ନିରାପଦ ହେବ ସୃଷ୍ଟି 
               ବି.ନିରୁପମା

ଏଇ ପ୍ରକୃତିର ସୁରକ୍ଷା ସକାଶେ
ଜନମ ଆମର ସାଥୀ ,
ବିଧାତା ଆମକୁ ସରଜି ଅଛନ୍ତି
ଧରା ପରେ ଜାତି ଜାତି ।

ଖରା,ବର୍ଷା ଆଉ ଶୀତ ସହି ଆମେ
ଦିଅନ୍ତି ଅନ୍ୟକୁ ଛାୟା ,
ଫୁଲ ,ଫଳ ସହ କଲ୍ୟାଣରେ ପୂରା
ଲାଗଇ ଆମରି କାୟା ।

ଶୋଷି ହଳାହଳ-ପ୍ରାଣୀ ଜଗତକୁ
ଦିଅନ୍ତି ବିଶୁଦ୍ଧ ବାୟୁ ,
ସେଥିପାଇଁ ଜୀଵ ନିରୋଗ ରହନ୍ତି
ବଢ଼ିଯାଏ ତାଙ୍କ ଆୟୁ ।

ଶାଖା ପ୍ରଶାଖାରେ ବିହଗେ ରହନ୍ତି
ଯତନେ ବାନ୍ଧିକି ବସା ,
କାକଳିରେ ତାଙ୍କ ମନ ଭରିଯାଏ
ମୂଳେ ଖେଳୁଥା'ନ୍ତି ଶଶା ।

ଆହୁରି ଅନେକ ପ୍ରାଣୀ ସାହା ଲୋଡ଼ି
ଆମ ସାଥେ ଥା'ନ୍ତି ରହି ,
ଗୋଟି ଗୋଟି କରି ହିସାବ କରିଲେ
ସବୁ ହେବନାହିଁ କହି ।

ପର ଉପକାର ମହତ କରମ
କରୁଛନ୍ତି ଆମେ ଯାହା ,
ଆମରି ବୀଜରୁ ଜନ୍ମି ଅନ୍ୟ ଵୃକ୍ଷ
ଆପେ ବି କରିବେ ତାହା ।

ମାନବ ସମାଜ ବୁଝି ଆମ କାର୍ଯ୍ୟ
ପକାଇଲେ ଶୁଭ ଦୃଷ୍ଟି ,
ଆମେ ସୁରକ୍ଷିତ ରହିବା ସହିତ
ନିରାପଦ ହେବ ସୃଷ୍ଟି ।

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।