ଥୟ ଧରି ଟିକେ ରହ
ବି.ନିରୁପମା
'ଲୁସି' ଲୋ ଏମିତି ଉଚ୍ଛନ୍ନ ହୁଅନା
ଗଛରେ ଦେଉଛି ପାଣି ,
ଫୁଲ ଫୁଟି କେତେ ବାସ ଚହଟୁଛି
ପାରୁନାହୁଁ କିଲୋ ଜାଣି ।
ଖାଲି ମ୍ୟାଉଁ ମ୍ୟାଉଁ କରି ;
ଲାଞ୍ଜ ଟେକି ମୋର ଆଗରେ ପଛରେ
ଯାଉଅଛୁ କିଆଁ ଘୂରି !!
ମାଆ ଯାଇଅଛି ବାହାରକୁ ଏବେ
ସାଥେ ଅଛି ମୋର 'ଶଶୀ'
ବଗିଚାରେ ଆମେ ପାଣି ଦେଉଅଛୁ
ଦେଖୁଛୁ ତ ମିଳିମିଶି ।
ଥୟ ଧରି ଟିକେ ରହ ;
ଖାଇବାକୁ ତୋତେ ଦେବି ଦୁଧଭାତ
ମିଠା ପାଉଁରୁଟି ସହ ।
ରିଶାନ ଯାଇଛି ଖେଳିବାକୁ ପରା
ତୋ ସାଥିରେ କେହି ନାହିଁ ,
ଖୋଜୁଅଛୁ କିବା ତାକୁ ମନେ ମନେ
ଏଇନେ ଆସିବ ଧାଇଁ ।
ରହ କାମ ଦିଏ ସାରି ;
ଦେହକୁ ତୋହର ଆଉଁଶି ଦେବି ମୁଁ
ଶରଧାରେ ଥିରି ଥିରି ।
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।
0 Comments
You can write now your valuable comments here. Off-topic comments may be removed or deleted without prior notice.