି ଶୁଣିବାକୁ ଏଠି
କାନ ଡେରିଛନ୍ତି ଧେନୁ ।

ଆହୁରି ବି କେତେ ପ୍ରାଣୀ ଜପୁଛନ୍ତି
କୃଷ୍ଣ କୃଷ୍ଣ ଅନୁକ୍ଷଣ ,
ପ୍ରତୀକ୍ଷାର ଅନ୍ତ କରିଦେଇ କାଳେ
ମିଳିଯିବେ ତତକ୍ଷଣ ।

ସୁପକ୍ଵ ଫଳ ମୁଁ ଦେଉଅଛି ତୋଳି
ମନ ଆନନ୍ଦରେ ଖାଆ ,
ଶୁଣିଲୁ ଯା' କିଛି ଶ୍ୟାମଙ୍କୁ କହିବୁ
ସଅଳ ତୁ ଉଡ଼ିଯାଆ ।

ମାମୁରିଆ ,ଛେଣ୍ଡିପଦା,ଅନୁଗୋଳ ।