ଦୁର୍ଗତୀନାଶିନୀ ମା' ଦୁର୍ଗାଙ୍କ କ୍ରୋଧମୟ ସ୍ବରୂପ ହେଉଛି ମହାଶକ୍ତି ଚଣ୍ଡୀ । " ଚଣ୍ଡ " ବା " ଚଢି " ଧାତୁ ସହିତ " ଈପ୍ " ବା " ଡୀଷି " ପ୍ରତ୍ଯୟ ଯୋଗ ହୋଇ ଚଣ୍ଡୀ ଶବ୍ଦର ସୃଷ୍ଟି ହୋଇଛି । ସାଧାରଣରେ ଏହି ଶବ୍ଦର ଅର୍ଥ ହେଉଛି କୋପମୟୀ,କ୍ରୁଦ୍ଧା । ବ୍ରହ୍ମସ୍ବରୂପିଣୀ ମାତା ଦୁର୍ଗା ଶୁମ୍ଭ ଅସୁର ଏବଂ ଚଣ୍ଡ ଓ ମୁଣ୍ଡକୁ ବଧ କରିବା ଲାଗି କୋପମୟୀ ସ୍ବରୂପ ଧାରଣ କରିଥିଲେ । ସେଥିପାଇଁ ସେ ଚଣ୍ଡୀ ନାମରେ ପରିଚିତ ହେଲେ । ଚଣ୍ଡିକା ମାତାଙ୍କ ପୂଜା କରିବା ଦ୍ବାରା ଉକ୍ତ ସ୍ବର୍ଗ ସୁଖ ଭୋଗ କରିଥାଏ ଏବଂ ମୋକ୍ଷ ଲାଭ କରିଥାଏ । ପ୍ରତିଦିନ ଚଣ୍ଡିକି ପୂଜା କରିବାର ପୂଣ୍ଯ ଫଳକୁ ସ୍ବୟଂ ବ୍ରହ୍ମା ସୁଦ୍ଧା ନିର୍ଣ୍ଣୟ କରିପାରିବେ ନାହିଁ । 
        ଚଣ୍ଡି ପୂଜା ମନୁଷ୍ଯକୁ ଲକ୍ଷ୍ମୀବନ୍ତ କରିଥାଏ । ନୀଳକମଳ ପୁଷ୍ପ ଅର୍ପଣ କରି ଚଣ୍ଡୀ ମାତାଙ୍କୁ ପୂଜା କରିବା ଦ୍ବାରା ମନୁଷ୍ୟ ନାନାଲୋକ ପ୍ରାପ୍ତ କରିଥାଏ । ପଞ୍ଚଗବ୍ଯ ଦ୍ବାରା ଚଣ୍ଡୀ ମାତାଙ୍କ ପ୍ରତିମୂର୍ତ୍ତିକୁ ସ୍ନାନ କରାଇ ପୂଜା କଲେ ମନୁଷ୍ୟ ସୁରଭି ଲୋକ ପ୍ରାପ୍ତ କରିଥାଏ । ଉତ୍ତରାୟଣରେ ଚଣ୍ଡୀ ପୂଜା କଲେ ବହୁପୁତ୍ର,ପୁତ୍ରବଧୁ ଓ ଧନପ୍ରାପ୍ତ ହୋଇଥାଏ । ଚଣ୍ଡି ଦର୍ଶନ ଅତ୍ଯନ୍ତ ପବିତ୍ର ଅଟେ । ଅହିଂସା ଭାବ ନେଇ ଦେବୀ ପୂଜା କଲେ ଶ୍ରେଷ୍ଠ ମିଳିଥାଏ । ଶାରଦୀୟ ପୂଜା ଅବସରରେ ଚଣ୍ଡୀମାତାଙ୍କୁ ପୂଜା କରୁଥିବା ମନୁଷ୍ୟର ମୁକ୍ତି ସୁନିଶ୍ଚିତ । ଏପରି ମନୁଷ୍ୟ ମୃତ୍ୟୁ ପରେ ଚଣ୍ଡୀଲୋକରେ ସ୍ଥାନ ପାଏ ତଥା ଚିରକାଳ ପର୍ଯ୍ଯନ୍ତ ସୁଖଭୋଗ କରିଥାଏ । ଚଣ୍ଡୀମାତାଙ୍କ ମୁଣ୍ମୟୀ ମୂର୍ତ୍ତି ପୂଜା କଲେ ଭକ୍ତ ପରମଗତି ଲାଭ କରିଥାଏ । ଶାସ୍ତ୍ରରେ କୁହାଯାଇଛି ଶମ୍ଭୁ,ବିଷ୍ଣୁ, କୁବେର,ବାୟୁ,ଅଗ୍ନି, ବସୁ,ଅଶ୍ବିନୀ କୁମାର,ବିଶ୍ଵଦେବ,ବରୁଣ,ସୂର୍ଯ୍ଯ,ଗ୍ରହ,ପିତର ଓ ପିଶାଚ ଆଦି ମଧ୍ଯ ଚଣ୍ଡୀଙ୍କ ବିଭିନ୍ନ ସ୍ବରୂପକୁ ପୂଜା କରିଥାନ୍ତି । 

ସଂଗ୍ରହକାରୀ--ନରେନ୍ଦ୍ର ପ୍ରସାଦ ବେହେରା,
ଆଳଦା, ଖଇରା,ବାଲେଶ୍ବର, ମୋ--୯୮୫୩୧୪୨୫୧୦