କବିତା - ଅନ୍ତିମ ଅବଶୋଷ - ମହେଶ୍ୱର ଦାଶ

0
ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶାନ୍ତି
ଖୋଜିବାର ମାନସିକତା ନେଇ
ବଂଚିବାକୁ ହୁଏ ସାରା ଜୀବନ
ମନ ଭିତରେ ଅଶାନ୍ତିର ନିଆଁ
କୁହୁଳି କୁହୁଳି କେବେ ଜଳି ଉଠେ
ଆଉ କେବେ ତାର ପୋଡା ଦାଗ
ବାରି ହୋଇଯାଏ ମୁହଁରୁ ଆଖିରୁ
ଅଥଚ ଖୋଜିବା ସରେନି
ସୁଖର ସନ୍ଧାନ ହୁଏ ଯଶ, କୀର୍ତ୍ତି,
ମାନ ସମ୍ମାନ ଧନ ଆଉ ପୁଣି
ଯୌନ ଲାଳସା ମେଣ୍ଟିବାରେ ,
ମଦ ମାଂସରେ
ହେଲେ ସୁଖ ଗୋଟାଉଥିବା
ଆଙ୍ଗୁଳିର ଫାଙ୍କ ବାଟେ
ଦୁଃଖ ସବୁ ଆସନ୍ତି ସନ୍ତର୍ପଣରେ
ଜୀବନଟା ସାରା ସବୁଠି ଦେଖିବାକୁ
ମିଳେ ତା ଅଲିଭା ପଦଚିହ୍ନ
ନ୍ୟାୟ ପାଇବାକୁ ଚିତ୍କାର କରି
ଫାଟିଯାଏ କଣ୍ଠ
ହେଲେ ନ୍ୟାୟ ମିଳେନି
ଆଉ ଯାହା ବି ମିଳେ ତା
କଣ ପ୍ରକୃତରେ ନ୍ୟାୟ ?
ଅନ୍ୟାୟର କାଳସର୍ପ
ସ୍ବଛନ୍ଦରେ ବିଚରଣ କରେ
ଅତ୍ର ତତ୍ର ସର୍ବତ୍ର
ଅନ୍ୟାୟର ପଶାକାଠି ଗଡ଼ାଇ
ଶକୁନି ମାନେ ଜିତିଯାନ୍ତି ସବୁଥର
ରୂପରେ, ଗୁଣରେ, ଧନରେ, ଜାତିରେ,
ବର୍ଣ୍ଣରେ, ଜ୍ଞାନରେ ସବୁଥିରେ
ବିଭେଦର ଅଟ୍ଟହାସ୍ୟ ଶୁଭୁଥାଏ
ଆଇନରେ ସମାନତା ଘୋଷଣା
ଫମ୍ପା ଫମ୍ପା ଲାଗେ
ତଥାପି ମଣିଷ ଖୋଜୁଛି ଆଦିମ କାଳରୁ
ଆଉ ଆଜିବି ଖୋଜୁଛି
କାହିଁ ଶାନ୍ତି କାହିଁ ସୁଖ କାହିଁ ନ୍ୟାୟ
ଆଉ କାହିଁ ସମାନତା
ଅନ୍ତିମରେ ଅବଶୋଷ ଭରା
ଭରା ମନ ନେଇ ବିଦାୟ
ନେବାକୁ ହୁଏ ଏଠୁ


ରଚନା : ମହେଶ୍ୱର ଦାଶ

ଠିକଣା : ନରସିଂହପୁର ଶାସନ ,କେନ୍ଦୁଝର ଦୂରଭାଷ : 9938962130


Post a Comment

0Comments
Post a Comment (0)