ଭାଷା ସାହିତ୍ୟର    ଉନ୍ନତି ପାଇଁ କି
         ହେଲୁ ଆଜି ଆଗଭର
ସ୍ଥାନେ ସ୍ଥାନେ ଆଜି    ଗଢି ଉଠିଲାଣି
          ଅନୁଷ୍ଠାନ ସାହିତ୍ଯର ।

ଦେବା ସୁସମ୍ମାନ    ଭାଷା ସାହିତ୍ୟକୁ
        କରିବାନି କେବେ ଚୋରି
ଚୋରି କରି ଯେବେ   ଧରାପଡି ଯିବା
         ନେବେନି କେହି ଆଦରି ।

ଅପମାନ ହେବ    ଭାଷା ସାହିତ୍ୟକୁ
        ପାରିବାକି ଆମ୍ଭେ ସହି
ରସାତଳ ହେବ    ସାହିତ୍ୟ ସମାଜ
       ପୂର୍ବେ ଯାଇଛନ୍ତି କହି ।

ସାହିତ୍ୟକୁ କେହି  ଚୋରିକରି କେବେ
         ପାରିନାହିଁ ହୋଇ ବଡ଼
କରିବାନି ଚୋରି   ଆଗେଇ ଚାଲିବା
       ଆସୁପଛେ ଯେତେ ଝଡ଼ ।

ଶିଖି ନାହଁ ଯଦି    କବିତା ଲେଖିବା
       କରନି କବିତା ଚୋରି
ଇଚ୍ଛା ଅଛି ଯଦି    ପରାମର୍ଶ ନିଅ
      ଲେଖିବ କଲମ ଧରି ।

ଶିଖିବାରେ ଯଦି    ମନ ବଳାଇଛ
       ବୟସ ନୁହେଁ ବାଧକ
ଚୋରିକରି କେବେ    ନହୁଅ ଲଜ୍ଜିତ
     ହୋଇବ ଯେବେ ସାଧକ ।

ସ୍ୱଚ୍ଛ ବିଭାଗରେ   କରିଲ ଚାକିରୀ
       ସମାଜ ଗଢିବା ପାଇଁ
ନିଜେ କରୁଅଛ   ସାହିତ୍ୟକୁ ଚୋରି
       ଲଜ୍ଜା ଟିକେ ଲାଗୁନାହିଁ ।

ପଡିଗଲେ ଧରା   ଅନ୍ଯମୁଣ୍ଡେ ଦୋଷ
        ଲଦିବାକୁ ଆଗଭର
କ୍ଷମାମାଗି ପୁଣି  କରୁଛ ସ୍ବୀକାର
     ମୁଁ ଅଟେ କବିତା ଚୋର ।

ଯେଉଁ ବିଭାଗରେ   ଚାକିରୀ ତୁମର
        ଚୋରିକୁ କୁହନ୍ତି ପାପ
ଏ ସମୟେ ତୁମେ    କଳଙ୍କ ଅର୍ଜିଣ
        ତାକୁ ସଜାଇଲ ବାପ।

ଏହିପରି କେତେ  ଚୋର/ଚୋରଣୀ ପାଇଁକି 
       ସାହିତ୍ୟ ଯାଏ ତଳକୁ
ଲୋକ ଲଜ୍ଜା ପୁଣି   ନିନ୍ଦା ଅପବାଦ
        ଆଣିଦିଏ ସମାଜକୁ ।

ସମ୍ମାନ ତ ଦେବା   ଭାଷା ସାହିତ୍ୟକୁ
      ଏକଥା ଯାଉଛି କହି
ନିଜକୁ ଆଜି ମୁଁ   ଭାବୁ ନାହିଁ କେବେ
      ବଡ଼ ସାହିତ୍ୟକ କହି ।

ଲେଖକ ହୋଇକି  ଲେଖିବାକୁ ଆମ୍ଭେ
     କରିବାନି କେବେ ଚେଷ୍ଟା
ଲେଖୁ ଲେଖୁ ଆମ୍ଭେ  ହୋଇବା ଲେଖକ
        ଯାହା କହିଛନ୍ତି ସ୍ରଷ୍ଟା  ।।

ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ବର, ମୋ-୯୮୫୩୧୪୨୫୧୦