🌹🌹ମାଟି ଓ ବର୍ଷା (ଅଷ୍ଟମ ପାଠ)🌹🌹
************************************
ଆନନ୍ଦ ଆନନ୍ଦ ହୃଦ ପ୍ରେମାନନ୍ଦ
ଅଟେ ସେ ମୀନନୟନୀ,
କଜଳ ନୟନେ ସଜ୍ଜଳେ ନିରେଖି
ହର୍ଷେ ହସେ ବର୍ଷାରାଣୀ ।

ଅମାର ଅମୂଲ୍ୟ ଅପାର ଜାଜ୍ବଲ୍ଯ
ଅନତି ଦୂରେ ନାୟିକା,
ଅମୃତ ଅନେକ ଉର୍ବି ମୁଖେ ସୁଖ
ପଲ୍ଲବୀ ମାଳା ତୃପ୍ତିକା ।

ନଭ ନବ ଭାବ ରବି ଛବି ଲୋପ
ଚଞ୍ଚଳା ଚଞ୍ଚଳେ ଖେଳା,
ନୀତି ରୀତି ସ୍ମୃତି ବର୍ଷା ଋତୁ ପ୍ରୀତି
ଅନ୍ତରୀକ୍ଷେ ଜଳ ଲୀଳା ।

ବିପୁଳ ବୈଭବେ ବିପୁଳା ବିରାଜେ
ସୁଲଭ ସୁବର୍ଣ୍ଣ ଭରା,
ଦୁର୍ଲଭ ମାଧବୀ ଚଞ୍ଚଳା ଅଚଳା
ନୀଳକେଶୀ ବିଶ୍ବମ୍ଭରା ।

ବର୍ଷା ସ୍ପର୍ଶେ ରସା ରସାଳ ଶୋଭିତା
ଆକାଶ ପ୍ରକାଶ ସ୍ପର୍ଶା,
ଶସ୍ଯା ଶ୍ଯାମଳିନୀ ଶସ୍ଯ ପ୍ରଦାୟିନୀ
ଅମ୍ବର ଅମୃତେ ଆଶା ।

ତୃଷ୍ଣା ନିବାରିଣୀ ନୀଳ ପଲ୍ଲବିନୀ
ସନ୍ତାନ ପାଳନେ ମାତା,
ଧରଣୀ ଜନନୀ ଫଳ -ପୁଷ୍ପେ ରାଣୀ
ମତ୍ଯ ବୈକୁଣ୍ଠ ଅନନ୍ତା ।

କି ଶୋଭା ଏ କୁଞ୍ଜ ସୁରଭି ଶୋଭିତା
ବୈକୁଣ୍ଠ ଭୂବନ ଜିଣି,
ରାଣୀ ପଣେ କ୍ଷୌଣୀ ଲାବଣ୍ଯ ଦେହିନୀ
ମନ୍ଦ ହାସିନୀ ମେଦିନୀ ।

ଶୋଭା ଦେଖି ଦେଖି ବିଭୋର ଅମ୍ବର
ନବୀନା ଅବନୀ ହୃଦେ,
ବର୍ଷା ଜଳେ ବର୍ଷି ଭରସି ମାଗୁଛି
ପ୍ରେମ କର ମୋ' ବାରିଦେ ।

*********************************
ଭଜରାମ ସେଠୀ, ନିରାଳ, ଗଞ୍ଜାମ, ଓଡ଼ିଶା


ରଚନା : ଭଜରାମ ସେଠୀ

ଠିକଣା : ନିରାଳ,ଆସିକା,ଗଞ୍ଜାମ ଦୂରଭାଷ : 9566876504