ଉଆଁସୀ ଜହ୍ନ - ଶିବ ଚରଣ ମହାପାତ୍ର

0
କାଇଁ କେଉଁଠି ତ ଦିଶୁନାହିଁ
ତୁମ ଆଶୀର୍ବାଦ ଫର୍ଚା ଜହ୍ନ ଆଲୁଅ
କାଇଁ କେଉଁଠି ତ ହସୁନାହିଁ
ପବିତ୍ର ପ୍ରେମର ଅମଳିନ ମୁହଁ..

ଏଠି କଞ୍ଚା ରକ୍ତରେ ଲେଖାଅଛି
ସବୁ ପଥ ନିର୍ବାଣର
ଭିତରେ ବାହାରେ ନିମିଳନ ଆଖିଭର୍ତ୍ତି
ମେଞ୍ଚା ମେଞ୍ଚା ସ୍ୱପ୍ନ ଆଉ ଅଭିଳାଷା ସାଥିରେ
ବହଳ ବହଳ ଗାଢ୍ ଅନ୍ଧାର..

ସତେ କି ଦୁଃଖ ଯନ୍ତ୍ରଣା ସବୁ ଭଲଲାଗେ
ଅନ୍ଧାର କୋଳରେ ମୁଣ୍ଡ ଗୁଞ୍ଜି ଦେଇ
ମମତାର ଜହ୍ନିଫୁଲ ମଉଳା ଶରୀରେ
କଞ୍ଚା ହଳଦୀ ପରି ମାଖିହେଇ..!?

ତୁମେ ଆସ କି ନଆସ
ମନ କୁଞ୍ଜରେ ମଲ୍ଲୀ ଫୁଲ ଫୁଟେ..
କୁଆଁରୀ କନିଆଁ ଓଢଣୀ ଫାଙ୍କରେ ଯେବେ
ପ୍ରଣୟ ଶୃଙ୍ଗାର ବାଢୁଥାଏ
ଏ ଅନ୍ଧାର କି ସତେ ଭୟରେ କୁହାଟେ..!?

ଅଭିମାନୀ ଜ୍ୱୋତ୍ସା ନିଜପାଖେ ମନମାରେ
ଭାଗ୍ୟର ଚଉରା ତଳେ ମୁହଁ ପୋତି ବସେ..
କେଜାଣି ସେ କଣ ଭାବେ
ପ୍ରହର ଆୟୁଷ କିଛି ସରିଗଲା ପରେ
ଆକାଶ କୋଣରୁ ଚାହିଁ ଖିଲି ଖିଲି ହସେ..

କାଇଁ କେଉଁଠି ତ ଦିଶୁନାହିଁ ତୁମ ପାଦଚିହ୍ନ
ତଥାପି ମୁଁ ବୁଝିଯାଏ..
କିଛି ପାପ ଭଲଲାଗେ ଅନ୍ଧାର ଛାତିରେ..
କିଛି ପୁଣ୍ୟ ଭଲଲାଗେ ହୃଦ ମନ୍ଦିରରେ..
କିଛି ଖୁସି ପୂର୍ଣ୍ଣହୁଏ ଆପଣା ପାଖରେ..
କିଛି ଦୁଃଖ କ୍ଷୁର୍ଣ୍ଣହୁଏ ଅନ୍ତରେ ଅନ୍ତରେ..

ସେଲାଗିତ
ଏ ଯନ୍ତ୍ରଣା , ଏ ଛଟପଟ ଖୁବ୍ ଭଲଲାଗେ
ଆନନ୍ଦମୟ ଚିରାଚରିତ ଜୀବନରୁ
କିଛିକ୍ଷଣ ବିରାମ ନେଲାପରେ ..

ରଚନା : ଶିବ ଚରଣ ମହାପାତ୍ର

ଠିକଣା : ଶିବ ଚରଣ ମହାପାତ୍ର ଫୋନ ନମ୍ବର :


Post a Comment

0Comments
Post a Comment (0)