ହେ ମାତ ରୁଦ୍ରାଣୀ ଦୈତ୍ୟ ସଂହାରିଣୀ
କାତ୍ୟାୟନୀ ଭଦ୍ର କାଳୀ
ଅଭୟ ଦାୟିନୀ ମଙ୍ଗଳ କାରିଣୀ
ଦେବୀ ଦଶଭୁଜ ଧାରୀ ୲୲

କଲ୍ୟାଣ କାରିଣୀ ହେ ବିଶ୍ଵ ମୋହିନୀ
ମା'ଗୋ ଶକ୍ତି ସ୍ଵରୂପିଣୀ
ପୂଜା ଅର୍ଘ୍ୟ ଆମ ଚରଣରେ ତୁମ
ଘେନା କର ହେ ଜନନୀ ୲୲

ମହିଷା ମର୍ଦ୍ଦିନୀ ହେ ସିଂହ ବାହିନୀ
ଆଗୋ ମାତ ଶିବେଶ୍ଵରୀ
ପାପ ଭାରେ ମହୀ ଡାକେ ତ୍ରାହି ତ୍ରାହି
ଆସ ମା'ଗୋ ଅବତରି ୲୲

ଗୋଟିଏ ମହିଷା ରଚିଥିଲା ହିଂସା
ତ୍ରିଭୁବନ ପ୍ରକମ୍ପିତ
ଅଯୋନି ସମ୍ଭୁତା ହେଲ ଆବିର୍ଭୂତା
ଉଦ୍ଧାରିଲ ଏ ଜଗତ ୲୲

ଦେଖିଯାଅ ବାରେ ଆଜି ଏ ଧରାରେ
କୋଟିଏ ମହିଷାସୁର
କ୍ଷଣ ପ୍ରତି କ୍ଷଣ ଭୀତ ପାଏ ପ୍ରାଣ
ଛୁଟୁଛି ରକ୍ତର ଧାର ୲୲

ନାହିଁ କାହିଁ ଶାନ୍ତି ସବୁଠି ଅଶାନ୍ତି
ଅବରୁଦ୍ଧ ପୁଣ୍ୟ ଦ୍ଵାର
ଘୋଟିଛି ଦୁର୍ଦ୍ଦିନ ନାରୀ ହୀନିମାନ
ବଢୁଛି ପାପର ଭାର ୲୲

ଏ ଧରାର ତ୍ରାସ କର ହେ ଉଶ୍ଵାସ
ମାଗୋ ଜଗତ ଜନନୀ
ଉଗ୍ର ରୂପ ଧରି ଆସ ଅବତରି
ଦୁର୍ଗେ ଦୁର୍ଗତି ନାଶିନୀ ୲୲

ଛାଡ଼ି ମା'ଗୋ ରୋଷ ଆଶିଷ ବରଷ
ସ୍ଵର୍ଗ ହେଉ ଏହି ମହୀ
ପ୍ରତିଟି ପ୍ରାଣର ହେଉ ରୂପାନ୍ତର
ତୁମରି କରୁଣା ପାଇ ୲୲





ରଚନା : ସଂଯୁକ୍ତା ରାଉତ

ଠିକଣା : ଜୟପୁର , କୋରାପୁଟ ଦୂରଭାଷ :