ସନ୍ଥ ତୁଳସୀ ଦାସ କହିଛନ୍ତି, ଧନ, ପଦବୀ, କ୍ଷମତା କିମ୍ବା ବିଦ୍ଯାଅର୍ଜନ କରିବା ପରେ ମନୁଷ୍ୟ ମନରେ ଅଭିମାନ ସୃଷ୍ଟି ହୋଇଥାଏ । ଏହି ସମୟରେ ମଣିଷ ନିଜକୁ ବଡ଼ ବୋଲି ଭାବିଥାଏ । ଜ୍ଞାନ, ଧନସମ୍ପତ୍ତି ଭଗବାନଙ୍କ ଦାନ ବୋଲି ମନରେ ଭାବନା ଆସିଲେ ମନରୁ ସମସ୍ତ ଅହଙ୍କାର ଦୂର ହୋଇଯାଇଥାଏ । ଜଣେ ଗୃହସ୍ଥ ଵ୍ଯକ୍ତି ପରିଶ୍ରମ କରି ବ୍ଯବସାୟ କରୁଥିଲା । ସେଥିରୁ ହେଉଥିବା ରୋଜଗାରରେ ସେ ନିଜ ପରିବାର ଚଳାଉଥିଲା । ସନ୍ଥ,ଅତିଥିମାନଙ୍କ ପାଇଁ ଲୋକଟିର ଦ୍ବାର ସର୍ବଦା ଖୋଲା ରହୁଥିଲା । ଦିନେ ଲୋକଟି ଏକ ବେପାରରେ ଲକ୍ଷାଧିକ ଟଙ୍କା ହାତେଇ ନେଲା । ହାତକୁ ଟଙ୍କା ଆସିବା କ୍ଷଣି ତା' ମନରେ ଅଭିମାନ ଉତ୍ପନ ହେଲା । ସେ ଘରର ଦ୍ବାର ବନ୍ଦ କରିଦେଲା ଏବଂ ଗୋଟିଏ କୁକୁର ରଖିଲା । କୁକୁରଟି ଆଗନ୍ତୁକଙ୍କୁ ଦେଖିବାକ୍ଷଣି ଭୁକୁଥିଲା । ଲୋକଟିର ଜଣେ ସନ୍ଥଙ୍କ ପ୍ରତି ଅତ୍ଯନ୍ତ ସମ୍ମାନ ଭାବ ରହିଥିଲା । ସନ୍ଥ ସେହି ନଗରକୁ ଆସିବା କ୍ଷଣି ଲୋକଟିର ଘରକୁ ଯାଇ ସତସଙ୍ଗ ପ୍ରବଚନ ଦେଉଥିଲେ । ଏଥର ମଧ୍ଯ ସେହି ଗୃହସ୍ଥର ଘରକୁ ଗଲେ । ଦ୍ବାର ବାଡେଇବାରୁ କୁକୁର ଆସି ଭୁକି ତାଙ୍କୁ ଚମକେଇଦେଲା । ସନ୍ଥ ଫେରି ଆସି ମନ୍ଦିରକୁ ଚାଲିଗଲେ । ଏ ସମ୍ପର୍କରେ ଜାଣିବା ପରେ ଗୃହସ୍ଥ ଜଣକ ଭୋଜନ ନେଇ ମନ୍ଦିରକୁ ଗଲା । ସନ୍ଥଙ୍କୁ ଭୋଜନ କରିବା ଲାଗି ଆମନ୍ତ୍ରଣ କଲା ।  ମାତ୍ର ସନ୍ଥ ଜଣକ କହିଲେ, ଏହି ଭୋଜନ ଫେରାଇ ନେଇଯା' । ପୂର୍ବରୁ ବିନମ୍ରତା ପୂର୍ବକ ଯେଉଁ ଭୋଜନ ଦେଉଥିଲୁ ସେଥିରୁ ଏକ ବିଶେଷ ସୁଗନ୍ଧ ଆସୁଥିଲା । ମାତ୍ର ଏବେକାର ଭୋଜନରେ ତୋର ଅହଂକାର ମିଶିଛି । ଏଥିରୁ ଅହଙ୍କାରର ଗନ୍ଧ ଆସୁଛି । ମୁଁ ଏପରି ଖାଦ୍ୟ ଖାଇପାରିବି ନାହିଁ । ସନ୍ଥଙ୍କ କଥା ଲୋକଟିର ଗର୍ବ ଚୂନା କରିଦେଲା ।

ସଂଗ୍ରହକାରୀ-ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ବର, ମୋ--୯୮୫୩୧୪୨୫୧୦