ସେହି ଏକା ସୁମଣିଷ
                   ବି.ନିରୁପମା

ବିନ୍ଦୁ ବିନ୍ଦୁ ଜଳ ମିଶି ହୁଏ ସିନ୍ଧୁ 
ସଭିଙ୍କୁ ଏ କଥା ଜଣା ,
ସେହିଭଳି ଛୋଟ ଛୋଟ ଭଲ କାମ
ମହତେ କରିବ ଗଣା ।

ନିତିଦିନ ଆମ ଜାଣ-ଅଜାଣତେ
ଆଖ ପାଖେ ଘଟେ ଯାହା ,
ସଚେତନ ଟିକେ ହୋଇଲେ ପାରିବା
ଅପରକୁ ହୋଇ ସାହା ।

ମଣିଷ ଜନମ ଦେଇକି ବିଧାତା
କରିଛନ୍ତି ଯେଉଁ ଦୟା ,
ପ୍ରତିଦାନେ କିଛି ସୁକାର୍ଯ୍ୟ କରିଲେ 
ପବିତ୍ର ହୋଇବ କାୟା ।

ନିଜ ସୁଖ ଲାଗି ଅପରକୁ ଦୁଃଖ 
ଦେବାନାହିଁ କଦାଚିତ ,
ଅନ୍ୟାୟ ,ଅସତ୍ୟ ପଥେ ଚଳି ଜମା
ବଢ଼ାଇବା ନାହିଁ ବିତ୍ତ ।

ଆଜି କାଲି କେତେ ବିପରୀତ କଥା
ଘଟୁଛି ବି ସମାଜରେ ,
ସଜାଗ ରହିକି ସାହାଯ୍ୟ କରିଲେ 
ଠିକିବାନି ସହଜରେ ।

ଜୀବନ ଯୁଦ୍ଧରେ ଆସିବ ନିଶ୍ଚୟ
ବହୁ ଘାତ ପ୍ରତିଘାତ ,
ସେଥିପାଇଁ କେବେ ବିବ୍ରତ ନ ହୋଇ
ସୁଦୃଢ଼ କରିବା ଚିତ୍ତ ।

ବ୍ରହ୍ମାଣ୍ଡ କରତା ବରଦ ମୁଦ୍ରାରେ
ଢାଳିଦେବେ ଶୁଭାଶିଷ ,
ଆନ ହିତ ଲାଗି ବିତେ ଯା' ଜୀବନ
ସେହି ଏକା ସୁମଣିଷ ।

ମାମୁରିଆ ,ଛେଣ୍ଡିପଦା ,ଅନୁଗୋଳ ।