ମାଟି ଓ ବର୍ଷା (ନବମ ଅଧ୍ୟାୟ)

*****************************
କଳାଧର କିବା କଳାଦେହୀ କୋଳେ
ରଚିଲେ ଗୁପତ ପ୍ରୀତି,
କଇଁ କମନୀୟେ କଳଙ୍କ ଅରପି
କୁମ୍ଭିନୀରେ ନାହିଁ ଜ୍ଯୋତି ।୧।

ଶର୍ବରୀ ସମୟେ ସରୋବର ଗୃହେ
ଗଲା ତୋ' ସଜନୀ ପୋଡ଼ି ,
ଭୀଷଣ କଷଣେ ଶରୀର ସଢ଼ିଲା
ବିଧୁବଧୂ ଗଲି ଝଡ଼ି ।୨।

ପତି ବିନା ସତୀ ହୋଇଲା ଅଶାନ୍ତି
ବର୍ଷା କଲ କିମ୍ପା ଈର୍ଷା,
ପ୍ରେମେ ଜଳି ଜଳି ବର୍ଷା ଜଳେ ଜଳି
ତଥାପି ପ୍ରୀତି ଭରସା ! ।୩।

ଚକ୍ଷୁ ବକ୍ଷୁ ନୀର ନିଗିଢ଼ି ପଡ଼ଇ
ବିଦେଶିନୀ ଯେହ୍ନେ ଦଶା ,
ସରୋବରେ ଶେଜ ଖୋଜେ ଶୋଭା କୁଞ୍ଜ
ବିଧୁମୁଖୀ ବୃକ ଯୋଷା ।୪।

କୁମୁଦ -କିଞ୍ଜଳେ ବର୍ଷା ରାଣୀ ଜଳେ
ଦେବସ୍ପର୍ଶା ନାରୀ ଭାଷି,
ଟାଣ ପଣ କ୍ଷୀଣ ନଭରାଣୀ ଗୁଣ
ମିହିର ଗଲେଣି ଫଶି ।୫।

ରକ୍ତକୁଣ୍ଡଳକେ କଷାୟ ନ ପଡ଼େ
ଭାସମାନ ସରୋବରେ,
ରାଜୀବ ଚିନ୍ତନ ରାଜୀବଲୋଚନେ
ତ୍ରାହି କର ଜଳଧାରେ ।୬।

ପତ୍ରେ-ପୁଷ୍ପେ-ଶଷ୍ପେ ଇନ୍ଦ୍ର ଅଭିଶାପେ
ତରୁ -ତୃଣ ଜଳମଗ୍ନ,
ଜନ୍ମେ ଜଳ ଲଗ୍ନ ଜଳେ ପ୍ରାଣ ଭଗ୍ନ
ଜଳ ବିନା ଜୀବ ନଗ୍ନ ।୭।

ସୂରୁଯ - ସୁଧାଂଶୁ ମେଘେ ନାଶ ଅଶୁ
ଜଳଦ ଯୁଦ୍ଧେ ନିପାତ,
ବିକସ ପ୍ରକାଶ ଦିବାକର ଝାସ
ଦୁହେଁ କଲେ ପ୍ରଣୀପାତ ।୮।
**********************************
ଭଜରାମ ସେଠୀ, ନିରାଳ, ଆସିକା, ଗଞ୍ଜାମ, ଓଡ଼ିଶା


ରଚନା : ଭଜରାମ ସେଠୀ

ଠିକଣା : ନିରାଳ ଆସିକା ଗଞ୍ଜାମ ଦୂରଭାଷ : 9566876504