*ରାମାୟଣରୁ କିଛି........୭୫*

*ରାମାୟଣ ରଚନା କରିବା ପାଇଁ ବାଲ୍ମୀକିଙ୍କୁ କିଏ ନିର୍ଦ୍ଦେଶରେ ଦେଇଥିଲେ*

    ବ୍ରହ୍ମାଙ୍କ ପାଖରେ ବସି ମହର୍ଷି ବାଲ୍ମୀକି କ୍ରୌଞ୍ଚବଧ କଥା ସ୍ମରଣ କରି ପରମଦୁଃଖରେ ଶୋକ କରିବାରେ ଲାଗିଲେ । ମହର୍ଷି ବାଲ୍ମୀକି ଏତେ ଶୋକାର୍ତ୍ତ ହୋଇପଡିଲେ ଯେ ତାଙ୍କ ତୁଣ୍ଡରେ ଆଉ ବାକ୍ଯ ସ୍ଫୁରିଲା ନାହିଁ । ବାଲ୍ମୀକିଙ୍କୁ ଶୋକାର୍ତ୍ତ ଦେଖି ପିତାମହ ବ୍ରହ୍ମା ବାଲ୍ମୀକିଙ୍କୁ ଏହି ଶୋକର କାରଣ ପଚାରିଲେ । ବ୍ରହ୍ମାଙ୍କୁ ଉତ୍ତର ଦେଇ ବାଲ୍ମୀକି କହିଲେ--ପରସ୍ପର କ୍ରୀଡାରତ ଥିବା ବଗବଗୁଲୀଙ୍କ ମଧ୍ୟରୁ ବଗଟିକୁ ଏକ ନିଷ୍ଠୁର ଶବର ପହଞ୍ଚି ଶରାଘାତରେ ମାରିପକେଇଲା । ଏହା ଦେଖି ମୋର ହୃଦୟ ମହା  ଦୁଃଖରେ ଜର୍ଜରିତ ହେଲା । ମୃତ ବଗଟି ପାଇଁ ବଗୁଲୀର ହୃଦୟବିଦାରକ କରୁଣ ବିଳାପ ସ୍ମରଣ କରି ମୁଁ ଶୋକାକୁଳ ହୋଇପଡୁଛି । ଏହା କହି ବାଲ୍ମୀକି ଶୋକ କରିବାରେ ଲାଗିଲେ । 
     ବାଲ୍ମୀକିଙ୍କୁ ଆଶ୍ବାସନା ଦେଇ ବ୍ରହ୍ମା କହିଲେ--ହେ ବ୍ରହ୍ମର୍ଷି ବାଲ୍ମୀକି, ନିଷାଦ ପ୍ରତି ତୁମ୍ଭର ଶୋକରୁ ଯେଉଁ ଛନ୍ଦୋମୟ ବାକ୍ଯ ବାହାରିପଡିଲା,ଆଜିଠାରୁ ତାହା ଶ୍ଳୋକ ନାମରେ ପରିଚିତ ହେଉ । ପୂର୍ଵରୁ ତ ଏକଥା ମୋ ମନ ମଧ୍ୟରେ ଥିଲା । ଦୈବଯୋଗେ ଏହା ତୁମ୍ଭ ତୁଣ୍ଡରୁ ବାହାରିପଡିଲା । ତେଣୁ ଏହି ଛନ୍ଦଦ୍ବାରା ଜଗତର ମଙ୍ଗଳ ହେଉ । ହେ ବାଲ୍ମୀକି, ପଣ୍ଡିତ ଭାବରେ ତୁମ୍ଭେ ମହୀୟାନ୍ ଅଟ । ତୁମ୍ଭର ଶୋକଜନିତ ଏହି ଶ୍ଳୋକ ଛନ୍ଦରେ ତୁମ୍ଭେ ରାମାୟଣ ନାମରେ ଶ୍ରୀରାମଙ୍କ ଜୀବନକଥା ରଚନା କର । ଦେବର୍ଷି ନାରଦ ତୁମ୍ଭଙ୍କୁ ରାମଙ୍କ ଜୀବନ କାହାଣୀ ଠିକେ ଠିକେ କହିଦେଇଛନ୍ତି । ତାହା ତ ତୁମ୍ଭେ ମନଦେଇ ଶୁଣିଛ ! ତେଣୁ ସେହି ବିଷୟସବୁ ତୁମ୍ଭେ ଏହି ଛନ୍ଦରେ ରଚନା କରିବା ପାଇଁ ଆମ୍ଭେ ତୁମ୍ଭଙ୍କୁ ନିର୍ଦ୍ଦେଶ ଦେଉଛୁ । ଆମ୍ଭର ଆଦେଶରେ ସମସ୍ତ ଗୂଢତତ୍ତ୍ବ ତୁମ୍ଭଙ୍କୁ ପରିଷ୍କାର ଦେଖାଯିବ । ସେସବୁକୁ ମିଶାଇ ଏହି ରାମାୟଣ ଗ୍ରନ୍ଥ ତ୍ରିଭୁବନରେ ପ୍ରସିଦ୍ଧି ଲାଭ କରିବ । ବାଲ୍ମୀକି ରାମାୟଣରୂପେ ପ୍ରସିଦ୍ଧ ଏହି ଗ୍ରନ୍ଥକୁ ପାଠକରି ଲୋକମାନେ ପାପମୁକ୍ତ ହୋଇ ସ୍ବର୍ଗକୁ ଯିବେ । ମହର୍ଷି ବାଲ୍ମୀକିଙ୍କୁ ଏହିପରି କହି ଵ୍ରହ୍ମା ହଂସବାହନରେ ବସି ନିଜ ଧାମ ବ୍ରହ୍ମଲୋକକୁ ଫେରିଗଲେ । 
      ଏହାପରେ ବାଲ୍ମୀକି ଶ୍ରୀରାମଙ୍କଠାରେ ମନୋନିବେଶ କରି ରାମାୟଣ ଲେଖା ଆରମ୍ଭ କରନ୍ତେ ତାଙ୍କୁ ସେ ସମ୍ବନ୍ଧୀୟ ସମସ୍ତ କଥା ଦୃଶ୍ୟ ହେବାରେ ଲାଗିଲା ଓ ସେ ଅକ୍ଳେଶରେ ମଧୁର ସ୍ବରରେ ସେହି ରାମାୟଣ ଗାନ କରନ୍ତେ ତାହା ଶୁଣି ବାଲ୍ମୀକି ପରମ ଆନନ୍ଦିତ ହେଲେ । ମହାକବି ମହର୍ଷି ବାଲ୍ମୀକି ହେଉଛନ୍ତି ଜଗତର ଆଦି କବି । ତାହାଙ୍କ ରଚିତ ଏହି ରାମାୟଣ ଗ୍ରନ୍ଥ ' ବାଲ୍ମୀକି ରାମାୟଣ ' ନାମରେ ପ୍ରଖ୍ଯାତ । ବାଲ୍ମୀକି ରାମାୟଣ ଚତୁର୍ବିଂଶତି ସହସ୍ର ଶ୍ଳୋକ(ଅର୍ଥାତ ଚବିଶ ହଜାର ଶ୍ଳୋକ) ରେ ପରିସମାପ୍ତ ହୋଇଛି । ସୀତାଙ୍କୁ ନିଜ ପାର୍ଶ୍ବରେ ଘେନି ଶ୍ରୀରାମ ଅଯୋଧ୍ୟା ସିଂହାସନ ଆରୋହଣ କରିବାରେ ହିଁ ବାଲ୍ମୀକି ରାମାୟଣର ପରିସମାପ୍ତି ।

*ସଂଗ୍ରହକାରୀ--ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ବର, ମୋ--୯୮୫୩୧୪୨୫୧୦*