ଏଇଭଳି ତୁମ ଓଠରୁ ରାଧିକେ
ହସ ଝରୁଥାଉ ସଦା ,
ସନ୍ତୋଷ ଚିତ୍ତରେ ଯାଚି ଦେଉଅଛି
ମୋ ସୁଖରୁ ନିଅ ଅଧା ।

ବିରସ ମନରେ ରହିବନି ଜମା
ଦେବନି ଦେହକୁ ପୀଡ଼ା ,
ତୁମ ମୋ ଭିତରେ ଦୂରତା ହିଁ ନାହିଁ
ସବୁବେଳେ ପାଖେ ଛିଡ଼ା ।

ଲୋକ ଜାଣିବାକୁ ଭିନ୍ନ ସିନା ତନୁ
ମନ ଦୁହିଁଙ୍କର ଏକ ,
ଆସିଛନ୍ତି ଆମେ ମରତବାସୀଙ୍କ
ହରିବାକୁ ଦୁଃଖ, ଶୋକ ।

ତୁମେ ଦମ୍ଭଧରି ରହିଥିଲେ ପରା
ଶିଖିବେ ମରତବାସୀ ,
ବିପଦ ଆପଦ କାଳରେ ଧଇର୍ଯ୍ୟ
ଧରିବେ ସେ ଆପେ ହସି ।

ତୁମ ନାମେ ଆଉ ଲାଗିବନି ଦୋଷ
ବିରହ ବିଧୁରା ବୋଲି ,
ସତୀ ଶିରୋମଣି ,ଶକ୍ତି ସ୍ୱରୂପିଣୀ
କହିବେ ସଭିଏଁ ଖୋଲି ।

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।