• ଗୋପପୁର ରେ ଅକ୍ରୁର / ସାଜି କସଂର ଡଗର
• ରଥ ବାହି ଉପଗତ / ହୋଇଲା ଆସି
• ତାକୁ ଦେଖି ଗୋପନଗ୍ରେ / ଗୋପାଙ୍ଗନା ସଙ୍ଗେ ସର୍ବେ
• ଦୁଃଖ ରେ ଅଧୀର ହୋଇ / ନଗର ବାସୀ ;
• ବୋଲୁନ୍ତି ତୁ ଫେରିଯାଅ / ଆରେ ଅକୃର
• ଗୋପରୁ ନନେଇ ରାମ / କୃଷ୍ଣ ଆମର ।।

• ଦେଖିଯିବେ ଧନୁଯାତ୍ରା / ମାମୁଁ କଂସାସୁର ଆଜ୍ଞା
• ତା ଆଦେଶେ ରଥ ନେଇ / ଆସିଛି ମୁହିଁ
• ସେ ଅଟଇ ମହା ଦୁଷ୍ଟ / କରିପାରେ ସେ ଅନିଷ୍ଟ
• ରାମ, କୃଷ୍ଣ ଙ୍କୁ ନନେଇ / ଫେରିବି ନାହିଁ ;
• କରନାହିଁ ତ କଟାଳ / ନକରି ଗୋଳ
• ନନ୍ଦ ମନ୍ଦିର କୁ ପଥ / ଛାଡରେ ମୋର ।।

• ଗୋପପୁର ନର,ନାରୀ / କାନ୍ଦୁଛନ୍ତି ମୁଣ୍ଡ କୋଡ଼ି
• ବୋଲନ୍ତି ଆରେ ଡଗର / କେଡ଼େ ନିଷ୍ଠୁର
• ଜୀବ ଥାଉ ଥାଉ ପ୍ରାଣ / କାଢି ନେବୁରେ ଅଧମ
• ଏଡେ ହୀନ କର୍ମ କିମ୍ପା / କରୁ ଅକ୍ରୁର
• ଗୋପ ଗଗନ ରେ କୃଷ୍ଣ / ଯେ ଶଶଧର
• ତା ବିହୁନେ ଗୋପନଗ୍ର / ହେବ ଅନ୍ଧାର ।।

• ଏ ତ ବିଧି ର ବିଧାନ / କଂସ ର ମୃତ୍ୟୁ ଆସନ୍ନ
• ଆମନ୍ତ୍ରିଛି ରାମ, କୃଷ୍ଣ / କରି ମନ୍ତ୍ରଣା
• ନାଟକର ଶେଷ ଦୃଶ୍ୟ / ଅଭିନିତ ହେବ ଅବଶ୍ୟ
• ଲାଘବ ହୋଇବ ପାପ / ଯେତେ ଜନ୍ତ୍ରଣା
• କହଇ କବି ପ୍ରଫୁଲ୍ଲ / ହେ ଚକ୍ରଧର
• ଭବ ବନ୍ଧନରୁ ପ୍ରଭୁ / କର ଉଦ୍ଧାର ।।


ରଚନା : କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଠିକଣା : ମଙ୍ଗଳାଯୋଡି, ଖୋର୍ଦ୍ଧା ଦୂରଭାଷ :